ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ଉପକଣ୍ଠରେ ବେହେରାପାଲି ପଞ୍ଚାୟତର କୁକୁରଜଙ୍ଘାସ୍ଥିତ ଜଗନ୍ନାଥ ମନ୍ଦିରଟି ପତିତପାବନ ଶ୍ରୀକ୍ଷେତ୍ର ଭାବେ ପରିଚିତ। ରଥଯାତ୍ରାରେ ଏଠାକାର ରହିଛି ନିଆରା ପରମ୍ପରା। ୮ଶହ ବର୍ଷରୁ ଅଧିକ ସମୟ ହେବ ନିରନ୍ତର ଭାବେ ଚାଲିଆସି ଥିବା ରଥଯାତ୍ରାରେ କୌଣସି ଦଉଡ଼ି ବ୍ୟବହାର କରାଯାଏନି। ବରଂ ୪ ଖଣ୍ଡ ବାଉଁଶରେ ହିଁ ରଥଟଣା ହୋଇଥାଏ। ପୁରୀ ରଥଯାତ୍ରା ନବ ଦିନାତ୍ମକ ଯାତ୍ରା ହୋଇଥିବା ବେଳେ କୁକୁରଜଙ୍ଘାରେ ଦ୍ବିତୀୟାରୁ ପୂର୍ଣ୍ଣିମା ଯାଏ ଅର୍ଥାତ ୧୪ ଦିନର ଯାତ୍ରା ହୋଇଥାଏ। ତ୍ରୟୋଦଶ ଶତାବ୍ଦୀରେ ଏହି ଅଞ୍ଚଳରେ କରୁଆଁ ନାମରେ ଏକ ହିଂସ୍ର ଜାତି ବସବାସ କରୁଥିଲେ। ଫଳରେ ବାହାର ଲୋକେ ଏହି ଅଞ୍ଚଳରେ ପ୍ରବେଶ କରିବା ବି ସମ୍ଭବ ହେଉନଥିଲା। ସେତେବେଳେ ଉତ୍ତରପ୍ରଦେଶର ୨ ଭାଇ ମଧୁସୂଦନ ସିଂ ଓ ପ୍ରାଣନାଥ ସିଂ ଆସି ଝାରସୁଗୁଡ଼ାରେ ରହୁଥିଲେ। ସେମାନେ ଜାଗା ପାଇଁ ତତ୍କାଳୀନ ସମ୍ବଲପୁର ରାଜା ବଳରାମ ଦେବଙ୍କ ନିକଟକୁ ଯାଇଥିଲେ। ଏହାପରେ କରୁଆଁ ଜାତିକୁ ପରାସ୍ତ କରିବାକୁ ରାଜା ଉଭୟ ଭାଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଭାଇ ଆସି ଯୁଦ୍ଧ କରିବା ସହିତ କରୁଆଁଙ୍କୁ ପରାସ୍ତ କରିବା ପରେ ସମ୍ବଲପୁର ରାଜା ସେମାନଙ୍କୁ ପୁରସ୍କାର ସ୍ବରୂପ ରାମପୁର ଜମିଦାରୀ ଦେଇଥିଲେ।
ସେହିସମୟରେ ମଦୁସୂଦନ ସିଂଙ୍କୁ ସ୍ବପ୍ନାଦେଶ ହୋଇଥିଲା ଓ ସେ ଖୋଜାଖୋଜି କରିବା ପରେ ବେହେରାପାଲିରୁ ୩ଟି ଦାରୁବ୍ରହ୍ମ ପାଇଥିଲେ। ସ୍ବପ୍ନରେ ମହାପ୍ରଭୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଜମିଦାର ଶ୍ରୀ ସିଂ ଦାରୁବ୍ରହ୍ମଙ୍କୁ ନେଇ କୁକୁରଜଙ୍ଘାରେ ସ୍ଥାପନ କରିଥିଲେ। ଏଥିସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ପ୍ରତିଷ୍ଠା କରିଥିଲେ। ୨୦୦୪ରେ ପ୍ରତ୍ନତତ୍ତ୍ବ ବିଭାଗର ଏକ ଟିମ୍ ଆସି ମନ୍ଦିରର ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ମନ୍ଦିର ଉପରିଭାଗରେ ଲାଗିଥିବା ପଥରର ବୟସ ଅନୁସାରେ ମନ୍ଦିରଟି ୧୨୧୫ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା ହୋଇଥିବା ଅନୁମାନ କରାଯାଇଥିଲା।
ଏଠିକାର ଜମିଦାର ତଥା ରଥଯାତ୍ରାରେ ଗଜପତିଙ୍କ ଦାୟିତ୍ବ ନିର୍ବାହ କରୁଥିବା ଅନିରୁଦ୍ଧ କୁମାର ସିଂଙ୍କ କହିବାନୁସାରେ ଏଠାକାର ରଥଯାତ୍ରା ୧୪ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏଠି ଗୋଟିଏ ରଥ ନିର୍ମାଣ ହେଉଥିବାବେଳେ ଏହାର ଉଚ୍ଚତା ୪୫ ଫୁଟ୍ ଓ ୧୬ଟି ଚକ ରହିଥାଏ। ଦ୍ବିତୀୟା ତିଥିରେ ମନ୍ଦିରରୁ ରଥଟଣା ଆରମ୍ଭ ହେଉଥିବା ବେଳେ ଅଷ୍ଟମୀ ଯାଏ ରଥଟଣା ହୋଇ ନବମୀରେ ଚତୁର୍ଦ୍ଧାମୂର୍ତ୍ତି ମାଉସୀ ମା’ ମନ୍ଦିରକୁ ବିଜେ କରିଥାନ୍ତି। ସେଠାରେ ସନ୍ଧ୍ୟା ଦର୍ଶନ ପରେ ପୁଣି ଦଶମୀରେ ଅର୍ଥାତ୍ ବାହୁଡ଼ା ଦିନ ଫେରିଥାନ୍ତି। ତେବେ ବାହୁଡ଼ା ଦିନ ରଥ ବାହାରିବା ପରେ ବି ରଥ ମନ୍ଦିରରେ ଆସି ପହଞ୍ଚିବା ବେଳକୁ ଚତୁର୍ଦ୍ଧଶୀ ହୋଇଯାଇଥାଏ। ପୂର୍ଣ୍ଣମୀରେ ଠାକୁରମାନେ ମନ୍ଦିର ପ୍ରବେଶ କରିଥାନ୍ତି। ମୁଖ୍ୟ ପୂଜକ ବ୍ରହ୍ମାନନ୍ଦ ଦାସ ଢେଙ୍କାନାଳସ୍ଥିତ ମଠକୁ ଯିବା ପରଠାରୁ ତାଙ୍କ ଶିଷ୍ୟ ପ୍ରେମାନନ୍ଦ ଦାସଜୀ ମହାରାଜ ଏଠାକାର ପୂଜା କାର୍ଯ୍ୟ ତୁଲାଇ ଆସୁଛନ୍ତି। ଏଥିସହ ପଞ୍ଚବର୍ଣ୍ଣୀ ବ୍ରାହ୍ମଣ ନିଯୋଗ ୧୫ ଦିନର ନୀତିକାନ୍ତି କରିଥାନ୍ତି। ଲୋକକଥା ଅନୁଯାୟୀ, ଏକଦା ଗ୍ରାମବାସୀ ଦଉଡ଼ିରେ ରଥ ଟାଣିବା ଯୋଜନା କରିଥିଲେ। କିନ୍ତୁ ରଥ ଇଞ୍ଚେ ବି ଗଡ଼ିନଥିଲା। ପୁଣିଥରେ ରଥରେ ବାଉଁଶ ଖଞ୍ଜାଯାଇ ଟଣାଯିବା ପରେ ରଥ ଆଗକୁ ଗଡ଼ିଥିଲା।