ଜଳିଗଲା ପତିତପାବନ ବାନା

ପୁରୀ : ପ୍ରଶାସନ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇବାର କିଛି ଘଣ୍ଟା ପରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ପତିତପାବନ ବାନା ଆଜି ରାତିରେ ନିଆଁ ଲାଗି ଜଳିଯାଇଛି। ପାପମୋଚନୀ ଏକାଦଶୀ ଭଳି ଦିନରେ ଏଭଳି ଅଘଟଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଦେଇଛି।

ମିଳିଥିବା ସୂଚନା ମୁତାବକ, ଆଜି ପାପମୋଚନ ଏକାଦଶୀ ଉପଲକ୍ଷେ ଶ୍ରୀମନ୍ଦିର ଅଁଳା ବେଢ଼ାରେ ମହାଦୀପ ଲାଗିଥିଲା। ହଠାତ୍ ପବନ ଆସିବାରୁ ପତିତପାବନ ବାନା ଉଡ଼ି ମହାଦୀପ ଉପରେ ସିଧାସଳଖ ପଡ଼ିଥିଲା ଏବଂ ସଙ୍ଗେ ସଙ୍ଗେ ଏହା ଜଳିଯାଇଥିଲା। ଜଳିବା ପରେ ନିଆଁ ଝୁଲ ଶ୍ରୀମନ୍ଦିର ଭିତରେ ଓ ବାହାରେ ଉଡ଼ିବାର ଦେଖିବାକୁ ମିଳିଥିଲା। ଏହା କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି କରିଥିଲା। ୧୫ ମିନିଟ୍‌ ଧରି ଏହାକୁ ନେଇ ଉଦ୍‌ବେଗଜନକ ପରିସ୍ଥିତି ଲାଗି ରହିବା ପରେ ଶ୍ରୀମନ୍ଦିର ପ୍ରଶାସନ ଚୁନରା ସେବକମାନଙ୍କୁ ଅଁଳାବେଢ଼ାକୁ ପଠାଇଥିଲା । ଚୁନରା ସେବକମାନେ ଅଁଳାବେଢ଼ାକୁ ଯାଇ ସ୍ଥିତି ନିୟନ୍ତ୍ରଣ କରିଥିଲେ।

ତେବେ ଏହି ବଡ଼ ଅଘଟଣ ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ମହାପ୍ରଭୁଙ୍କ ଏହା ମାନବୀୟ ଲୀଳା ବୋଲି ସାଧାରଣରେ ଆଲୋଚନା ହେଉଛି। ଏହାକୁ ଶ୍ରୀମନ୍ଦିର ଚୁନରା ସେବାୟତ ନିଯୋଗ ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମହାଦୀପରୁ ନିଆଁ ଝୁଲ ଉଡ଼ି ଏଣେତେଣେ ପଡ଼ୁଥିଲା। ସୂଚନାଯୋଗ୍ୟ, ଗତକାଲି ବି ମହାପ୍ରଭୁଙ୍କ ବାନାରେ ଗଣ୍ଠି ପଡ଼ିଯାଇଥିଲା। ଏହାର ଦିନକ ପରେ ମହାପ୍ରଭୁଙ୍କ ପତିତପାବନ ବାନାରେ ନିଆଁ ଲାଗିଯିବା ଚର୍ଚ୍ଚା ଭିନ୍ନ ଦିଗକୁ ନେଇଛି।

ସମ୍ବନ୍ଧିତ ଖବର