ଉଡ଼ିଗଲା ପତିତପାବନ ବାନା!

ପୁରୀ : ଗୋଟିଏ ପଟେ ରତ୍ନଭଣ୍ଡାର ଖୋଲିବା ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଶ୍ରୀମନ୍ଦିରରେ। ଆଜି ପୁରୀ ଶ୍ରୀମନ୍ଦିରରୁ ଉଡ଼ିଗଲା ପତିତପାବନ ବାନା। ଆଗାମୀ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସ୍ଥିର କରାଯାଇଥିବା ବେଳେ ହଠାତ୍‌ ପୁରୀ ମନ୍ଦିରରୁ ପତିତପାବନ ଉଡ଼ିଯିବାକୁ ପୁରୀବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡ଼ିଯିବା ଏକ ଅଶୁଭ ସଙ୍କେତ ବୋଲି ଏବେ ପୁରୀରେ ଚର୍ଚ୍ଚା ଜୋର ଧରିଛି।

ପୂର୍ବରୁ ମଧ୍ୟ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଅନେକ ସମୟରେ ଅଘଟଣର ସଂକେତ କିମ୍ବା ଅଘଟଣ ହୋଇଥିବାର ଲୋକକଥା ରହିଛି। କିଛି ଗବେଷକଙ୍କ କହିବା ଅନୁଯାୟୀ, ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି ତାହା ଜାଣିବା ପାଇଁ ଇଂରେଜ ଅମଳରେ ଜଣେ ଜିଲ୍ଲାପାଳ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରତ୍ନ ଭଣ୍ଡାର ଖୋଲିବା ଉଦ୍ୟମ ଆରମ୍ଭ ହେଲାପରେ ସମ୍ପୃକ୍ତ ଜିଲ୍ଳାପାଳଙ୍କ ପୁଅ କମ ବୟସରେ ମୃତ୍ୟୁବରଣ କରିଥିଲେ। ଏପରିକି ଜିଲ୍ଲାପାଳ ଜଣକ ରାତିରେ ଭୟଙ୍କର ସ୍ୱପ୍ନ ଦେଖିଥିଲେ। ଜିଲ୍ଲାପାଳଙ୍କୁ ବହୁ ବିପଦ ମାଡି ଆସିଲା ଫଳରେ ରତ୍ନଭଣ୍ଡାରର ରହସ୍ୟ ଜାଣିବା ନିଷ୍ପତ୍ତିରୁ ଓହରି ଯାଇଥିଲେ ଜିଲ୍ଲାପାଳ।

ଏହାଛଡା ମନ୍ତ୍ରୀ ମହେଶ୍ୱର ମହାନ୍ତି ମଧ୍ୟ ଏକ ଲୋକକଥା କହିଥିଲେ ଯାହା ରତ୍ନଭଣ୍ଡାରକୁ ପ୍ରବେଶ କରିବା ଦ୍ୱାରା କିଭଳି ଅଘଟଣ ହୋଇଥାଏ ତାହା ସୂଚାଉଥିଲା। ଲୋକକଥା ଅନୁଯାୟୀ, ରତ୍ନଭଣ୍ଡାରେ କଣ ରହିଛି ତାହା ଜାଣିବା ପାଇଁ କିଛି ସେବାୟତ ଜଣେ ବ୍ୟକ୍ତିଙ୍କୁ ଭାର ଦୋଳିରେ ବସାଇ ଭଣ୍ଡାର ଭିତରକୁ ପଠାଇଥିଲେ। ଦଉଡି ଯୋଗେ ବ୍ୟକ୍ତି ଜଣକ ମସାଲ ଧରି ରତ୍ନ ଭଣ୍ଡାରକୁ ଗଲେ। କିନ୍ତୁ ବ୍ୟକ୍ତି ଜଣଙ୍କ ଭଣ୍ଡାର ଭିତରକୁ ଯିବା ପରେ ଧିରେ ଧିରେ ବାହାରେ ଦଉଡି ଭାର ଧରିଥିବା ସେବାୟତ ହାଲୁକା ଅନୁଭବ କଲେ। ଯେପରି ଦୋଳିରେ କେହି ନଥିଲେ। ଫଳରେ ଭିତର ଦୋଳିକୁ ବାହାରକୁ ଟାଣିବା ପରେ ସେବାୟତ ମାନେ ଯାହା ଦେଖିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା। ରତ୍ନ ଭଣ୍ଡାରକୁ ଯାଇଥିବା ସେବାୟତ ଭାର ଦୋଳିରେ ନଥିଲେ ଏବଂ ମସାଲ ଲିଭି ଯାଇଥିଲା। ଏପରିକି ଦୋଳି ଉପରେ ଏକ ପାରାର ମୃତ ଦେହ ପଡିଥିଲା। କିନ୍ତୁ ରତ୍ନ ଭଣ୍ଡାରକୁ ଯାଇଥିବା ସେବାୟତଙ୍କ ପତ୍ତା ମିଳି ନଥିଲା।

ଏହାଛଡା ପୂର୍ବରୁ ମଧ୍ୟ ପତିତପାବନ ବାନା ଅନେକ ସମୟରେ ଉଡ଼ିଯାଇଛି । ତେବେ ସବୁଠାରୁ ବଡ କଥା ହେଲା ଆଗକୁ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବାକୁ ଭକ୍ତମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।

ସମ୍ବନ୍ଧିତ ଖବର