ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ନକଲି ଡାକ୍ତର ଓ ନର୍ସ ଗିରଫ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲାବେଳେ ଏବେ ଏଠାରେ ଘରୋଇ ହସ୍ପିଟାଲକୁ ରୋଗୀ ପଠାଇବା ରାକେଟ୍‌ ସକ୍ରିୟ ହୋଇଥିବା ଜଣାପଡ଼ିଛି। ଏହି ଦଲାଲମାନେ ଗରିବ ରୋଗୀଙ୍କୁ ସର୍ବସ୍ବାନ୍ତ କରିବା ସହ ତାଙ୍କ ଜୀବନ ପ୍ରତି ବଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ଉତ୍ତମ ଚିକିତ୍ସା ନାଁରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଭୁଲାଇ ଘରୋଇ ହସ୍ପିଟାଲ ଜରିଆରେ ଶୋଷଣ କରୁଛନ୍ତି। ଦୈନିକ ଜଣେ କି ଦୁଇଜଣ ନୁହେଁ, ବିଭିନ୍ନ ବିଭାଗରୁ ବହୁ ରୋଗୀଙ୍କୁ ସହରର ଘରୋଇ ଡାକ୍ତରଖାନାଗୁଡ଼ିକୁ ପଠାଯାଉଛି।

Advertisment

ଦଲାଲମାନେ ରୋଗୀପିଛା ଘରୋଇ ଡାକ୍ତରଖାନାରୁ ପାଉଛନ୍ତି ୨ରୁ ୩ ହଜାର ଟଙ୍କା। ବହୁ ଦିନରୁ ଏଭଳି ବେଆଇନ କାରବାର ଆର୍‌ଜିଏଚ୍‌ରେ ଚାଲୁଥିଲେ ହେଁ, ତା’ର ଟେର୍‌ ପାଉନାହାନ୍ତି ବିଭାଗୀୟ ଉଚ୍ଚାଧିକାରୀ। ସର୍ଜରି, ମେଡ଼ିସିନ୍‌, ପ୍ରସୂତି ଓ ସ୍ତ୍ରୀ’ରୋଗ, ଶିଶୁରୋଗ ବିଭାଗ ସମେତ ଦୁର୍ଘଟଣାର ଶିକାର ରୋଗୀଙ୍କୁ ମିଶାଇ ଆର୍‌ଜିଏଚ୍‌ରୁ ଦୈନିକ ୧୦ରୁ ୧୫ ଜଣଙ୍କୁ ଘରୋଇ ହସ୍ପିଟାଲକୁ ପଠାଯାଉଛି। ଏଥିରେ ଆର୍‌ଜିଏଚ୍‌ର ବିଭିନ୍ନ ବିଭାଗରେ କାର୍ଯ୍ୟରତ କିଛି ଡାକ୍ତର, ଆଟେଣ୍ଡାଣ୍ଟ ଓ କର୍ମଚାରୀଙ୍କ ଭୂମିକା ରହିଥିବା ଅଭିଯୋଗ ହେଉଛି। ଯେଉଁମାନେ ଘରୋଇ ହସ୍ପିଟାଲ ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି। ସେ ବାବଦରେ ସେମାନେ ମଧ୍ୟ ମାସକୁମାସ ମୋଟା ଅଙ୍କର କମିସନ୍‌ ପାଉଛନ୍ତି। ଦୁର୍ନୀତି ଅଭିଯୋଗରେ ହସ୍ପିଟାଲ୍‌ ମ୍ୟାନେଜର ମୋହିତ ଶ୍ରୀବାସ୍ତବ ଚାକିରିରୁ ବହିଷ୍କୃତ ହେବା ପୂର୍ବରୁ ଆର୍‌ଜିଏଚ୍‌ର ଏକ ଅଡିଓ ଭାଇରାଲ ହେଉଛି।

ଅଡିଓରେ ଆର୍‌ଜିଏଚ୍‌ ସର୍ଜରି ବିଭାଗର ଜଣେ ଆଟେଣ୍ଡାଣ୍ଟ ଘରୋଇ ହସ୍ପିଟାଲର ନର୍ସଙ୍କ ସହ ରୋଗୀ ପଠାଇବା ସମ୍ପର୍କରେ କଥା ହେଉଛନ୍ତି। ଆଟେଣ୍ଡାଣ୍ଟ ଜଣକ ଅଡିଓରେ କହୁଛନ୍ତି, ଘରୋଇ ହସ୍ପିଟାଲକୁ କେବଳ ସେ ନୁହେଁ, ଅନ୍ୟ ବିଭାଗର ଆଟେଣ୍ଡାଣ୍ଟ ଓ କର୍ମଚାରୀ ପ୍ରତିଦିନ ରୋଗୀ ପଠାଉଛନ୍ତି। ପୂର୍ବ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କ ସମୟରେ କୌଣସି ସମସ୍ୟା ହେଉନଥିଲା। ନୂଆ ନିର୍ଦ୍ଦେଶକ ଡାକ୍ତର ଗଣେଶ ପ୍ରସାଦ ଦାସଙ୍କ ଯୋଗଦାନ ପରେ ଆର୍‌ଜିଏଚ୍‌ର ପ୍ରତ୍ୟେକ ବିଭାଗର ଦୁର୍ନୀତି ପଦାକୁ ଆସୁଛି। ତେଣୁ ପୂର୍ବପରି ଆର୍‌ଜିଏଚ୍‌ କ୍ୟାମ୍ପସ୍‌ ଭିତରେ ଟଙ୍କା ନଦେଇ ବାହାରେ ଦିଅନ୍ତୁ। ଯଦି ଠିକ୍‌ ସମୟରେ ଘରୋଇ ହସ୍ପିଟାଲକୁ ପଠାଯାଇଥିବା ରୋଗୀପିଛା ଟଙ୍କା ନ ମିଳେ, ତା’ହେଲେ ଆର୍‌ଜିଏଚ୍‌ରୁ ରୋଗୀ ପଠାଇବା ବନ୍ଦ କରି ଦିଆଯିବ। ଏହି ଚାଞ୍ଚଲ୍ୟକର ଅଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ସନ୍ଦେହ ଘେରରେ ରହିଥିବା ପ୍ରସୂତି ଓ ସ୍ତ୍ରୀ’ରୋଗ, ଶିଶୁରୋଗ, ମେଡିସିନ୍‌, ସର୍ଜରି, ଜଳାପୋଡ଼ା ଆଦି ବିଭାଗରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଗଲେ ଏଭଳି ବେଆଇନ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅସଲ ଚେହେରା ସାମ୍‌ନାକୁ ଆସିପାରନ୍ତା ବୋଲି କହାଯାଉଛି। ଏ ସମ୍ପର୍କରେ ଆର୍‌ଜିଏଚ୍‌ ନିର୍ଦ୍ଦେଶକ ଡାକ୍ତର ଗଣେଶ ପ୍ରସାଦ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଲିଖିତ ଅଭିଯୋଗ ଆସିଲେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ। ରୋଗୀମାନଙ୍କୁ ଶୋଷଣ କରୁଥିବା ଏଭଳି ଡାକ୍ତର, ଆଟେଣ୍ଡାଣ୍ଟ ଓ କର୍ମଚାରୀଙ୍କୁ ଆଦୌ ଛଡ଼ାଯିବ ନାହିଁ।