ଝରିଗାଁ: ଗାଁକୁ ଭଲ ରାସ୍ତା ଟିଏ ନାହିଁ। ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ରାସ୍ତା ନଥିବା ଯୋଗୁଁ ପ୍ରାୟ ୩ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରହିଗଲା। ଶେଷରେ ଖଟିଆରେ ପ୍ରାୟ ୨ କିଲୋମିଟର ଦୂର ଘାଟି ରାସ୍ତାରେ ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଂଚାୟତ ଅନ୍ତର୍ଗତ ଉପାନ୍ତ କୁନିନାଲ ଗ୍ରାମରେ।

Advertisment

ସୂଚନା ପ୍ରକାରେ କୁନିନାଲ ଗ୍ରାମର ଖଗପତି ଜାନୀଙ୍କ ସ୍ତ୍ରୀ ସୁମିତ୍ରା ଜାନୀଙ୍କୁ ଆଜି ସନ୍ଧ୍ୟା ସମୟରେ ହଠାତ ପ୍ରସବ ଜନିତ ପେଟ ବ୍ୟଥା ହୋଇଥିଲା। କୁନିନାଲ ଗ୍ରାମରେ କୌଣସି ନେଟୱର୍କ ନଥିବା ବେଳେ ଗ୍ରାମରୁ କିଛି ଦୂରରେ ଥିବା ପାହାଡ଼ ଉପରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଚଡ଼ି ପରିବାର ଲୋକ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଖବର ପାଇ ତୁରନ୍ତ କୁନିନାଲ ଗ୍ରାମ ଅଭିମୁଖେ ବାହାରିଥିଲା। କୁନିନାଲ ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ଖଦରାପାଣି ଗ୍ରାମ ଠାରୁ ଅଧ କିଲୋମିଟର ଦୂର ଯିବା ପରେ ଆମ୍ବୁଲାନ୍ସ ଗାଡି ରହିଯାଇଥିଲା। ଏହି ଖବର ପାଇବା ପରେ ପରିବାର ଲୋକ କୌଣସି ଉପାୟ ନପାଇ ଗ୍ରାମବାସୀଙ୍କ ସାହାଯ୍ୟରେ ପ୍ରାୟ ୨ କିଲୋମିଟର ଦୂର ଘାଟି ରାସ୍ତାରେ ଏକ ଖଟିଆରେ ଗର୍ଭବତୀ ମହିଳା ସୁମିତ୍ରାଙ୍କୁ ଅନ୍ଧାର ରାତିରେ ମୋବାଇ ଲାଇଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ।ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସୁମିତ୍ରା ସୁସ୍ଥ ଥିବା ସୂଚନା ମିଳିଛି।

publive-image

ଏଠାରେ ପ୍ରକାଶ ଯେ ଗତ ୧୦ ଦିନ ତଳେ କୁନିନାଲ ଗ୍ରାମର ଲୁଲୁ ମୁଦୁଲିଙ୍କ ୪ ମାସର ଗର୍ଭବତୀ ମହିଳା ସବି ମୁଦୁଲିଙ୍କୁ ହଠାତ ପେଟ ବ୍ୟଥା ହୋଇଥିଲା। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିବା ପାଇଁ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପାଇଁ ପଡିଥିଲା। ଦଶ ଦିନ ମଧ୍ୟରେ ଏହା କୁନିନାଲ ଗ୍ରାମରେ ଦ୍ଵତୀୟ ଘଟଣା ଘଟିଥିବା ବେଳେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି।ସେହିପରି ଉପାନ୍ତ ଅଞ୍ଚଳରେ ଥିବା ଗର୍ଭବତୀ ମହିଳା ମାନଙ୍କୁ ମାଗଣା ରହିବା ଓ ଖାଇବା ସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଝରିଗାଁ ଠାରେ ପ୍ରଶାସନ ପକ୍ଷରୁ ମା ଗୃହ ରହିଛି।ମା ଗୃହ ରହିବା ପରେ ମଧ୍ୟ ଉପାନ୍ତ ଅଞ୍ଚଳର ଗର୍ଭବତୀ ମହିଳା ମାନେ ଏହାର ଫାଇଦା ପାଉ ନଥିବାର ଦେଖିବାକୁ ମିଳିଛି।

ଝରିଗାଁ ବ୍ଳକର ୬୦ରୁ ଊର୍ଦ୍ଧ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ସେହିପରି ବହୁ ଉପାନ୍ତ ଅଂଚଳରେ ରହି ଥିବା ଗ୍ରାମ ଗୁଡିକ ପାଦ ଚଲା ରାସ୍ତା ଉପରେ ନିର୍ଭର କରୁଛନ୍ତି। ଏହି ଭଳି ଉପାନ୍ତ ଗ୍ରାମ ଗୁଡିକୁ ଆମ୍ବୁଲାନ୍ସ ଯାଇ ପାରୁନାହିଁ।ଫଳରେ ଗ୍ରାମର ରୋଗୀ ଏବଂ ଗର୍ଭବତୀ ମହିଳା ମାନଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବହି ଆଣିବା ପାଇଁ ପଡୁଛି। ତେଣୁ ପ୍ରଶାସନ ରାସ୍ତା ନଥିବା ଗ୍ରାମ ଗୁଡିକୁ ଚିହ୍ନଟ କରି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।