ଘୁମୁସର ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ମାତ୍ର ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଦୀର୍ଘ ବର୍ଷ ହେଲା ବହୁ ସମସ୍ୟା ଦେଇ ଗତି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବା ବେଳେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମିଶେଇ ସମୁଦାୟ ୮ ଜଣ ନୂତନ ଏମବିବିଏସ ପାସ ଡାକ୍ତର ରୋଗୀ ସେବାରେ ନିୟୋଜିତ ଥିଲେ। କିନ୍ତୁ କିଛିମାସ ହେବ ଓପିଏସସିରେ ପୋଷ୍ଟିଙ୍ଗ୍ ପାଇ ୪ ଜଣ କାର୍ଯ୍ୟରତ ଡାକ୍ତର ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଗଲେ।

Advertisment

ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ ଅଫିସରଙ୍କ ସହ ୪ ଜଣ ଡାକ୍ତର କାର୍ଯ୍ୟରତ ଥିବା ବେଳେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ଫଳରେ ଡାକ୍ତରଖାନାରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବା ଯୋଗୁଁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବହୁ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନରେ ଠିଆ ହୋଇ ଚିକିତ୍ସା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ରୋଗୀଙ୍କ କହିବା ଅନୁସାରେ ରୋଗ କଷ୍ଟ ଠାରୁ ବଳି ଯାଉଛି ଡାକ୍ତରଙ୍କ ସହ ସାକ୍ଷାତ କରିବା କଷ୍ଟ।

ସ୍ଥାନୀୟ ଅଞ୍ଚଳବାସୀ ଡାକ୍ତର ଅଭାବ କାରଣରୁ ହେଉଥିବା ଅସୁବିଧା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିବା ସହ ଯଥା ଶୀଘ୍ର ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ଡାକ୍ତରଙ୍କୁ ନିଯୁକ୍ତି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ଏ ନେଇ ପୂର୍ବରୁ ବହୁ ଥର ୫ଟି ସଚିବଙ୍କୁ ଲିଖିତ ନିବେଦନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ତା ସହ ବିଭିନ୍ନ ଖବର କାଗଜରେ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ନେଇ ଖବର ପ୍ରସାରଣ କରାଯାଇଥିଲା କିନ୍ତୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ନୀରବ ରହିବା ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

ଅନ୍ୟପକ୍ଷରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାଜସଜ୍ଜା ପ୍ରବଳ। ବାହାର ସୌନ୍ଦର୍ଯ୍ୟ ହେଉ କି ପରିବେଶ ବଗିଚା ହେଉ କି ସୌନ୍ଦର୍ଯ୍ୟକରଣ ସବୁଥିରେ ଆଗୁଆ ସେଇଭଳି ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ମଧ୍ୟ ସବୁ ଚକାଚକ ୱେବ ସବୁ ଥିରେ ଆଗୁଆ ହେଲେ ରୋଗୀ ସେବାରେ ପଛୁଆ ତାର କାରଣ ବିଶେଷଜ୍ଞ ଡାକ୍ତର ଅଭାବ। ସାମାନ୍ୟ ରୋଗ ପାଇଁ ଖର୍ଚ୍ଚ କରି ଦୂରଦୂରାନ୍ତ ବ୍ରହ୍ମପୁର, ଭୁବନେଶ୍ୱର କିମ୍ବା କଟକ ଯିବାକୁ ପଡୁଛି। ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ମହିଳାମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଛୁଆ ଜନ୍ମ ହେବା ପରେ ଶିଶୁର ସ୍ୱାସ୍ଥ୍ୟ ଖରାପ ହେଲେ ପୁଣି କଅଁଳ ଶିଶୁ ଧରି ବ୍ରହ୍ମପୁର ଯିବାକୁ ପଡୁଛି।

କହିବାକୁ ଗଲେ ନାମ କୁ ମାତ୍ର ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଏକ ରେଫେରାଲ ହସ୍ପିଟାଲ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୀର୍ଘ ବର୍ଷ ଧରି ସମସ୍ତ ବିଶେଷଜ୍ଞ ଡାକ୍ତର ପଦବି ଖାଲି ପଡିବା ପରେ ସ୍ଥାନୀୟ ଅଞ୍ଚଳ ବାସୀ ବିଭିନ୍ନ ସମୟରେ ସରକାରଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ ସହ ରାଜରାସ୍ତାକୁ ବି ଓଲ୍ହେଇ ଛନ୍ତି ଆନ୍ଦୋଳନ କରିଛନ୍ତି ହେଲେ ଫଳ ଶୁନ।ବର୍ତମାନ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟାକୁ ମୁଖ୍ୟ ମୁଦ୍ଦା ଭାବେ ଉପସ୍ଥାପନ କରିବା ନିମନ୍ତେ ବିଭିନ୍ନ ସଂଗଠନ ପ୍ରସ୍ତୁତ ହେଉଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏହାର ପ୍ରଭାବ ଆଗାମୀ ନିର୍ବାଚନ ରେ ପଡିବା ନିଶ୍ଚିତ।