ସୁନ୍ଦରଗଡ଼: ତାରିଖ ଅଗଷ୍ଟ ୧୦। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର (ଏମସିଏଚ) ଅସ୍ତ୍ରୋପଚାର କକ୍ଷରୁ ନବଜାତ ଶିଶୁ ସହ ଜଣେ ମା’ ସ୍ଥାନାନ୍ତର ହୋଇ ଆସିଲେ ପ୍ରଥମ ମହଲାର ସ୍ବତନ୍ତ୍ର ବାତାନୁକୂଳ ପ୍ରସୂତି ୱାର୍ଡକୁ। କିନ୍ତୁ ୱାର୍ଡରେ ଲାଗିଥିବା ୩ଟି ଏସି ବନ୍ଦ ଥିଲା। ୱାର୍ଡରେ ଥିବା ନବଜାତ ସହ ୧୨ରୁ ଅଧିକ ପ୍ରସୂତି ଗରମରେ ଛଟପଟ ହେଉଥିଲେ। ସଦ୍ୟ ଅସ୍ତ୍ରୋପଚାର ହୋଇ କକ୍ଷକୁ ଆସିଥିବା ମହିଳାଙ୍କ ସ୍ବାମୀ ଏ ସମ୍ପର୍କରେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପଚାରିବା ପରେ କୁହାଗଲା ଏସି ଖରାପ ଅଛି। ଏହା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ସେ କହିଥିଲେ, ‘ନିକଟରେ ଏସି ମରାମତି କରାଯାଇଥିଲା, ଏପରିକି କିଛି ନୂଆ ଲଗାଯାଇଥିଲା। ଏତେ ଶୀଘ୍ର ଅଚଳ ହେବା କଥା ନୁହେଁ, ମୁଁ ଦେଖୁଛି’ ବୋଲି କହିଥିଲେ। କିନ୍ତୁ ଏସିଗୁଡ଼ିକ ସେମିତି ବନ୍ଦ ପଡ଼ିଥିଲା। ଖରାପ ଅଛି, ମରାମତି ହେଲେ ଚାଲିବ ଭାବି ସମସ୍ତେ ନିରବ ହୋଇଯାଇଥିଲେ। ହେଲେ ୧୧ ତାରିଖରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ପାଇଥିଲେ ପ୍ରସୂତି ଓ ସେମାନଙ୍କ ପରିବାର ଲୋକେ। ପୂର୍ବାହ୍ନ ୧୦ଟାରେ ଅସ୍ତ୍ରୋପଚାର କକ୍ଷରୁ ପ୍ରସୂତି ୱାର୍ଡକୁ ସ୍ଥାନାନ୍ତର ହୋଇ ଆସିଲେ ଜଣେ ମହିଳା। ତାଙ୍କ ଗର୍ଭାଶୟ ଅସ୍ତ୍ରୋପଚାର ହୋଇଥିବା ସୂଚନା ମିଳିଥିଲା। ସେ ଶଯ୍ୟାକୁ ଆସିବା କ୍ଷଣି ଜଣେ କର୍ମଚାରୀ ତରତର ହୋଇ ଆସି ୩ଟି ଯାକ ଏସି ଚଲାଇ ଦେଇଥିଲେ। ଅନ୍ୟ ପ୍ରସୂତି ଓ ସେମାନଙ୍କ ସମ୍ପର୍କୀୟ ହାଁ କରି ଅନାଇଥିଲେ।
ମନରେ ପ୍ରଶ୍ନ ଉଠିଲା। କିଏ ଏହି ମହିଳା, ଯିଏ ଭର୍ତ୍ତି ହେବା କ୍ଷଣି ଅଚଳ ଥିବା ଏସିଗୁଡ଼ିକ ସଚଳ ହୋଇଗଲା। ବୁଝୁବୁଝୁ ଜଣାପଡ଼ିଲା, ମହିଳା ଜଣକ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ବଡ଼ ସେବିକାଙ୍କ ସମ୍ପର୍କୀୟ। ଖରାପ ଏସି କିପରି ଚାଲିଲା ବୋଲି ସେତେବେଳେ କେହି କେହି ପଚାରି ଦେଇଥିଲେ। ରୁକ୍ଷ ଉତ୍ତର ମିଳିଥିଲା, ‘କେବେ ଖରାପ ଥିଲା, ଏବେ ତ ଚାଲୁଛି’। କାନମୁଣ୍ଡ ଆଉଁସି ଚୁପ୍ ରହିଥିଲେ ଅନ୍ୟ ସାଧାରଣ ପ୍ରସୂତି। ତେବେ ଏମସିଏଚରେ ସାଧାରଣ ଗର୍ଭବତୀ ଓ ପ୍ରସୂତିଙ୍କ ସେବାରେ ଅବହେଳା ଓ ମନମାନୀ ଏତିକିରେ ସରି ଯାଇ ନାହିଁ। ପାଇଖାନା ଅସନା ହୋଇ ପଡ଼ିଥିବା ବେଳେ ନିୟମିତ ସଫା ହେଉ ନଥିବା ଓ ପିଇବା ପାଣି ପାଇଁ ଥିବା ଆକ୍ବାଗାର୍ଡ ମଧ୍ୟ ବନ୍ଦ ଥିବା ଅଭିଯୋଗ ହୋଇଛି। ଗର୍ଭବତୀ ଓ ପ୍ରସୂତିଙ୍କ ସମ୍ପର୍କୀୟ ଉପର ମହଲାକୁ ଯାଇ ପାଣି ଆଣୁଥିବା ପ୍ରକାଶ କରିଥିଲେ। ସେବିକା ବା କର୍ମଚାରୀଙ୍କୁ କିଛି ସମସ୍ୟା ଓ ଅସୁବିଧା ସମ୍ପର୍କରେ କହିଲେ ଚିଡ଼ି ଯାଇ ନିଜ କାମ ନିଜେ କର କହି ରୁକ୍ଷ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।
ଉଲ୍ଲେଖଯୋଗ୍ୟ, ଗତ ମେ’ ମାସର ଅସହ୍ୟ ଗରମ ସମୟରେ ଏମସିଏଚ୍ର ୪୦ରୁ ଅଧିକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ଅଚଳ ହୋଇପଡ଼ିଥିଲା। ଯାହା ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗର୍ଭବତୀ, ପ୍ରସୂତି ଓ ନବଜାତ ଶିଶୁ ଅସହ୍ୟ ତାତିରେ ସିଝିଥିଲେ। ପରିଚାଳନାଗତ ତ୍ରୁଟି, ଅବ୍ୟବସ୍ଥା ଓ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏସିଗୁଡ଼ିକର ମରାମତି କରାଯାଇଥିଲା। ତେବେ ସ୍ବତନ୍ତ୍ର କକ୍ଷରେ କର୍ମଚାରୀଙ୍କ ମନମାନୀ ଯୋଗୁ ପ୍ରସୂତିମାନେ ଛଟପଟ ହେବା ଆଲୋଡ଼ନ ସୃଷ୍ଟି କରିଛି। କର୍ତ୍ତୃପକ୍ଷ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।