ରାୟଗଡ଼ା: ମାର୍ଗଦର୍ଶିକା ଜାରି କରି ସ୍ୱର୍ଶଜନୀତ ସଂକ୍ରମଣ ଆଖିଧରା ରୋଗରୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ। ବର୍ତ୍ତମାନ ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁର ଭଳି ଅନ୍ୟ ଜିଲ୍ଳାର ଅନେକାଂଚଳରେ ଆଖିଧରା ରୋଗ ବ୍ୟାପିଥିବା ବେଳେ ଏବେ ରାୟଗଡା ସହରାଂଚଳ ସମେତ ଏହାର ଆଖପାଖ ଗ୍ରାମାଂଚଳରେ ଏହି ରୋଗ ବ୍ୟାପିଥିବା ଜଣାପଡିଛି। ଜିଲ୍ଳାର ଶିକ୍ଷା ଓ କଲ୍ୟାଣ ବିଭାଗର ଅନେକ ହଷ୍ଟେଲଗୁଡିକରେ ରହୁଥିବା ଅନ୍ତେବାସୀ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟଗୁଡିକରେ ଅଧ୍ୟୟନରତ ଅନେକ ଛାତ୍ରଛାତ୍ରୀ ଆଖିଧରା ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି। ଗତ ଦୁଇ ତିନି ଦିନ ହେବ ଦୈନିକ ଶତାଧିକ ଆକ୍ରାନ୍ତ ରୋଗୀଙ୍କ କେସ୍ ଦେଖିବାକୁ ମିଳୁଛି ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ। ବିଶେଷ କରି କୁନି କୁନି ପିଲାଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି।
ଆଜି ମଧ୍ୟ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବର୍ହି ବିଭାଗରେ ଆଖିଧରା ଆକ୍ରାନ୍ତ ରୋଗୀଙ୍କୁ ଦେଖିବାକୁ ମିଳିଥିଲା। ଚକ୍ଷୁ ବିଶେଷଞ ଡାକ୍ତର ଏମ.ସୁରେଶ କୁମାର ଆଖିଧରା ରୋଗୀଙ୍କୁ ଚିକିତ୍ସା କରିବା ସହ ଉପଯୁକ୍ତ ଔଷଧ ସେବନ ଓ ଡ୍ରପ୍ ଆଖିରେ ପକାଇବା ପାଇଁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା। ଏଥିସହ ଗତ ଦୁଇ ଦିନ ମଧ୍ୟରେ ଦୈନିକ ୬୦ରୁ ଊର୍ଦ୍ଧ ଆଖିଧରା ରୋଗୀ ଚିକିତ୍ସା ପାଇଁ ଆସୁଥିବା ଡାକ୍ତର ପ୍ରକାଶ କରିଛନ୍ତି।
ସେହିପରି ଆଖିଧରା ରୋଗରେ ସଂକ୍ରମିତ ହେବା ପୂର୍ବରୁ ପ୍ରତିକାର ପାଇବା ପାଇଁ ହୋମିଓପାଥି ଔଷଧ ଉପରେ ମଧ୍ୟ ଅନେକ ଲୋକେ ହୋମିଓ କ୍ଳିନକରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ଏ ନେଇ ରାୟଗଡାର ହୋମିଓପାଥି ଡାକ୍ତର ପ୍ରେମ କୁମାର ମଧ୍ୟ ଆଖିଧରା ରୋଗୀ ତଥା ପୂର୍ବରୁ ପ୍ରତିକାର ଚାହୁଥିବା ଲୋକଙ୍କୁ ଔଷଧ ଦେଇ ସରକାରଙ୍କ ମାର୍ଗଦର୍ଶିକା ମାନି ଚଳିବାକୁ ପରାମର୍ଶ ଦେଇଛନ୍ତି। ଋତୁ ପରିବର୍ତନ ହେଲେ ଆଖିଧରା ସଂକ୍ରମଣ ରୋଗ ବ୍ୟାପିଥାଏ ବୋଲି ବିଶେଷଞଙ୍କ ମତ ରହିଛି। ଏହି ରୋଗ ପ୍ରତିରୋଧ ସଂପର୍କରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକା ପ୍ରକାରେ ସଂକ୍ରମିତ ରୋଗୀଙ୍କ ରୁମାଲ, ତଉଲିଆ, ତକିଆ କିମ୍ବା ସେ ବ୍ୟବହାର କରିଥିବା ଆଇ-ଡ୍ରପ ଅନ୍ୟମାନେ ବ୍ୟବହାର ନ କରିବା, ନିଜ ଚଷମାକୁ ନିୟମିତ ସଫା କରିବା, ସୁଇମିଂ ପୁଲ ଓ ପୋଖରୀରେ ମୁହଁ ନ ବୁଡାଇବା, ଆଖିରେ କୌଣସି ପ୍ରସାଧନ ସାମ୍ରଗୀ ବ୍ୟବହାର ନ କରିବା, ପରିଷ୍କାର କପଡ଼ା ଉଷୁମପାଣିରେ ପକାଇ ଆଖିକୁ ପୋଛିବା ଏବଂ କପଡାକୁ ଗରମ ପାଣି ଓ ଡିଟରଜେଂଟ ପାଉଡରରେ ଭିଜାଇବା ପରେ ନଷ୍ଟ କରିଦେବା, ବିନା ପରାମର୍ଶରେ କୈାଣସି ଆଖି ଔଷଧ ବ୍ୟବହାର ନ କରିବା ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେନତ କରାଯାଇଛି।