ବାଜି ଜିତିବାକୁ ବେଦୁ-ବିଜୟ-ଜୟନ୍ତଙ୍କ ରଣନୀତି

ପ୍ରସଙ୍ଗ ହେବ ଭତ୍ତା, ରାସ୍ତା, ପାଣି, ଜଳସେଚନ ଆଉ ଜଳ ନିଷ୍କାସନ

ଗରଦପୁର/ମାର୍ଶାଘାଇ : ରାଜ୍ୟ ରାଜନୀତିରେ ଏବେ ଫୋକସରେ ରହିଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ତଳୀରେ ଆରମ୍ଭ ହୋଇଗଲାଣି ପ୍ରଚାର ଯୁଦ୍ଧ। ତିନି ପ୍ରମୁଖ ରାଜନୈୖତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ବିଧାୟକ ବେଦପ୍ରକାଶ ଅଗ୍ରୱାଲ ବୟସାଧିକ୍ୟ ସମସ୍ୟା ସତ୍ତ୍ବେ ବିଜେଡି ଗଡ଼ ପୁଣି ସୁରକ୍ଷିତ ରଖିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। କିନ୍ତୁ ବିଜେପି ପ୍ରାର୍ଥୀ ଭାବେ ବରିଷ୍ଠ ନେତା ବିଜୟ ମହାପାତ୍ର ଏଥର ପାଟକୁରା ମାଟିରେ ନିଜର ବିଜୟ ବାନା ଉଡାଇବାକୁ ବଦ୍ଧପରିକର ହୋଇ ରଣନୀତି ପ୍ରସ୍ତୁତ କରୁଛନ୍ତି।

ଦୀର୍ଘ ୪୦ ବର୍ଷରୁ ଅଧିକ ହେଲାଣି ଏହି ମର୍ଯ୍ୟାଦାଜନକ ଆସନ ଅଣକଂଗ୍ରେସ ଦଳ ଦଖଲରେ ରହି ଆସିଛି। ୧୯୫୨, ୧୯୫୭, ୧୯୬୨ରେ କଂଗ୍ରେସ ଟିକେଟରେ ଲୋକନାଥ ମିଶ୍ର ଏଠି ନିର୍ବାଚନ ଲଢି ହାଟ୍ରିକ ବିଜୟ ହାସଲ କରିଥିଲେ। ବିଧାନସଭାର ବାଚସ୍ପତି ମଧ୍ୟ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହା କଂଗ୍ରେସ ହାତରୁ ଖସି ଯାଇଥିଲା। ୧୯୮୫ରେ ଇନ୍ଦିରା ଗାନ୍ଧୀଙ୍କ ନିଧନ ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସାରା ରାଜ୍ୟରେ କଂଗ୍ରେସ ସପକ୍ଷରେ ବାତାବରଣ ଥିଲାବେଳେ କଂଗ୍ରେସ ଏଠାରୁ କିନ୍ତୁ ଜିତି ପାରି ନଥିଲା। ୧୯୮୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହି ଅଣକଂଗ୍ରେସ ଗଡ଼ର ନେତୃତ୍ବ ନେଇ ବିଜୟ ମହାପାତ୍ର ବିଧାନସଭାରେ ପ୍ରତିନିଧିତ୍ବ କରିଥିଲେ। କିନ୍ତୁ ୨୦୦୦ ନିର୍ବାଚନରେ ପାଟକୁରାରେ ଦେଖିବାକୁ ମିଳିଥିଲା ଭିନ୍ନ ରାଜନୀତି। ଶେଷ ମୁହୂର୍ତ୍ତରେ ବିଜୟଙ୍କ ଟିକେଟ କଟିବାରୁ ତାଙ୍କ ସମର୍ଥନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତ୍ରିଲୋଚନ ବେହେରା ନିର୍ବାଚିତ ହୋଇଥିଲେ। ୨୦୦୦ରୁ୨୦୦୪ ପର୍ଯ୍ୟନ୍ତ ସେ ପାଟକୁରା ବିଧାୟକ ରହିବା ସହ ପରେ ବିଜେଡିରେ ମିଶି ଯାଇଥିଲେ। ୨୦୦୪ ନିର୍ବାଚନରେ ବିଜୟ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ବି ହାରି ଯାଇଥିଲେ। ପରେ ସେ ମହାକାଳପଡ଼ାରୁ ଭାଗ୍ୟ ପରୀକ୍ଷା କରି ଆସୁଥିଲେ ବି ଭାଗ୍ୟ ତାଙ୍କ ସାଥ୍ ଦେଇ ନ ଥିଲା।

୨୦୦୪ରୁ ବିଜୁ ଜନତା ଦଳ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ଜିତି ଆସୁଛି। ୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ ପାଟକୁରା ନିର୍ବାଚନ ମଣ୍ତଳୀ ଦୁଇଭାଗ ହୋଇଯାଇଛି। ଡେରାବିଶ ବ୍ଲକ, ଗରଦପୁର ବ୍ଲକ ଓ ମାର୍ଶାଘାଈ ବ୍ଲକର ୭ଟି ପଂଚାୟତକୁ ନେଇ ପୁନର୍ଗଠିତ ପାଟକୁରା ନିର୍ବାଚନ ମଣ୍ତଳୀରେ ଲଗାତର ବେଦପ୍ରକାଶ ଅଗ୍ରୱାଲ ୨ଥର ନିର୍ବାଚନ ଜିଣି ସାରିଛନ୍ତି। ବୟସାଧିକ୍ୟ ସତ୍ତ୍ବେ ଏଥର ବି ବିଜେଡି ପୁଣି ବେଦପ୍ରକାଶଙ୍କ ଉପରେ ଭରସା କରିଛି। କିନ୍ତୁ ଏବେ ବେଦପ୍ରକାଶଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁଙ୍କ ଦଳବଦଳ। ସରୋଜ ଏବେ ବିଜେପିରେ ସାମିଲ ହେବା ସହ ବିଜୟଙ୍କ ଶକ୍ତି ବୃଦ୍ଧି କରିଛନ୍ତି। ବିଜୟ ବି ମାଟିର ପୁଅ ନାରା ଦେଇ ପୂରା ଜୋର୍‌ ଲଗାଇ ଦେଇଛନ୍ତି। ଶାସକ ବିଜେଡି ଦଳରେ ଥିବା କର୍ମୀ ଅସନ୍ତୋଷକୁ ସାଉଁଟି ବିଜୟ ନିଜର ଝୁଲା ଭର୍ତି କରିବାରେ ଲାଗି ପଡିଛନ୍ତି। ବିଭିନ୍ନ ପଂଚାୟତରେ ରାଜନୈୖତିକ କର୍ମୀ ବିଜୟଙ୍କ ସହିତ ହାତ ମିଶାଉଥିଲାବେଳେ ଅନ୍ୟପଟେ ପରସ୍ପର ମଧ୍ୟରେ ଦୀର୍ଘ ଦିନରୁ ରହିଥିବା ମନୋମାଳିନ୍ୟକୁ ଭୁଲି ଅତନୁ ଓ ବେଦପ୍ରକାଶ ଗୋଷ୍ଠୀ ଏକାଠି ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବତନ ବିଧାୟକ ଉତ୍କଳକେଶରୀ ପରିଡା ଓ ଶ୍ରମିକନେତା ଅଶୋକ ତ୍ରିପାଠୀଙ୍କୁ ବିଜେଡି ନିଜ ସହ ନେଇ ପାରିଛି।

ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ବି ପ୍ରଚାରରେ କୌଣସି ପ୍ରକାର ତ୍ରୁଟି ରଖିବାକୁ ଚାହୁଁ ନାହାନ୍ତି। ଗତ ନିର୍ବାଚନରେ ୪୨ ହଜାର ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିବା ଜୟନ୍ତ ପରିବର୍ତ୍ତିତ ସ୍ଥିତିରେ ଅନ୍ୟ ଦଳର ଭୋଟ ବିଭାଜନରେ ନିଜର ବିଜୟ ଆଶା କରୁଛନ୍ତି। ପାଟକୁରାରେ ରହିଛନ୍ତି ମୋଟ ୧୧ ଜଣ ପ୍ରାର୍ଥୀ। କିନ୍ତୁ ତିନି ଦଳର ପ୍ରମୁଖ ପ୍ରାର୍ଥୀ ଏବେ ପ୍ରଥମେ ଦଳ ଭିତରେ ଥିବା ଅସନ୍ତୋଷ ଦୂର କରିବାକୁ ଉଦ୍ୟମ କରିବା ସହ ଅନ୍ୟ ଦଳର ନେତା ଓ କର୍ମୀଙ୍କୁ ନିଜ ଆଡକୁ ଟାଣିବାରେ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ ପାଟକୁରାରେ ବେଦପ୍ରକାଶ-ବିଜୟ-ଜୟନ୍ତ ଲଢେଇ ସା‌ରା ଜିଲ୍ଲାରେ ଉଷ୍ମତା ଆଣିବା ସହ ପାଟକୁରାବାସୀଙ୍କୁ ବି ଉତ୍ସାହିତ କରୁଛି।

ସମ୍ବନ୍ଧିତ ଖବର