ଭୁବନେଶ୍ବର : ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହେବ ଭୋଟ ଗ୍ରହଣ। ୧ ମାସ ୧୪ ଦିନ ପରେ ଭାରତ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ଆସନ ପାଇଁ ଭୋଟଦାନ କରିବାକୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୪ ତାରିଖରେ ଭୋଟ ଗଣତି ହେବା ସହ ୨୬ ତାରିଖ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରାଯିବ। ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।
ନିର୍ବାଚନ କମିସନଙ୍କ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୯୬-ପାଟକୁରା ବିଧାନସଭା ଆସନ ପାଇଁ ପ୍ରଥମେ ଏପ୍ରିଲ ୨୯ ତାରିଖରେ ଭୋଟ ଗ୍ରହଣ ପାଇଁ ବିଜ୍ଞପ୍ତି ହୋଇଥିଲା। କିନ୍ତୁ ଏପ୍ରିଲ ୨୦ ତାରିଖରେ ବିଜେ଼ଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ଦେହାନ୍ତ ହେବାରୁ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଅର୍ଥାତ ଗତ ମେ ୧୯ ତାରିଖରେ ନିର୍ବାଚନ କରିବାକୁ ନିର୍ବାଚନ କମିସନଙ୍କ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପାଟକୁରା ନିର୍ବାଚନ ସ୍ଥଗିତ ରଖିବାକୁ କମିସନଙ୍କୁ ସୁପାରିସ କରିଥିଲେ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିସ କ୍ରମେ ନିର୍ବାଚନ କମିସନ ମେ ୬ ତାରିଖରେ ୬୦ ଦିନ ପାଇଁ ପାଟକୁରା ନିର୍ବାଚନକୁ ସ୍ଥଗିତ ରଖିଥିଲେ। ଏବେ ଜିଲ୍ଲାରେ ସ୍ଥିତି ସୁଧୁରିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାନି ସୁପାରିସ ଅନୁଯାୟୀ ଆଜି ନିର୍ବାଚନ ତାରିଖ ଘୋଷଣା କରାଯାଇଛି।
ପ୍ରକାଶଥାଉକି, ମେ ୩ ତାରିଖରେ ସାମୁଦ୍ରିକ ବାତ୍ୟା ଫନିରେ କେନ୍ଦ୍ରାପଡ଼ା ସମେତ ଉପକୂଳର ୬ଟି ଜିଲ୍ଲା ପ୍ରଭାବିତ ହୋଇଥିଲା। ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦର୍ଶାଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନିର୍ବାଚନକୁ ସ୍ଥଗିତ ରଖିବା ସହ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବଳବତ୍ତର ଥିବା ଆଦର୍ଶ ଆଚରଣ ବିଧିକୁ ସାମୟିକ ଉଠାଇ ଦେବାକୁ ଦିଲ୍ଲୀ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଥିେଲ। ପାଟକୁରା ନିର୍ବାଚନ ପାଇଁ ସ୍ବର୍ଗତଃ ବେଦ ପ୍ରକାଶ ଅଗ୍ରଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପିରୁ ବିଜୟ ମହାପାତ୍ର, କଂଗ୍ରେସର ଜୟନ୍ତ କୁମାର ମହାନ୍ତିଙ୍କ ସମେତ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।
ଏବେ ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ପରେ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଆଚରଣ ବିଧି ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପାଇଁ ପ୍ରଯୁଜ୍ୟ ହେବ।