ପାଟକୁରା ନିର୍ବାଚନ ଧାର୍ଯ୍ୟ ତାରିଖରେ ହେଉ: ବିଜେପି

ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ, ମୁଖ୍ୟ ନିର୍ବାଚନ କମିସନ୍ ଓ ସିଇଓଙ୍କୁ ଦାବିପତ୍ର

ଭୁବନେଶ୍ବର : ପାଟକୁରା ନିର୍ବାଚନ ଦୁଇ ମାସ ଘୁଞ୍ଚାଇବା‌ ନେଇ ନିର୍ବାଚନ କମିସନ୍‌ ଘୋଷଣା କଲା ପରେ ବିଜେପି ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରଇଛି। ସ‌ାରା ଦେଶରେ ଠିକ୍ ସମୟରେ ନିର୍ବାଚନ ଚାଲିଥିଲା ବେଳେ କିଛି କାରଣ ନ ଥାଇ ପାଟକୁରା ନିର୍ବାଚନକୁ ବିଳମ୍ବ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି। ଧାର୍ଯ୍ୟ ତାରିଖରେ ସେଠାରେ ନିର୍ବାଚନ କରିବାକୁ ଦାବି କରି ଦଳ ପକ୍ଷରୁ ଦୁଇଟି ପ୍ରତିନିଧି ମଣ୍ଡଳୀ ଆଜି ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନ୍‌ ଓ ଭୁବନେଶ୍ବରରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି।

ବିଜେପି ପକ୍ଷରୁ କୁହାଯାଇଛି, ବାତ୍ୟା ଫନି କେବଳ ପୁରୀ, ଭୁବନେଶ୍ବର ଓ କଟକକୁ କ୍ଷତି ପହଞ୍ଚାଇଥିଲା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଓ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଶେଷ କ୍ଷତି ହୋଇ ନାହିଁ। ନିର୍ବାଚନ ହାରିବା ଭୟରେ ପାଟକୁରା ବିଧାନସଭା ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି ଓ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ପୂର୍ବରୁ ଜାଣିଶୁଣି ବିଜେଡି ଦୀର୍ଘ ଦିନ ରୋଗ ଶଯ୍ୟାରେ ଥିବା ବେଦ ପ୍ରକାଶ ଅଗ୍ରୱାଲଙ୍କୁ ଟିକେଟ ଦେଇ ନିର୍ବାଚନ କରାଇ ନ ଦେବାର ଷଡ଼ଯନ୍ତ୍ର କରିଥିଲା। ପାଟକୁରାରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ନିର୍ବାଚନ ଜିତିବା ସ୍ପଷ୍ଟ ଥିବାରୁ ଏହି ଭୟରେ ନବୀନ ନାବୁ ଷଡ଼ଯନ୍ତ୍ର କରି ନିର୍ବାଚନ ଘୁଞ୍ଚାଇବାର ଅପଚେଷ୍ଟା କରି ଚାଲିଛନ୍ତି। ସେହିପରି ପ୍ରେମଚାନ୍ଦ ଚୌଧୁରୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଭାବେ ନିୟୋଜିତ କରାଯାଇଛି, ଯିଏ ଆଗାମୀ ଦିନରେ ବିଜେଡି ପାଇଁ କାମ କରିବେ। ଶ୍ରୀ ଚୌଧୁରୀ ଯେତେବେଳେ ଗଞ୍ଜାମର ଜିଲ୍ଲାପାଳ ଥିଲେ ସେତେବେଳେ ନବୀନ ବାବୁଙ୍କ ନାଁରେ ‌ହାଇକୋର୍ଟରେ ଥିବା ଏକ ନିର୍ବାଚନୀ ଅନିୟମିତତା ମାମଲାରେ ନିଜ ଆଡ଼ୁ ଶପଥ ପତ୍ର ଦେଇଥିଲେ। ସେଥି ପାଇଁ ହାଇକୋର୍ଟ ଶ୍ରୀ ଚୌଧୁରୀଙ୍କୁ ଭର୍ତ୍ସନା କରିଥିଲେ। ପୂର୍ବରୁ ସିଏ ବିଜୁ ଯୁବ ବାହିନୀର ସିଇଓ ଭାବେ ଦାୟିତ୍ବରେ ଥାଇ ବିଜେଡି ପାଇଁ ଭୋଟ୍‌ ମାଗିବା, ଗୁଣ୍ଡାଗର୍ଦ୍ଦି କରିବା ଓ ବେଆଇନ୍ ଭାବେ ମୋବାଇଲ ବଣ୍ଟନ କାର୍ଯ୍ୟ କରିଛନ୍ତି। ତାଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରିବାକୁ ବିଜେପି ଦାବି କରିଛି। ଏହା ସହ ମୁଖ୍ୟ ନିର୍ବାଚନ କମିସନ୍‌ ରାଜ୍ୟ ସରକାର ଓ ବିଜେଡିର ମୁଖ୍ୟ ନବୀନ ବାବୁଙ୍କ କଥାରେ ପ୍ରଭାବିତ ନ ହୋଇ ପାଟକୁରାରେ ପୂର୍ବ ଘୋଷଣ‌ା ଅନୁଯାୟୀ ମେ’ ୧୯ରେ ନିର୍ବାଚନ କରାଇବା ପାଇଁ ପ୍ରତିନିଧି ଦଳ ଦାବି କରିଛନ୍ତି।

ନୂଆଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ମୁଖପାତ୍ର ସମ୍ବିତ ପାତ୍ର ସାମିଲ ହୋଇଥିଲା ବେଳେ ସିଇଓଙ୍କୁ ଭେଟିିଥିବା ପ୍ରତିନିଧି ଦଳରେ ବିଜେପି ଉପସଭାପତି ସମୀର ମହାନ୍ତି, ରମାରଞ୍ଜନ ବଳିୟାରସିଂହ, ଗୋଲକ ମହାପାତ୍ର, ଟଙ୍କଧର ତ୍ରିପାଠୀ ଓ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର