ପାଟକୁରା ନିର୍ବାଚନ : ବିଜୟଙ୍କୁ ଭିତିରିଆ ସମର୍ଥନ ଦେଉଛନ୍ତି ବିଜେଡି ନେତା

ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରଭାରୀ ଅରୁଣ ସିଂହ ବୟାନ,

କେନ୍ଦ୍ରାପଡ଼ା : ପାଟକୁରା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବିଜେଡ଼ି ନେତାମାନେ ଭିତିରିଆ ସମର୍ଥନ କରୁଛନ୍ତି। ସବୁ ବିଧାୟକ ଓ ନେତାଙ୍କର ବିଜୟଙ୍କ ପ୍ରତି ପ୍ରଚ୍ଛନ୍ନ ସମର୍ଥନ ରହିଛି। ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଆସିଥିବା ଦଳୀୟ ମନ୍ତ୍ରୀ, ବିଧାୟକମାନଙ୍କୁ ଯଦି ଜଣ ଜଣ କରି ବନ୍ଦ କୋଠରୀରେ ପଚରାଯାଏ, ସେମାନେ ବିଜୟଙ୍କୁ ସମର୍ଥନ ଦେଉଥିବା କଥା ହିଁ କହିବେ। ବିଜେପି ସଂଗଠନ ଦାୟିତ୍ବରେ ଥିବା ଓଡ଼ିଶା ପ୍ରଭାରୀ ତଥା ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ମନ୍ତବ୍ୟ ଦେବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଦୁଇ ଦିନ ତଳେ ଦଳର ନେତା ଭୃଗୁ ବକ୍ସିପାତ୍ର ଏପରି ମନ୍ତବ୍ୟ ଦେଇଥିବା ବେଳେ ଆଜି ଶ୍ରୀ ସିଂହଙ୍କ ଏଭଳି ମନ୍ତବ୍ୟ ଚର୍ଚ୍ଚାର ଖୋରାକ ଯୋଗାଇଛି।

ରାଜ୍ୟସଭା ନିର୍ବାଚନରେ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ବିଜେଡ଼ିର ସମର୍ଥନ ନେଇ ଶ୍ରୀ ସିଂହ କହିଥିଲେ ଯେ ଆମେ ଜଣେ ଭଲ ପ୍ରାର୍ଥୀ ଦେଲୁ। ଭଲ ପ୍ରାର୍ଥୀଙ୍କୁ ସେମାନେ ସମର୍ଥନ ଦେଲେ। ଆମେ ତାକୁ ସ୍ବାଗତ କରିଛୁ। ସେହିଭଳି ଭାବେ ଆମେ ବିଜୟ ମହାପାତ୍ରଙ୍କ ଭଳି ଜଣେ ଭଲ ନେତାଙ୍କୁ ପ୍ରାର୍ଥୀ କରିଥିବାରୁ ତାଙ୍କୁ ମଧ୍ୟ ବିଜେଡ଼ି ସମର୍ଥନ ଦେବା ଉଚିତ। ବିଜେଡିର ସବୁ ବିଧାୟକ, ନେତା ବିଜୟଙ୍କୁ ଭିତିରିଆ ସମର୍ଥନ ଦେବା ଆରମ୍ଭ କରିଛନ୍ତି। ସେ ବିଧାନସଭା ଗଲେ ପାଟକୁରା ଓ ଓଡ଼ିଶା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଆଣିବେ। ପାଟକୁରାର ବିକାଶ ସମ୍ଭବ ହେବ ବୋଲି ଶ୍ରୀ ସିଂହ କହିଥିଲେ।

ସାଧାରଣ ନିର୍ବାଚନରେ ଅମିତ ସାହା ଓ ସେ ନିଜେ କହିଥିବା ମିସନ ୧୨୦ ଯେଭଳି ଫେଲ୍ ମାରିଲା, ପାଟକୁରାରେ ମଧ୍ୟ ସେହିଭଳି ପୂର୍ବାନୁମାନ ଫସର ଫାଟିଯିବ କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ କହିଥିଲେ ଯେ ବିଜେପିକୁ ୩୯ % ଭୋଟ ମିଳିଲା। ବିଜେଡ଼ିକୁ ୪୨% ଭୋଟ ମିଳିଛି। ବିପୁଳ ଟଙ୍କା ଖର୍ଚ୍ଚ କରି ବିଜେଡି ଯେଭଳି ନିର୍ବାଚନ ଲଢିଲା ସେପରି ନିର୍ବାଚନ ହେବା କଥା ‌ ବୋଲି ପ୍ରଭାରୀ ଶ୍ରୀ ସିଂହ କହିଥିଲେ।

ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର, ରାଜ୍ୟ ବିରୋଧୀ ଦଳ ଉପନତୋ ବିଷ୍ଣୁପଦ ସେଠୀ, ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ପ୍ରାର୍ଥୀ ବିଜୟ ମହାପାତ୍ର ଉପସ୍ଥିତ ନଥିଲେ।

ସମ୍ବନ୍ଧିତ ଖବର