କେନ୍ଦ୍ରାପଡା: ପାଟକୁରା ବିଧାନସଭା ନିର୍ବାଚନକୁ ବନ୍ଦ କରିବାକୁ ସୁପରିକଳ୍ପିତ, ବିଧିବଦ୍ଧ ଷଡ଼ଯନ୍ତ୍ର ଚାଲିଛି ବୋଲି ପାଟକୁରା ବିଧାନସଭା ପ୍ରାର୍ଥୀ ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି । ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ କା'କୁ ଏଠାରେ ନିର୍ବାଚନ ଲଢ଼ିବାକୁ ନ ପଠାଇ ସତ୍‌ସାହତ ଥିଲେ ନିଜେ ତାଙ୍କ ସହ ଲଢ଼ନ୍ତୁ। ପଛପଟେ ରହି ହୀନ ରାଜନୀତି ନକରି ବିଜୁ ବାବୁଙ୍କ କର୍ମଭୂମିରେ ତାଙ୍କ ସହ ସିଧା ଲଢ଼ି ତାଙ୍କୁ ସାମ୍ନା କରନ୍ତୁ ବୋଲି ଶ୍ରୀ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ କରିଛନ୍ତି।

Advertisment

ଆଜି ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ବିଜେଡିରୁ ପ୍ରାର୍ଥିପତ୍ର ଦାଖଲ ପାଇଁ ପହଞ୍ଚିବା ପରିପ୍ରେକ୍ଷୀରେ ଶ୍ରୀ ମହାପାତ୍ର ସ୍ବୟଂସେଲିବ୍ରେସନ୍ କଲ୍ୟାଣ ମଣ୍ତପ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପାଇଁ ପ୍ରାର୍ଥିପତ୍ର ଦାଖଲ ବେଳେ ପ୍ରଥମେ ଷଡ଼ଯନ୍ତ୍ର ରଚନା କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି। ଶଯ୍ୟାଶାୟୀ ଥିବା ବେଦୁବାବୁ ଟିକେଟ୍ ଆଣିବାକୁ ଯାଇପାରିବେ ନାହିଁ ବୋଲି ଜାଣି ସୁଦ୍ଧା ବିଜେଡ଼ି ତାଙ୍କୁ ଟିକେଟ୍ ଦେଇଥିଲା । ଖାସ୍‌ ନିର୍ବାଚନକୁ ବିଳମ୍ବିତ କରିବାକୁ ଏହା ଥିଲା ଷଡ଼ଯନ୍ତ୍ରର ଏକ ଅଂଶ ବିଶେଷ। ବେଦୁଙ୍କ ମୃତ୍ୟୁ ପରେ ଏବେ ନିର୍ବାଚନ କମିସନ୍ ନିର୍ବାଚନ ତାରିଖ ଘୋଷଣା ଭଳି ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଥିଲେ ହେଁ ନିର୍ବାଚନକୁ ପୂରା ବନ୍ଦ ପାଇଁ ଏହି ଷଡ଼ଯନ୍ତ୍ର ଚାଲିଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗରେ ଦର୍ଶାଇଛନ୍ତି। ବିଜେଡ଼ି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ହାରୁଥିବା ଜଣାପଡ଼ିଯାଉଛି। ପାଟକୁରାରେ ମଧ୍ୟ ବିଜେଡ଼ି ବିଫଳ ହେବ ବୋଲି ଜାଣିବା ପରେ ନିର୍ବାଚନକୁ ପୂରା ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ଗତକାଲି ନିର୍ବାଚନ କାମରେ ବିଜୁ ଯୁବ ବାହିନୀଙ୍କୁ ବେଆଇନ୍ ଭାବେ ସ୍ବେଚ୍ଛାସେବୀ କାମ କରିବାକୁ ଦିଆଯାଇଥିବା ନେଇ ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇଥିଲେ । ମୁଖ୍ୟ ନିର୍ବାଚନ କମିସନଙ୍କ ଦ୍ବାରା ନିଯୁକ୍ତ ବିଭିନ୍ନ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ବିଜୁ ଯୁବ ବାହିନୀର ସଦସ୍ୟମାନେ ବିଜୁ ବାହିନୀ ଲେଖାଥିବା ଗଂଜି ପିନ୍ଧି ନିର୍ବାଚନ କମିସନଙ୍କୁ ପ୍ରାୟୋଜିତ ସ୍ବେଚ୍ଛାସେବୀ ଭାବେ ବୁଥଗୁଡିକରେ କାମ କରୁଥିଲେ । ଏହି ଅଭିଯୋଗ ସତ୍ୟ ହୋଇଥିଲେ ସାଂଘାତିକ । ଯଦି ଏହାର କୌଣସି ସତ୍ୟତା ନାହିଁ ତେବେ ନିର୍ବାଚନ କମିସନ୍ ସ୍ପଷ୍ଟ କରିବା ଉଚିତ ଯେ ‘ଇସିଆଇ ଭଲ୍ୟୁଣ୍ଟର’ ଲେଖା ଯାଇଥିବା ସଦସ୍ୟମାନେ ବିଜୁ ଯୁବ ବାହିନୀର ସଦସ୍ୟ ନୁହନ୍ତି । ଅନ୍ୟଥା ସେମାନଙ୍କୁ ବେଆଇନ୍ ଘୋଷଣା କରାଯାଉ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଆସନ୍ତା ୧୯ ତାରିଖରେ ପାଟକୁରାରେ ନିର୍ବାଚନ ହେବ ଓ ପାଟକୁରାବାସୀ ଦୁଇଥର ଭୋଟ ଦାନ କରିବାର ସୁଯୋଗ ପାଉଥିବାରୁ ବିଗତ ୪୦ ବର୍ଷ ଇତିହାସରେ ଏହା ଐତିହାସିକ ନିର୍ବାଚନ ହେବ। ଏଠାରୁ ନିଜେ ମୁଖ୍ୟମନ୍ତ୍ରୀ ଲଢ଼ିବାରେ କିଛି ଅସୁବିଧା ନାହିଁ । ଆଇନରେ ମଧ୍ୟ କୌଣସି ବାଧା ନାହିଁ । କାରଣ ବିଜେଡ଼ି ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ତାହା ମୁଖ୍ୟମନ୍ତ୍ରୀ ନିଜେ ନିଷ୍ପତ୍ତି ନେଇପାରିବ । ସାରା ଭାରତ ବର୍ଷରେ ବିଜେଡ଼ି ଗୋଟିଏ ଦଳ, ଯାହାର ନିର୍ବାଚନ କମିଟି ନାହିଁ । ଏ ଅଂଚଳ ବିଜୁବାବୁଙ୍କ କର୍ମଭୂମି ଓ ତାଙ୍କର ବହୁତ ଅବଦାନ ଥିଲା । ତେଣୁ ବିଜୁଙ୍କ ପୁଅ ହିସାବରେ ନବୀନ ଏଠାରେ ଲଢ଼ିପାରିବେ। ପଛପଟେ ରହି ଷଡ଼ଯନ୍ତ୍ର କରିବା ପାଟକୁରା ସ୍ବାଭିମାନ ବିରୋଧରେ ଷଡ଼ଯନ୍ତ୍ର ବୋଲି ବିଜୟ କହିଥିଲେ ।