ପାଟକୁରା ଲଢ଼େଇ : ବିଜୟଙ୍କ ପରାଜୟ, ଗଡ଼ ବଜାୟ ରଖିଲା ବିଜେଡି

କଂଗ୍ରେସ ପ୍ରାର୍ଥୀ ଜୟନ୍ତଙ୍କ ସମେତ ୮ ପ୍ରାର୍ଥୀଙ୍କ ଅମାନତ ଉଡ଼ିଲା

କେନ୍ଦ୍ରାପଡା : ବହୁ ପ୍ରତୀକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଯାଇଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ୧୭ ହଜାର ୯୨୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାସ୍ତ କରିଛନ୍ତି। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ସମେତ ୮ ଜଣ ପ୍ରାର୍ଥୀଙ୍କ ଅମାନତ ଉଡ଼ିଯାଇଛି।

ସାଧାରଣ ନିର୍ବାଚନ ସମୟରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଏବଂ ପରବର୍ତ୍ତୀ ସମୟରେ ‘ଫନି’ ବାତ୍ୟା କାରଣରୁ ୨ ଥର ନିର୍ବାଚନ ଘୁଞ୍ଚିଥିଲା। ଗଲା ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଇଥିଲା। ବିଜେଡି ପ୍ରାର୍ଥୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ମୋଟ ୯୬ହଜାର ୧୭ ଖଣ୍ତ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପାଇଛନ୍ତି ମୋଟ ୭୮ ହଜାର ୯୭ ଖଣ୍ତ ଭୋଟ। ତୃତୀୟ ସ୍ଥାନରେ ଥିବା ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ୨ହଜାର ୧୦୪ ଖଣ୍ତ ଭୋଟ ପାଇ ଅମାନତ ହରାଇଛନ୍ତି। ପ୍ରତିଦ୍ବନ୍ଦ୍ବିତାରେ ଥିବା ଅନ୍ୟ ୭ ଜଣ ପ୍ରାର୍ଥୀ ମଧ୍ୟ ଅମାନତ ହରାଇଛନ୍ତି।

ସେମାନଙ୍କ ଭୋଟ ‘ନୋଟା’ ଭୋଟ (୪୧୬) ଠାରୁ ମଧ୍ୟ କମ୍‌ ରହିଛି। ସମାଜବାଦୀ ପାର୍ଟିର ପ୍ରଦୀପ କୁମାର ମିଶ୍ର ୩୫୯ ଖଣ୍ତ ଭୋଟ ପାଇଥିବାବେଳେ କୃପା ପାର୍ଟିର ଶ୍ରୀକାନ୍ତ ସାମଲ ୧୪୯, ସ୍ବାଧୀନ ପ୍ରାର୍ଥୀ ଦିବ୍ୟସିଂହ ଦାସ ୫୮, ପରମାନନ୍ଦ ମହାରଣା ୧୭୦, ପ୍ରଫୁଲ୍ଲ କୁମାର ବେହେରା ୧୭୬, ରତିକାନ୍ତ କାନୁନଗୋ ୪୦୮ ଓ ସଞ୍ଜୟ କୁମାର ସ୍ବାଇଁ ୧୪୧ ଭୋଟ ପାଇ ଅମାନତ ହରାଇଛନ୍ତି ।

ଆଜି ସକାଳ ୮ଟାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଭୋଟ ଗଣତି ଆରମ୍ଭ ହୋଇ ଅପରାହ୍ନ ପ୍ରାୟ ସାଢେ ୨ଟାରେ ଶେଷ ହୋଇଥିଲା। ୧୮ଟି ରାଉଣ୍ଡରେ ଭୋଟ ଗଣତି କରାଯାଇଥିଲା। ୧୮ଟି ରାଉଣ୍ଡ ମଧ୍ୟରୁ କେବଳ ୨ଟି ରାଉଣ୍ଡରେ ବିଜୟ ମହାପାତ୍ର ଆଗରେ ରହିଥିଲେ। ଅନ୍ୟ ୧୬ଟି ରାଉଣ୍ଡ୍‌ରେ ସାବିତ୍ରୀ ଅଗ୍ରୱାଲ ଆଗୁଆ ରହି ନିଜ ବିଜୟକୁ ସୁଦୃଢ଼ କରିଥିଲେ।

ଅନ୍ୟପକ୍ଷରେ, ୨୦୧୪ ନିର୍ବାଚନ ତୁଳନାରେ ପାଟକୁରାରେ ବିଜେପିର ଭୋଟ ପାଖାପାଖି ୩ ଗୁଣରୁ ଅଧିକ ‌ବୃଦ୍ଧି ପାଇଥିବାବେଳେ ବିଜେଡି ବି ଭୋଟ ବୃଦ୍ଧି କରି ପାରିଛି। କିନ୍ତୁ କଂଗ୍ରେସ ଏକ ପ୍ରକାର ସତ୍ତା ହରାଇବା ସ୍ଥିତିରେ ରହିଛି। ୨୦୧୪ରେ ୪୨ ହଜାର ୧୩୮ ଖଣ୍ଡ ଭୋଟ ପାଇଥିବା କଂଗ୍ରେସ ପ୍ରାର୍ଥୀ ଜୟନ୍ତ କୁମାର ମହାନ୍ତି ୨୦୧୯ରେ ବି ପ୍ରାର୍ଥୀ ହୋଇ ମାତ୍ର ୨୧୦୪ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ୨୦୧୪ରେ ବିଜେପି ପ୍ରାର୍ଥୀ ମାନସ ମହାନ୍ତି ୨୧ ହଜାର ୫୮୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ଭୋଟ ଏଥର ପହଞ୍ଚିଛି ୭୮ ହଜାର ୯୭ରେ। ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ବେଦପ୍ରକାଶ ଅଗ୍ରୱାଲ ୮୯ ହଜାର ୮୫୩ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ପାଇଛନ୍ତି ୯୬ ହଜାର ୧୭ ଖଣ୍ଡ ଭୋଟ।

ଫଳାଫଳ ଘୋଷଣା ପରେ ବିଜୟୀ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲ ଦୁହୁରିଆସ୍ଥିତ ନୟନବିହାରସ୍ଥିତ ବାସଭବନରୁ ଏକ ପଟୁଆରରେ ଆସି ରିଟର୍ଣ୍ଣିଂ ଅଫିସରଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ବିଧାନସଭା ନିର୍ବାଚନ ମଣ୍ତଳୀ ଗସ୍ତ, ପାଟକୁରାର ବିଜେଡି କର୍ମୀଙ୍କ କଠିନ ପରିଶ୍ରମ, ପାଟକୁରାବାସୀଙ୍କ ଭଲ ପାଇବା ଓ ସହଯୋଗରୁ ଏ ବିଜୟ ସମ୍ଭବ ହୋଇଛି।

ସମ୍ବନ୍ଧିତ ଖବର