କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣାରେ ଜେଏସ୍‌ଡବ୍ଲ୍ୟୁ ଭଳି ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନ ସହ ମିଶି ଅନ୍ତଃରାଷ୍ଟ୍ରୀୟ କମ୍ପାନି ପୋସ୍କୋ କରିବ ବୃହତ୍‌ ଷ୍ଟିଲ୍‌ପ୍ଲାଣ୍ଟ। ଏଥିପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ସ୍ବପ୍ନର ପ୍ରକଳ୍ପକୁ ସଫଳ ରୂପାୟନ କରିବା ପାଇଁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ପର୍ଯ୍ୟନ୍ତ ଏକାଧିକ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ଏଥିପାଇଁ ସଂପୃକ୍ତ କମ୍ପାନି ପକ୍ଷରୁ ଜମି ଅଧିଗ୍ରହଣ ବାବଦ ଅର୍ଥରାଶି ମଧ୍ୟ ସରକାରଙ୍କ ପାଖରେ ଜମା କରାଯାଇଥିବା ସୂଚନା ମିଳିଛି।

Advertisment

ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପୋସ୍କୋ ଫେରୁଥିବା ନେଇ ସୂଚନା ଦେଇଥିଲେ। ଏହି କମ୍ପାନି ଜେଏସ୍‌ଡବ୍ଲ୍ୟୁ ସହ ମିଶି କେନ୍ଦୁଝରରେ ବୃହତ୍‌ ଷ୍ଟିଲ୍‌ପ୍ଲାଣ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ସମସ୍ତଙ୍କ ନଜର କେନ୍ଦୁଝର ଜିଲ୍ଲାର ପାଟଣା ଉପରେ ରହିଛି। କାରଖାନା ପାଇଁ ପାଟଣା ତହସିଲ ଅଧୀନ ୧୨ଟି ଗାଁରୁ ୧୪୯୪ ଏକର ଜମି ଅଧଗ୍ରହଣ କରିବା ପାଇଁ ଇଡ୍‌କୋ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଇଡ୍‌କୋ ତରଫରୁ ଚିଠି ନମ୍ବର ୩୭୮୧/୫.୨.୨୦୨୫ରେ କେନ୍ଦୁଝର ବୈତରଣୀ ବେସିନ୍‌ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି।

ପୋସ୍କୋ-ଜେଏସ୍‌ଡବ୍ଲ୍ୟୁ କରିବେ ଷ୍ଟିଲ୍‌ପ୍ଲାଣ୍ଟ
ଅଧିଗ୍ରହଣ ହେବ ୧୪୯୪ ଏକର ଜମି 
ଜମି ପାଇଁ ଅର୍ଥ ଦାଖଲ କଲାଣି କମ୍ପାନି

ପାଟଣା ତହସିଲର ଯମୁନାପଶିଠାରେ ୭୬.୫୮୦ ଏକର, ଧନୁର୍ଜୟପୁରରେ ୫୫.୩୩୦ ଏକର, ରେଙ୍ଗାଲବେଡ଼ାରେ ୫୨.୩୯୦ ‌ଏକର, ଚେମଣାରେ ୧୭ ଏକର, ଭୃଙ୍ଗରାଜପଶିରେ ୨୯.୬୧୦ ଏକର, ବାରଡାଙ୍ଗୁଆରେ ୨୩୮.୪୩୦ ଏକର, ବରୁଡ଼ପଶିରେ ୨୧୪.୯୮୦ ଏକର, ଚିଲଦାରେ ୨୧୦.୩୮୦ ଏକର, କୋଡ଼ଖମଣରେ ୧୪୮.୨୩୦ ଏକର, ଗୋଡ଼ିପୋଖରୀରେ ୧୪୫.୨୩୦ ଏକର, ବାଲିପଶିରେ ୭୫.୭୭୦ ଏକର, ଅଙ୍ଗିକଳାରେ ୨୩୦.୭୯୫ ଏକର ଜମି ଅଧିଗ୍ରହଣ କରାଯିବ ବୋଲି ଇଡ୍‌କୋର ଏହି ଚିଠିରେ ଉଲ୍ଲେଖ ରହିଛି। ଜମି ଅଧିଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ପାଇଁ ଏକ ସ୍ବତନ୍ତ୍ର ୩୦ ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ଜଣେ ବରିଷ୍ଠ ଓଏଏସ୍‌ ଅଧିକାରୀ ଥିବାବେଳେ ଦୁଇଜଣ ଓଆର୍‌ଏସ୍‌ ଅଧିକାରୀ, ୫ ଜଣ ରାଜସ୍ବ ନିରୀକ୍ଷକ, ଜଣେ ଆକାଉଣ୍ଟାଣ୍ଟ, ଏଆର୍‌ଆଇ, ଜଣେ କନିଷ୍ଠ ରାଜସ୍ବ ନିରୀକ୍ଷକ, ୭ ଜଣ ଅମିନ, ଜଣେ ପ୍ରସେସ୍‌ ସର୍ଭର, ଜଣେ ଚେନ୍‌ମ୍ୟାନ୍‌ ଓ ଜଣେ ପିଅନ ରହିଛନ୍ତି। ଏହି ଟିମ୍‌ ପାଇଁ ସ୍ବତନ୍ତ୍ର କାର୍ଯ୍ୟାଳୟ ବ୍ୟବସ୍ଥା ହୋଇଛି। ଜମି ଅଧିଗ୍ରହଣ ସମ୍ପର୍କିତ ସମସ୍ୟା ଏହି ଟିମ୍‌ ସମାଧାନ କରିବ। ମୋଟାମୋଟି ଭାବେ ପୋସ୍କୋ ଓ ଜେଏସ୍‌ଡବ୍ଲ୍ୟୁର ମିଳିତ ଉଦ୍ୟମରେ ହେବାକୁ ଥିବା ୬ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଷ୍ଟିଲ୍‌ପ୍ଲାଣ୍ଟ ପାଇଁ ଏବେ ପାଟଣା ପ୍ରସ୍ତୁତ ହେଉଛି।