ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ଆସନର ରାଜନୈତିକ ସ୍ଥିତି ରୋଚକ ହୋଇଛି। ୨୦୦୯ରୁ ଏଯାଏ ଏହି ନିର୍ବାଚନମଣ୍ଡଳୀକୁ ବିଜେଡି ନିଜ କବ୍ଜାରେ ରଖି ଆସିଥିବା ବେଳେ ରାଜନୈତିକ ପଶାପାଲିର ପୋଖତ ଖିଲାଡ଼ି କୁହାଯାଉଥିବା ପାଞ୍ଚ ପାଞ୍ଚଥର ବିଧାୟକ ହୃଷୀକେଶ ନାଏକ କଂଗ୍ରେସକୁ ଫେରିବା ପରେ ବିଜେଡିର ଗଣିତ ବିଗିଡ଼ିଯିବ ବୋଲି କୁହାଯାଉଛି। ୨୦୧୯ ନିର୍ବାଚନରେ ହୃଷୀକେଶଙ୍କ ଟିକଟ କାଟି ପାଟଣା ପଞ୍ଚାୟତ ସିମିତିର ଅଧ୍ୟକ୍ଷ ଥିବା ଜଗନ୍ନାଥ ନାୟକଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସେ ୭୦ ହଜାର ୩୧୦ ଖଣ୍ଡ ଭୋଟ ୍ପାଇ ବିଜୟୀ ହୋଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଭବାନୀଶଙ୍କର ୬୨ ହଜାର ୫୧୪ ଖଣ୍ଡ ଭୋଟ ପାଇ ଜଗନ୍ନାଥଙ୍କୁ କଡ଼ା ଟକ୍କର ଦେଇଥିଲେ। କଂଗ୍ରେସ ପ୍ରାର୍ଥୀ ବିନୋଦ ବିହାରୀ ନାଏକ ୧୩ ହଜାର ଖଣ୍ଡ ଭୋଟ ପାଇଥିଲେ। ୨୦୧୪ ନିର୍ବାଚନ ଅପେକ୍ଷା କଂଗ୍ରେସ ୭ ହଜାର ଭୋଟ କମ ପାଇବା ଜଗନ୍ନାଥ ବିଜୟୀ ହେବାରେ ସହାୟକ ହୋଇଥିଲା ।
୨୦୧୯ ନିର୍ବାଚନର ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ଦେଢ଼ବର୍ଷ ତଳୁ ବିଜେପିରୁ ଇସ୍ତଫା ଦେଇଛନ୍ତି। ଏଯାଏ ସେ କେଉଁ ଦଳରେ ଯୋଗଦେଇ ନାହାନ୍ତି। ଦୁଇଥର ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ଭବାନୀ ୨୦୨୪ରେ ବିଜେଡି ଡଙ୍ଗାରେ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି। ଯଦି ଏମିତି ହୁଏ ତେବେ ଜଗନ୍ନାଥଙ୍କ ପାଇଁ ଭିନ୍ନ ପରିସ୍ଥିତି ସୃଷ୍ଟି ହେବ। ବିଜେଡିରୁ ବିଧାୟକ ହେବା ପରେ ନିଜର ଦବ୍ଦବା ଜାହିର କରିବା ପାଇଁ ଜଗନ୍ନାଥ ଦଳର ବରିଷ୍ଠ ନେତା ହୃଷୀକେଶଙ୍କୁ ଗୁରୁତ୍ବ ଦେଇ ନଥିଲେ। ନିଜର ବିକଳ୍ପ ନ ରଖିବା ପାଇଁ ହୃଷୀକେଶଙ୍କୁ ଏକପ୍ରକାର କୋଣଠେସା କରାଯାଇଥିଲା। ଏ ସମ୍ପର୍କରେ ହୃଷୀକେଶ ମଧ୍ୟ ଅଭିଯୋଗ ଆଣି ଦଳ ଛାଡ଼ିଥିଲେ। ଯଦି ଭବାନୀ ବିଜେଡିକୁ ଯାଆନ୍ତି ତେବେ ଜଗନ୍ନାଥଙ୍କ ପାଇଁ କଣ୍ଟା ହେବେ ବୋଲି କୁହାଯାଉଛି।ଅନ୍ୟପକ୍ଷରେ ବିଜେପି ଏଠାରେ ଏଥର ମହିଳା କାର୍ଡ ଖେଳିପାରେ ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମମିତା ନାଏକ ଟିକଟ ହାତେଇବାକୁ ଗୋଟି ଚାଳନା କରୁଛନ୍ତି। ସେହିପରି ସତ୍ୟବ୍ରତ ନାୟକ, ଅଖିଳ ଚନ୍ଦ୍ର ନାଏକ, ଗୌତମ ନାଏକ, ବନୋଜ କୁମାର ନାଏକ, ଆଇନଜୀବୀ କମଳାକାନ୍ତ ସିଂ ମଧ୍ୟ ବିଜେପି ଟିକଟ ଦୌଡ଼ରେ ଥିବା କୁହାଯାଉଛି। ହୃଷୀକେଶ ନାଏକ ବିଜେଡି, କଂଗ୍ରେସ ସମେତ ବିଭିନ୍ନ ଦଳରୁ ପାଞ୍ଚଥର ବିଧାୟକ ହେବା ସହିତ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଥିଲେ। ବିଜେଡିରେ କୋଣଠେସା ହୋଇ ରହିବା ଅପେକ୍ଷା ଜଗନ୍ନାଥଙ୍କୁ ପାନେ ଦେବାପାଇଁ ସେ କଂଗ୍ରେସରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି। ଏହି ବରିଷ୍ଠ ନେତାଙ୍କ ପ୍ରଭାବ ଆଜି ବି ପାଟଣା ନିର୍ବାଚନମଣ୍ଡଳୀରେ ରହିଛି।
ସେ କଂଗ୍ରେସରେ ସାମିଲ ହେବା ପରେ ଦଳର ଶକ୍ତି ବୃଦ୍ଧି ପାଇଥିବା ଦଳୀୟ ନେତୃବର୍ଗ କହିଛନ୍ତି। ଯଦି କଂଗ୍ରେସ ତାଙ୍କୁ ୨୦୨୪ ନିର୍ବାଚନରେ ପ୍ରାର୍ଥୀ କରେ ତେବେ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି। ଏହାଛଡ଼ା ଇଂ ବିନୋଦ ବିହାରୀ ନାଏକ, ପାଟଣା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଗୌରହରି ନାଏକ, ମାନସିଂ ମୁଣ୍ଡା ପ୍ରମୁଖ କଂଗ୍ରେସ ଟିକଟ ଆଶାୟୀ ତାଲିକାରେ ରହିଛନ୍ତି। ୧୯୯୦ରେ ଜନତା ଦଳରୁ କାହ୍ନୁଚରଣ ନାୟକ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ରେ ହୃଷୀକେଶ କଂଗ୍ରେସ ଦଳରୁ ବିଧାୟକ ହୋଇଥିଲେ। ୨୦୦୦ ଓ ୨୦୦୪ରେ ବିଜେପି-ବିଜେଡି ମେଣ୍ଟ ପ୍ରାର୍ଥୀଭାବେ ବିଜେପିର ଗୌରହରି ନାଏକ ବିଧାୟକ ହୋଇଥିଲେ। ୨୦୦୯ ଓ ୨୦୧୪ରେ ବିଜେଡିରୁ ହୃଷୀକେଶ ନାଏକ ବିଧାନସଭାକୁ ଯାଇଥିଲେ। ୨୦୧୯ରେ ବିଜେଡିରୁ ଜଗନ୍ନାଥ ନାୟକ ନିର୍ବାଚିତ ହୋଇଛନ୍ତି। ପାଟଣାର ପୂର୍ବତନ ବିଧାୟକ କାହ୍ନୁଚରଣ ଚରଣ ନାୟକଙ୍କୁ ହୃଷୀକେଶ ବିଧାୟକ ହେବା ପରେ ଦୂରେଇ ରଖିଥିଲେ। କାହ୍ନୁଙ୍କ ପୁଅ ଜଗନ୍ନାଥ ମଧ୍ୟ ସମାନ ଫର୍ମୁଲା ଆପଣାଇଥିଲେ।