ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀରେ ବିଜେଡି ଜଗନ୍ନାଥ ନାୟକଙ୍କୁ ପ୍ରାର୍ଥୀ କରିବାପରେ ବିଜେପି ଓ କଂଗ୍ରେସରୁ ଏହି ଆସନ ପାଇଁ କିଏ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ନିର୍ବାଚନରେ ଜଗନ୍ନାଥ ବିଜେପିର ଭବାନୀ ଶଙ୍କର ନାୟକଙ୍କୁ ପରାସ୍ତ କରି ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ଭବାନୀ ଶଙ୍କର ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଭବାନୀ ବିଜେଡି ଟିକେଟ ଆଶାରେ ଦଳ ବଦଳାଇ ନିରାଶ ହୋଇଛନ୍ତି। ବିଜେଡି ଜଗନ୍ନାଥଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିବାରୁ ଭବାନୀଙ୍କ ରାଜନୈତିକ ଗତିବିଧି କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର। ସେହିପରି, ପାଟଣାର ପାଞ୍ଚଥରର ବିଧାୟକ ହୃଷୀକେଶ ନାଏକ ଦଳରେ ଅଣଦେଖା ଅଭିଯୋଗ ଆଣି ବିଜେଡି ଛାଡ଼ିବା ପରେ କଂଗ୍ରେସରେ ସାମିଲ ହୋଇଥିଲେ। ଜଣେ ଅଭିଜ୍ଞ ନେତାଙ୍କୁ ପାଇ କଂଗ୍ରେସ ଶିବିର ଉତ୍ସାହିତ। କଂଗ୍ରେସ ହୃଷୀକେଶଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ପ୍ରାର୍ଥୀ ହେଲେ ଜଗନ୍ନାଥଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବେ ବୋଲି ଚର୍ଚ୍ଚା ହେଉଛି।ଏହାଛଡ଼ା ଗତ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ପାଟଣା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଗୌରହରି ନାଏକ ମଧ୍ୟ ଆଶାୟୀ ଅଛନ୍ତି।

Advertisment

ଟିକେଟ‌ରୁ ବଞ୍ଚିତ ଭବାନୀଙ୍କ ଗତିବିଧି ଉପରେ ନଜର
କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ହୃଷୀକେଶ
ବିଜେପିରେ ଏକାଧିକ ଆଶାୟୀ, ଆଗରେ ମମିତା, ଅଖିଳ

ଅନ୍ୟପକ୍ଷରେ, ସବୁଠୁ ଅଧିକ ଆଶାୟୀ ରହିଛନ୍ତି ବିଜେପିରେ। ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମମିତା ନାଏକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାଏକ, ସତ୍ୟବ୍ରତ ନାୟକ, ଏସ୍‌ଟି ମୋର୍ଚ୍ଚା ଜିଲ୍ଲା ସଭାପତି କମଳାକାନ୍ତ ସିଂହ, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଗୌତମ ନାଏକ, ଯୁବନେତା ପ୍ରବୀର ନାୟକ, ପୂର୍ବତନ ସରପଞ୍ଚ ବନୋଜ ନାଏକ। ମମିତା ନାଏକଙ୍କୁ ଏଠାରେ ବିଜେପି ପ୍ରାର୍ଥୀ କରି ମହିଳା କାର୍ଡ ଖେଳିପାରେ ବୋଲି କୁହାଯାଉଛି। ଏହାଛଡ଼ା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାଏକ ମଧ୍ୟ ଟିକଟ ହାତେଇବା ପାଇଁ ଜୋରଦାର କସରତ ଚଳାଇଛନ୍ତି। ଗତ ନିର୍ବାଚନରେ ଦଳ ତାଙ୍କୁ ଟିକେଟରୁ ବଞ୍ଚିତ କରିଥିଲା। ଫଳରେ ଅଖିଳ ବିଦ୍ରୋହୀ ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବାରୁ ବିଜେଡିର ଜଗନ୍ନାଥଙ୍କ ନାୟକଙ୍କ ବିଜୟରେ ସହାୟକା ହୋଇଥିଲା। ଏଭଳି ସ୍ଥିତିରେ ବିଜେପି ଏଠାରେ କାହାକୁ ବାଛିବ ତାକୁ ନେଇ ଅଙ୍କକଷା ଚାଲିଛି।