ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ

ପାର୍ସଲ ପଠାଇଥିବା ବ୍ୟକ୍ତି ଓଡ଼ିଆରେ କଥା ହେଉଥିଲେ!

ବଲାଙ୍ଗୀର/ ପାଟଣାଗଡ଼: ପାଟଣାଗଡ଼ ଥାନା ବ୍ରହ୍ମପୁରା ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ ଏ ଯାଏ ଉନ୍ମୋଚନ ହୋଇ ପାରି ନାହିଁ। ତଥାପି କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ରହସ୍ୟ ଉନ୍ମୋଚନ ପାଇଁ ପୂରା ଦମ୍‌ ଲଗାଇ ଦେଇଛି। ଏହି ବିସ୍ଫୋରଣ ପଛରେ ଜଣେ ଓଡ଼ିଆ ବ୍ୟକ୍ତିର ହାତ ରହିଥିବା ବେଶ୍‌ ଚର୍ଚ୍ଚା ଚାଲିଛି। କଥାଟା ପୂରା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ କ୍ରାଇମ୍‌ ବ୍ରାଞ୍ଚ ପର୍ଯ୍ୟାୟ ପର୍ଯ୍ୟାୟ କରି ତଦନ୍ତ ଚଳାଇଛି। ଏକ ନୂଆ ଘଟଣାକ୍ରମରେ ପୂର୍ବରୁ କୁଆଡେ ଜଣେ ଯୁବକ ଏହିପରି ପାର୍ସଲ ପଠାଇବା ସମ୍ପର୍କରେ ରାୟପୁରରେ ବିଭିନ୍ନ କୋରିଅର ସହ ଯୋଗାଯୋଗ କରୁଥିଲା। ସମ୍ପୃକ୍ତ ଯୁବକ ଜଣକ ରାୟପୁରର ଆଉ ଏକ କୋରିଅର୍‌ ସଂସ୍ଥାରେ ହିନ୍ଦୀ ଓ ଓଡ଼ିଆରେ ପାର୍ସଲ ପାଟଣାଗଡ଼ ଯାଏ ଯିବାକୁ କେତେ ଦିନ ଲାଗିବ ବୋଲି କୁଆଡେ ପଚାରିଥିଲା। ସମ୍ପୃକ୍ତ କୋରିଅର ସଂସ୍ଥା ୧୨ ଦିନ ଲାଗିଯିବ ବୋଲି କହିଥିଲେ। ଯାହାକି ବାହାଘର ଭିତରେ ଯାଇ ପାରିବ ନାହିଁ ବୋଲି ଜାଣି ପାରି ସେ ପାର୍ସଲ ପଠାଇବ ।ପାଇଁ ସ୍କାଏ କିଙ୍ଗ ସଂସ୍ଥାକୁ ଚୟନ କରିଥିଲା ବୋଲି ଚର୍ଚ୍ଚା ହେଉଛି। ତେବେ ଏପରି ଘଟଣା ପଛରେ କେତେ ସତ୍ୟତା ଅଛି ତାହା କହିବା ମୁସ୍କିଲ। ଯୁବକ ଜଣକ ଓଡ଼ିଆରେ କଥା ହେଉ ଥିବାରୁ ଘଟଣା ପଛରେ ଜଣେ ଓଡ଼ିଆ ଯୁବକଙ୍କ ସଂପୃକ୍ତି ରହିଛି ବୋଲି ସନ୍ଦେହ ଉପୁଜିଛି। କିନ୍ତୁ ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି। ତଥାପି ବିଭିନ୍ନ ମହଲ ଏମିତି ହେଇପାରେ, ସେମିତି ହେଇପାରେ ବୋଲି କହି ଚାଲିଛନ୍ତି। କିନ୍ତୁ କ୍ରାଇମ ବ୍ରାଞ୍ଚ ଅଦ୍ୟାବଧି ଠୋସ୍‌ କରି କିଛି ବି କହି ନାହିଁ।

ସମ୍ବନ୍ଧିତ ଖବର