ପାଟଣାଗଡ଼ ଅନରକିଲିଂ ମାମଲା : ବଲାଙ୍ଗୀର ପୌରାଧିକାରୀଙ୍କୁ ହାଜିରା ନୋଟିସ

ଭୁବନେଶ୍ବର : ପାଟଣାଗଡ଼ ଅନର କିଲିଂ ମାମଲାରେ ବଲାଙ୍ଗୀର ପୌରାଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିବାକୁ ଓଡ଼ିଶା ମାନବାଧିକାର କମିସନ (ଓଏଚ୍‌ଆରସି) ଆଦେଶ ଦେଇଛନ୍ତି। ଅକ୍ଟୋବର ୧୫ ତାରିଖରେ ହାଜର ହେବା ପାଇଁ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ ଓ ସଦସ୍ୟ ଅସୀମ ଅମିତାଭ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ନୋଟିସ୍‌ ଜାରି କରିଛନ୍ତି।

ସୂଚନା ମୁତାବକ, ୨୦୧୬ ମେ’ ୨୫ ତାରିଖରେ ଜଣେ ନାବାଳିକାର ମୃତଦେହ ବଲାଙ୍ଗୀର ପୌରସଂସ୍ଥା ଅଳିଆଗଦାରେ ପଡ଼ିଥିଲା। ଏହାକୁ ବୁଲା କୁକୁର ଖାଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖୋଳତାଡ଼ ପରେ ପାଟଣାଗଡ଼ର ଲରମ୍ଭା ଥାନା ଅନ୍ତର୍ଗତ ଖୁଣ୍ଟ ସମଲେଇ ଗ୍ରାମର ଜଣେ ନାବାଳିକାର ଶବ ବୋଲି ଜଣାପଡ଼ିଥିଲା। ନିଜ ପସନ୍ଦରେ ବିବାହ କରିବା ସହ ଗର୍ଭବତୀ ହୋଇଥିବାରୁ ତାଙ୍କ ବାପା ତାଙ୍କୁ ହତ୍ୟା କରିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ତେଣୁ ପୁଲିସ ମୃତ ନାବାଳିକାର ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏ ସମ୍ପର୍କରେ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନ୍‌ଗୋ ଓ ବିଜୟ କୁମାର ପଣ୍ଡା ଓଏଚ୍‌ଆରସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେତେବେଳେ କମିସନ ବଲାଙ୍ଗୀର ଜିଲାପାଳ, ଏସ୍‌ପି ଓ ପୌରାଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଥିଲେ। ହତ୍ୟା ଅଭିଯୋଗରେ ନାବାଳିକାଙ୍କ ବାପାଙ୍କୁ ଗିରଫ କରାଯାଇଥିବା ବେଳେ ପୌରସଂସ୍ଥା କର୍ମଚାରୀଙ୍କ ମାଧ୍ୟମରେ ମୃତ ଶରୀରକୁ ପୋତାଯାଇଥିବା ଏସ୍‌ପି ରିପୋର୍ଟ ଦେଇଥିଲେ। ତେଣୁ ଜିଲ୍ଲାପାଳ ତାଙ୍କ ରିପୋର୍ଟରେ ପୌରସଂସ୍ଥାକୁ ଦାୟୀ କରିଥିଲେ। ସ୍ଥାନୀୟ ପ୍ରଥା ଓ ପରମ୍ପରା ଅନୁସାରେ ଓ ଦାୟିତ୍ୱର ସହ ମରଶରୀରକୁ ଦାହ କରାଯାଇନଥିବା ୨୦୧୬ ମସିହା ଅଗଷ୍ଟ ୩ ତାରିଖରେ ଦାଖଲ ହୋଇଥିବା ରିପୋର୍ଟରେ ଜିଲ୍ଲାପାଳ ଦର୍ଶାଇଥିଲେ। ନାବାଳିକା ପରିବାରକୁ ୩୦ହଜାର ଟଙ୍କା ସାହାଯ୍ୟ ଦିଆଯାଇଥିବା ବିଷୟ ମଧ୍ୟ ଉଲ୍ଲେଖ କରିଥିଲେ। ଜିଲ୍ଲାପାଳ ପୌରସଂସ୍ଥାକୁ ଦାୟୀ କରିଥିବାରୁ ପୌରାଧୀକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିବାକୁ ଆଜି ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର