ପୁଞ୍ଜିଲାଲ ପାର୍ସଲବୋମା ପରେ ପୁଣି ଚର୍ଚ୍ଚାରେ ପାଟଣାଗଡ଼: ଫେରିବାଲା ଘରେ ରକ୍ତହୋରି

ପାର୍ସଲ ବୋମା ପରେ ପୁଣି ଚର୍ଚ୍ଚାରେ ପାଟଣାଗଡ଼। ଏଥର ପାଟଣାଗଡ଼ରେ ଗଡ଼ିଛି ମୁଣ୍ଡ। ଗୋଟିଏ କି ଦୁଇଟି ନୁହେଁ, ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା। ବାପା ମା’ଠୁ ଆରମ୍ଭ କରି ଦୁଇ ବର୍ଷୀୟ ଶିଶୁକୁ ବି ଜଘନ୍ୟ ଭାବେ ହତ୍ୟା କରାଯାଇଛି। ସାଇଣ୍ଟିଫିକ୍‌ ଟିମ ଓ ଡଗ୍‌ସ୍କ୍ୱାଡ୍‌ ସହ ତଦନ୍ତ କରୁଛି ସ୍ୱତନ୍ତ୍ର ଟିମ। ଏବେ ସମସ୍ତଙ୍କ ପାଖରେ ଗୋଟିଏ ପ୍ରଶ୍ନ। କିଏ, କାହିଁକି? କଣ ପାଇଁ? ଗୋଟିଏ ପରିବାରର ଛଅଜଣଙ୍କୁ ହତ୍ୟା କଲା? କଣ ହୋଇପାରେ ହତ୍ୟାକାଣ୍ଡ ପଛର ଘଟଣା? ଛାନଭିନ କରୁଛି ସ୍ୱତନ୍ତ୍ର ଟିମ। ଘଟଣାର ବିଭିନ୍ନ ଦିଗକୁ ନେଇ ଜାରି ରହିଛି ତଦନ୍ତ। ଏ ନେଇ ଗ୍ରାଉଣ୍ଡ ଜିରୋରୁ ଆମର ସ୍ୱତନ୍ତ୍ର ରିପୋର୍ଟ।
ରିପୋର୍ଟ- ବିଶ୍ୱଜିତ ଦାଶ, ଯତୀଶ ଖମାରୀ

ଦିନ ୧୦ଟାରେ ଜଣାପଡ଼ିଲା
ହୋ ହାଲ୍ଲାରେ ଫାଟି ପଡୁଥିବା ଘର ବୁଧବାର ସକାଳୁ ନିରବ ରହିଥିଲା। ଛୁଆପିଲା ବି ଘରୁ ବାହାରିନଥିଲେ। ଫଳରେ ପଡ଼ାର ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଡାକିଲେ ବି କେହି ଶୁଣି ନଥିଲେ। ଘର ଭିତରେ ସମସ୍ତେ ପଡ଼ିଥିବା ଦେଖି ଲୋକେ ପାଟଣାଗଡ଼ ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପାଟଣାଗଡ଼ ପୁଲିସ। ପରେ ଅତିରିକ୍ତ ଏସ୍‌ପି ମନୋରଂଜନ ପ୍ରଧାନ ଓ ଅନ୍ୟ ପୁଲିସ ଅଧିକାରୀ ସବୁ ପହଞ୍ଚିଥିଲେ। ବିଭିନ୍ନ ଦିଗକୁ ନେଇ ଛାନଭିନ କରିଥିଲା ପୁଲିସ। ଛଅ ଜଣଙ୍କ ହତ୍ୟା ଘଟଣାକୁ କେହି ବି ବିଶ୍ୱାସ କରିପାରୁନଥିଲେ। ଦିନ ୧୦ଟାରୁ ସଂଧ୍ୟା ଯାଏ ପୁଲିସ କୁସୁମତଲ ବୁଲୁ ଜାନୀଙ୍କ ଘରେ ତଦନ୍ତ ଚଳାଇଥିଲା। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଗୁରୁବାର ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।

ରହସ୍ୟ ଘେରରେ କାରଣ; ଚୋରି, ବଳି ନା ଶତ୍ରୁତା?
ଗଇଁତିରେ ଚୋଟ। ହେଲେ କଳସକୁ ନେଇ ବଳି ଚର୍ଚ୍ଚା! ଘର ବାଟରେ ଥିବା କଳସରେ ପୂଜାପାଠକୁ ନେଇ ଚାଲୁଛି ଅନେକ ଚର୍ଚ୍ଚା। କଣ ଥାଇପାରେ କାରଣ? କଳସକୁ ନେଇ ବି ପୁଲିସ ତଦନ୍ତ ଚଳାଇଥିବା ବେଳେ ଆଉ ଅନେକ ଦିଗ ବି ପୁଲିସ ସାମ୍ନାକୁ ଆସିଛି। ଯାହାକୁ ନେଇ ଏସ୍‌ପିଙ୍କ ଗଣମାଧ୍ୟମକୁ ଦେଇଥିବା ସୂଚନା କହୁଛି। ବୁଲୁ ଜାନୀଙ୍କ ପରିବାର ପୂର୍ବରୁ କାହା ସହିତ ଶତ୍ରୁତା ଥିଲା କି? କାହା ସହିତ ଟଙ୍କା କାରବାର ଥିଲା କି? ବୁଲୁଙ୍କ ନାଁରେ ଯାହା ସବୁ ଲୋକ କହୁଛନ୍ତି ତାହା କେତେଦୂର ସତ୍ୟ? ଏସବୁ ଦିଗକୁ ନେଇ ଆରମ୍ଭ ହୋଇଛି ତନାଘନା। ସବୁ ଦିଗ ଛାଡ଼ି ଆଉ ଏକ ଦିଗ ଯାହାକି ବେଶ୍‌ ଚର୍ଚ୍ଚା ଚାଲିଛି। ଚୋରି ଟଙ୍କା ଭାଗବଣ୍ଟା ନେଇ ବି ଏଭଳି କିଛି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ବୁଲୁଙ୍କ ନାଁରେ ପୂର୍ବରୁ ବି ଚୋରି ନେଇ ଲିଙ୍କ୍‌ ଥିବା ଚର୍ଚ୍ଚା ହେଉଛି। ତାଙ୍କ ଗୋଟିଏ ପୁଅ ଯିଏକି ବାହାରେ ରହୁଛି ତାହା ନାଁରେ ପୂର୍ବରୁ ଅପରାଧ ମାମଲା ଥିବା କୁହାଯାଉଛି। ହେଲେ ପ୍ରକୃତ କାରଣ କ’ଣ ହୋଇପାରେ ଓ କିଏ କାହିଁକି ଏତେ ନିର୍ମମ ଭାବରେ ହତ୍ୟା କଲା ତାହା କିଛି ସ୍ପଷ୍ଟ ହୋଇନି।

ମରଣ ଶଯ୍ୟାରେ ପୂରା ପରିବାର!
ହତ୍ୟାକାରୀର ଟାର୍ଗେଟରେ ପୂରା ପରିବାର ଥିଲେ। କାରଣ ଘର ଭିତରେ ଥିବା କୋଠରିରୁ ଶବ ପୁଲିସ ବାହାରକୁ ଆଣିବା ପରେ ସମସ୍ତଙ୍କ ମୃତଦେହର ମୁଣ୍ଡ, ନହେଲେ ବେକରେ କ୍ଷତ ଚିହ୍ନ ସବୁ ରହିଥିଲା। କ୍ଷତଗୁଡ଼ିକ ଗଭୀର ଥିଲା। ଯେମିତି ସମସ୍ତଙ୍କୁ ଗଇଁତିରେ ଚୋଟ ମରାଯାଇଛି। ସବୁ ସଦସ୍ୟଙ୍କ ମୁଣ୍ଡ, ବେକରେ ଆଘାତ ସବୁ ଲାଗିଛି। ଗୋଟିଏ ପରେ ଗୋଟିଏ ଶବ ଘର ଭିତରୁ ବାହାର କରି ପୁଲିସ ଘର ଆଗରେ ରଖିଥିଲା। ଭିତରେ ଥିବା କୋଠରିର ଗୋଟିଏ କୋଠରିରେ ୪ଟି ଶବ ଥିବା ବେଳେ ଆଉ ଏକ କୋଠରିରେ ଦୁଇଟି ଶବ ରହିଥିଲା। ଏଭଳି ଭାବରେ ଶେଷରେ ବାପା ମାଆ ସହ ଦୁଇ ପୁଅ ଦୁଇ ଝିଅ ବି ମରଣ ଶଯ୍ୟାରେ ଥିଲେ। ଏହି ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଥିଲା।

ବାହାରୁ ଆସି ଘର କରି ରହିଥିଲେ
ପାଟଣାଗଡ଼ ଉପଖଣ୍ଡ ବରମପୁରା ସଅଁରାପଡ଼ା କୁସମତଲରେ ରହୁଥିଲେ ବୁଲୁ ଜାନୀ ଓ ତାଙ୍କ ପରିବାର। ଆଠଦଶ ବର୍ଷ ତଳେ ତାଙ୍କ ପରିବାର ପାଟଣାଗଡ଼କୁ ଆସିଥିଲେ। ଏଠି ଫେରିବାଲା ସାଜି ଗାଁ ଗାଁ ବୁଲୁଥିଲେ। ମହୁ ବି ବିକ୍ରି କରୁଥିଲେ। ପାଟଣାଗଡ଼ କୁସମତଲରେ ଏକ ସ୍ଥାନରେ ଜମି କିଣି ଏଠାରେ ଘର କରି ରହୁଥିଲେ। ବାହାର ରାଜ୍ୟରୁ ଆସିଥିବା ବେଳେ ଏମାନେ ଲେହେରିଆ ଭାଷାରେ କଥାବାର୍ତ୍ତା କରୁଥିଲେ।

ଗ୍ୟାସ୍‌ ନେବାକୁ ଆସି ଜାଣିଲେ ଲଳିତ
ସଅଁରାପଡ଼ାରେ ରୁହନ୍ତି ରୁହନ୍ତି ଲଳିତ ପଶାୟତ। ଏକ ଗ୍ୟାସ ଟାଙ୍କି ଆଣିବାକୁ କୁସମତଲକୁ ଯାଇଥିଲେ। ସେଥିପାଇଁ ସେ ବୁଲୁଙ୍କୁ ଫୋନ୍‌ରେ ଯୋଗାଯୋଗ କରିଥିଲେ। ହେଲେ ସେ ଫୋନ୍‌ ନଉଠାଇବାରୁ ବାହାରୁ ଡାକ ଛାଡ଼ିଥିଲେ। କେହି ନଶୁଣିବାରୁ ପଡ଼ୋଶୀ ଜମା ହୋଇଥିଲେ। ପରେ ଗ୍ରାମରକ୍ଷୀଙ୍କୁ ଖବର ଦିଆଯାଇଥିଲା। ଗ୍ରାମରକ୍ଷୀ ଆସିବା ପରେ ପାଟଣାଗଡ଼ ପୁଲିସକୁ ଖବର ଦିଆଯାଇଥିଲା ବୋଲି ଲଳିତ କହିଛନ୍ତି।

ପୁଣି ସେଇ ବରମ୍‌ପୁରା
ପାଟଣାଗଡ଼ର ବରମପୁରା ସାରା ଦେଶରେ ଚର୍ଚ୍ଚିତ। କାରଣ ସେଇଠି ଘଟିଥିଲା ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା। ସେହି ବରମପୁରା ନିକଟରେ ହିଁ ଘଟିଛି ଛଅ ଜଣଙ୍କ ହତ୍ୟା ଘଟଣା। ଯାହାକି ପୁଣି ଥରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ଏଥର ବୁଲୁ ଜାନୀଙ୍କ ସ୍ତ୍ରୀ, ଦୁଇ ଛୋଟ ପୁଅ, ଦୁଇ ଛୋଟ ଝିଅଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି।

କ୍ୟାମ୍ପ୍‌ କରି ରହିଲେ ଏସ୍‌ପି
ବଲାଙ୍ଗୀର ଏସ୍‌ପି ପାଟଣାଗଡ଼ରେ କ୍ୟାମ୍ପ୍‌ କରି ନିଜେ ରହିବେ ବୋଲି କହିଛନ୍ତି। ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ ହୋଇଥିବା ଟିମ୍‌ ସବୁ ଘଟଣାର ତନ୍ନ ତନ୍ନ ଯାଞ୍ଚ କରିବ। ଅପରାଧୀଙ୍କୁ ଧରିବାକୁ ସବୁ ଦିଗକୁ ନେଇ ତଦନ୍ତ ହେବ। ଯିଏ ବି ହତ୍ୟାକାରୀ ହୋଇଥାଉ ପୁଲିସ ତାକୁ ନିଶ୍ଚିତ ଭାବରେ ଶୀଘ୍ର ଗିରଫ କରିବ ବୋଲି ଏସ୍‌ପି କହିଛନ୍ତି। ସଂଧ୍ୟାରେ ଏସ୍‌ପି ସମସ୍ତ ଅଧିକାରୀଙ୍କ ସହ ପାଟଣାଗଡ଼ ଥାନାରେ ବି ଆଲୋଚନା କରିଛନ୍ତି।

୨ ପଡ଼ୋଶୀ ଘରେ ତାଲା
ବୁଲୁ ଜାନୀଙ୍କ ଦୁଇ ପଡ଼ୋଶୀ ଘରେ ତାଲା ଝୁଲୁଛି। କେହି ବି ସଦସ୍ୟ ଘରଗୁଡ଼ିକରେ ନାହାନ୍ତି। ଗୋଟିଏ ପରିବାର ନିକଟରେ ଏକ ଇଟାଭାଟିରେ କାମ କରୁଥିବା ଲୋକେ କହୁଛନ୍ତି। ଆଉ ଏକ ପରିବାର କୁଆଡ଼େ ଯାଇଛନ୍ତି କାହାକୁ ଜଣା ନାହିଁ। ପଡ଼ୋଶୀ ମଙ୍ଗଳବାର ଘରମାନଙ୍କରେ ଥିଲେ ନା ନାହିଁ ତାକୁ ନେଇ ପୁଲିସ ପଚରାଉଚୁରା କରୁଛି। ଯଦି ସେମାନେ ଥିବେ ନିଶ୍ଚିତ ଭାବରେ କିଛି ନା କିଛି ଘଟଣା ସଂପର୍କରେ ଜାଣିଥିବେ। ଏଣୁ ସେମାନଙ୍କ ବୟାନକୁ ଏବେ ପୁଲିସ ଅପେକ୍ଷା କରିଛି। ସେମାନେ ସବୁ ଥିଲେ ନା ନାହିଁ। ତାହା ବି ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ସେମାନଙ୍କୁ ବି ତଦନ୍ତ ପରିସରଭୁକ୍ତ କରିବ ବୋଲି କୁହାଯାଉଛି।

ଚାଲିଗଲା ଫେରିବାଲା!
ଗାଁ ଗାଁ ବୁଲୁଥିଲେ ବୁଲୁ ଜାନୀ। ବହୁ ବର୍ଷ ହେଲା ଏଠାରେ ରହିଥିବାରୁ ଆଖପାଖ ସମସ୍ତେ ଚିହ୍ନି ସାରିଥିଲେ। ଫେରିବାଲା ବୁଲୁର ସପରିବାର ହତ୍ୟା ଖବର ପ୍ରଚାରିତ ହେବା ପରେ ପାଟଣାଗଡ଼ ସଅରାପଡ଼ାକୁ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା। କରୋନା କାଳରେ ବି ଶହ ଶହ ଲୋକଙ୍କ ଭିଡ଼ ରହିଥିଲା। କାହିଁ ଓ କିଏ ହତ୍ୟା କଲା ତାକୁ ନେଇ ଚାଲିଥିଲା ପାଟଣାଗଡ଼ରେ ସବୁଠି ଆଲୋଚନା। କେଉଁଠି ହତ୍ୟା ହୋଇଛି ବୋଲି ପଚାରିଲେ ଯେକେହି ବି ରାସ୍ତା ବତାଇ ଦେଉଥିଲେ। ସାରା ପାଟଣାଗଡ଼ ଏହି ଘଟଣାରେ ସ୍ତବ୍ଧ ହୋଇପଡ଼ିଛି।

ଏଏସ୍‌ପିଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍‌ କରିବ ତଦନ୍ତ
ବଲାଙ୍ଗୀର ଏସ୍‌ପି ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ। ଦିନସାରା ସେ ରହିବା ସହ ବଛା ବଛା ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିବା ସେ କହିଛନ୍ତି। ଟିମର ନେତୃତ୍ୱ ଅତିରିକ୍ତ ଏସପି ମନୋରଞ୍ଜନ ପ୍ରଧାନ ନେଉଥିବା ବେଳେ ଟିମରେ ଡିଏସ୍‌ପି ଏସ.କେ.ମହାପାତ୍ର, ପାଟଣାଗଡ଼ ଆଇଆଇସି କେ. ପ୍ରିୟଙ୍କା ରାଉତରାୟ, ସଦର ଥାନା ଆଇଆଇସି ତୋଫାନ ବାଗ ଓ ଆଉ କିଛି ଅଧିକାରୀଙ୍କୁ ରଖାଯାଇଛି।

ରକ୍ତଲଗା ଗଇଁତି ଓ ଟାଙ୍ଗିଆ ଜବତ
ହତ୍ୟାରେ ବ୍ୟବହୃତ ହୋଇଥିବା ଗଇଁତିକୁ ପୁଲିସ ଜବତ କରିଛି। ସେହିପରି ଘରେ ଥିବା ଆଉ କିଛି ଧାରୁଆ ଅସ୍ତ୍ରକୁ ବି ଜବତ କରିଛି। ଗଇଁତିରେ ରକ୍ତ ଲାଗିଥିବା ବେଳେ ପୁଲିସ ସେଥିରେ ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି। ସମଗ୍ର ଘଟଣାକୁ ଦେଖିଲେ ପରିବାର ସଦସ୍ୟ ଶୋଇଥିବା ସମୟରେ ଆକ୍ରମଣ ହୋଇଥାଇପାରେ, ନଚେତ ହତ୍ୟା ପରେ ସମସ୍ତଙ୍କୁ କମ୍ବଳ ଘୋଡ଼ାଇ ଦିଆଯାଇଛି ତାହା ସ୍ପଷ୍ଟ ହୋଇନି। ପୁଲିସ ସବୁକୁ ଜବତ କରି ତଦନ୍ତ ଚଳାଇଛି। ସାଇଣ୍ଟିଫିକ ଟିମ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ସନ୍ଧାନୀ କୁକୁର ବି ଘର ଓ ଆଖପାଖ ଅଂଚଳ ବୁଲିଥିଲା। ଏଭଳି ଏକ ହତ୍ୟାକାଣ୍ଡ ପରେ ପୁଲିସ ପ୍ରଶାସନ ଅପରାଧୀକୁ ଧରିବାକୁ ତତ୍ପର ହୋଇଛି।

ସମ୍ବନ୍ଧିତ ଖବର