ପାଟଣାଗଡ଼ : କନିଷ୍ଠ ଯନ୍ତ୍ରୀଙ୍କୁ ବିଚ୍ ରାସ୍ତାରେ କାନ ଧରି ଉଠ୍ବସ୍ କରାଇବା ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିହେବା ପରେ ଶୁକ୍ରବାର ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନାମରେ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଘଟଣା ପରଠାରୁ ନିଖୋଜ ଥିବା ସଂପୃକ୍ତ ଜେଇ ଜୟକାନ୍ତ ଶବରଙ୍କୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳରୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଜେଇ ଶ୍ରୀ ଶବର କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ଦୁଇ ଦିନ ତଳର ଏହି ଅପମାନଜନ ଘଟଣା ବର୍ଣ୍ଣନା କରିଛନ୍ତି। କେବଳ କାନଧରି ଉଠ୍ବସ୍ ନୁହେଁ, ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଶ୍ରୀ ଶବର ପ୍ରକାଶ କରିଛନ୍ତି।
ଗୁରୁବାର ରାତିରେ ପାଟଣାଗଡ଼ ଥାନାରେ ଜେଇ ଶ୍ରୀ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ବିଧାୟକ ଶ୍ରୀ ମେହେରଙ୍କ ବିରୋଧରେ ଏତଲା ଦେଇଥିଲେ। ଏହାକୁ ଭିତ୍ତି କରି ବିଧାୟକଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି। ତେବେ ଗୁରୁବାର ରାତିରୁ ଏତଲା ଦିଆ ଯାଇଥିଲେ ମଧ୍ୟ ଶୁକ୍ରବାର ପର୍ଯ୍ୟନ୍ତ ବିଧାୟକଙ୍କ ନାମରେ ମାମଲା ରୁଜୁ କରାଯାଇ ନଥିବାରୁ ବିଧାୟକଙ୍କୁ ପୁଲିସ ସୁରକ୍ଷା ଦେଉଥିବା ନେଇ ସାଧାରଣରେ ଅସନ୍ତାଷ ପ୍ରକାଶ ପାଇଥିଲା। ତେବେ ଗୁରୁବାର ବିଳମ୍ବିତ ରାତିରେ ଜେଇ ଶ୍ରୀ ଶବରଙ୍କୁ ଉଦ୍ଧାର କରି ପାଟଣାଗଡ଼ସ୍ଥିତ ତାଙ୍କ ଘରେ ଛାଡ଼ିଥିଲା। ସେ ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଥିବା କହିଥିଲେ।
ଜେଇ ଶ୍ରୀ ଶବର ଗଣମାଧ୍ୟମକୁ କାନ୍ଦି କାନ୍ଦି କହିଥିଲେ ଯେ ଗତ ୫ ତାରିଖ ଦିନ ବିଧାୟକ ଶ୍ରୀ ମେହେର ସମୀକ୍ଷା ବୈଠକ ଡାକିଥିଲେ। ଏହାପରେ ବିଧାୟକ ସବୁ ରାସ୍ତା ଦେଖିବାକୁ ଗୋଟିଏ ଦିନ ସମୟ ଦେବାକୁ କହିଥିଲେ। ନିର୍ବାହୀ ଯନ୍ତ୍ରୀ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରହି ପାରିବେ ନାହିଁ ବୋଲି କହିବାରୁ ସେ ବୈଠକରେ ରାଗି ଯାଇ ତାଙ୍କୁ ଖାତିର କରୁ ନାହାନ୍ତି ବୋଲି କହି ଏବେ ତଦାରଖ କରିବେ ବୋଲି କହିଥିଲେ। ପ୍ରଥମେ ସେ ପାଟଣାଗଡ଼–ଟିକ୍ରାପଡ଼ା ଓ ବେଲପଡ଼ା- ଧୁମାଭଟା ରାସ୍ତା ଦେଖିଲେ। ଏହା ପରେ ସେ ବେଲପଡ଼ା–ବଜଲସାଗର ରାସ୍ତା ଏବେ ତଦାରଖ କରାଯିବ ବୋଲି କହିଥିଲେ। ଜେଇ ଶ୍ରୀ ଶବରଙ୍କୁ ତୁରନ୍ତ ପହଞ୍ଚିବା ପାଇଁ କୁହାଯାଇଥିଲା। ଜେଇ ଶ୍ରୀ ଶବର ପାଟଣାଗଡ଼ରୁ ବସ୍ ଯୋଗେ ବେଲପଡ଼ା କଲେଜଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ବିଭାଗୀୟ ଅଧିକାରୀଙ୍କ ଗାଡ଼ିରେ ବସି ବଜଲସାଗର ରାସ୍ତାରେ ଯାଇଥିଲେ। ତଦାରଖ କରିବା ସମୟରେ ସବୁ ଠିକ୍ ବାହାରିବା ସତ୍ତ୍ବେ ଏହା ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରି ବିଧାୟକ ତାଙ୍କୁ ସେଠାରେ ଆଣ୍ଠେଇବାକୁ ଓ କାନଧରି ୧୦୦ ଥର ଉଠ୍ବସ୍ ହେବା ପାଇଁ କହିଥିଲେ। ମାଡ଼ ଭୟରେ ଶ୍ରୀ ଶବର କାନ ଧରି ଉଠବସ ହୋଇଥିଲେ। ମାତ୍ର ଏତିକିରେ ତାଙ୍କ ରାଗ ଶାନ୍ତ େହାଇ ନ ଥିଲା। ଏହା ପରେ ଶ୍ରୀ ଶବରଙ୍କୁ ଚାପୁଡ଼ା ମାରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ବିଧାୟକ ନିର୍ଦେଶ ଦେଇଥିଲେ। ଚାପୁଡ଼ା ନମାରିଲେ ସେ ଓ ଉପସ୍ଥିତ ଲୋକେ ମାଡ଼ ମାରିବେ ବୋଲି ଧମକାଇଥିଲେ ବିଧାୟକ। ଶେଷରେ ଶ୍ରୀ ଶବରଙ୍କୁ ନିର୍ବାହୀ ଯନ୍ତ୍ରୀ ଚାପୁଡ଼ା ମାରିଥିଲେ। ସେହିପରି ଉପସ୍ଥିତ ଲୋକେ ଓ ବିଧାୟକଙ୍କ ସମର୍ଥକମାନେ ମଧ୍ୟ ଶ୍ରୀ ଶବରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେଠାରୁ ତାଙ୍କୁ ଗାଡ଼ିରେ ନେଇ ରାତି ସାଢ଼େ ୮ଟାରେ ତଦାରଖ କରାଯାଇଥିଲା।