ଦୁଇ ଭାଇ ଅଟକ, ହତ୍ୟା ପଛରେ ପୂର୍ବ ଶତ୍ରୁତା
ଭୁବନେଶ୍ୱରରୁ ପହଞ୍ଚିଲେ ୫ ପୁଅ, ଥାନାରେ ଏତଲା
ବଲାଙ୍ଗୀର/ ପାଟଣାଗଡ଼ : ପାଟଣାଗଡ଼ ସଅଁରାପଡ଼ା କୁସୁମତଲରେ ଗୋଟିଏ ପରିବାରର ଛଅଜଣଙ୍କୁ ହତ୍ୟା ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ଆଜି ଶୋକାକୁଳ ପରିବେଶ ମଧ୍ୟରେ ୬ ଜଣଙ୍କ ମୃତଦେହକୁ ଦାହ କରାଯାଇଛି। ଅନ୍ୟପକ୍ଷରେ, ଏହି ଘଟଣାରେ ପୁଲିସ୍ ୨ ଭାଇଙ୍କୁ ଅଟକ ରଖିଥିବାବେଳେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ମୃତ ବୁଲୁ ଜାନୀଙ୍କ ଭୁବନେଶ୍ୱର ଷ୍ଟେସନ ରୋଡରେ ରହୁଥିବା ୫ ପୁଅ ବିକାଶ, ସରୋଜ, ଫିରୋଜ, ଶ୍ରୀଲାଲ, ସମୀର ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ ପାଟଣାଗଡ଼ରେ ପହଞ୍ଚିବା ପରେ ଥାନାକୁ ସିଧାସଳଖ ଯାଇଥିଲେ। ପାଟଣାଗଡ଼ ଥାନା ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ସ୍ତ୍ରୀ ଲୋକମାନେ କାନ୍ଦି କାନ୍ଦି ସବୁ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଥିଲେ। ବୁଲୁଙ୍କ ପୁଅମାନେ କାହା କାହା ସହ ସବୁ ମନାନ୍ତର ଥିଲା ସବୁ କିଛି ପୁଲିସକୁ ଜଣାଇଥିଲେ। ଅତିରିକ୍ତ ଏସ୍ପି ଓ ପାଟଣାଗଡ଼ ଆଇଆଇସି ବହୁ ସମୟ ଧରି ବୁଲୁଙ୍କ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ। ପୂର୍ବ ଘଟଣାରେ ଅଟକ ଥିବା ଦୁଇ ଜଣଙ୍କୁ ଆଣି ପରିବାର ଲୋକଙ୍କ ଆଗରେ ଚିହ୍ନଟ କରାଇଥିଲେ। ଅଟକ ଥିବା ବ୍ୟକ୍ତି ଭୋଲା ଓ ଶିବା ବୋଲି ଚିହ୍ନିଥିଲେ ପରିବାର ଲୋକ। ବୁଲୁ ଜାନୀଙ୍କ ପୁଅ ବିକାଶ ଓ ସରୋଜ ପୁଲିସ ଓ ଗଣମାଧ୍ୟମକୁ କହିଥିଲେ, ଶିବା ଓ ଭୋଲା ସହ ତାଙ୍କ ପରିବାରର ପୂର୍ବରୁ ଝଗଡ଼ା ରହିଥିଲା। ଆଉ ତିନି ଜଣ ସରଜୁ, ବବଲା, ସୁରେଶ ସହ ବି ଝଗଡ଼ା ଥିଲା। ଥାନାକୁ ଗତ ବର୍ଷ ଏକ ମାମଲା ଯାଇଥିଲା ଓ ସମାଧାନ ହୋଇଥିଲା। ମୃତ ବୁଲୁଙ୍କ ସହ ବହୁ ସମୟରେ ମତଭେଦ ରହିଥିଲା। ଧମକ ଚମକ ସେମାନେ ବିଭିନ୍ନ ସମୟରେ ଦେଇଆସୁଥିଲେ। ଏଣୁ ଏମାନେ ହିଁ ହତ୍ୟାକାରୀ ବୋଲି ମୃତକଙ୍କ ପରିବାର ଲୋକ ପୁଲିସକୁ କହିଛନ୍ତି। ମୃତ ବୁଲୁ ଜାନୀଙ୍କ ପୁଅ ଝିଅ ମିଶି ୧୦ ଜଣ। ଗତକାଲି ହତ୍ୟାର ଶିକାର ହୋଇଥିବା ଶ୍ରୀୟା(୩) ବୁଲୁଙ୍କ ସାନ ଝିଅ ନୁହେଁ ବରଂ ତାଙ୍କ ନାତୁଣୀ ବୋଲି ଜଣାପଡ଼ିଛି। ପରିବାରର ସବୁଠୁ ବଡ଼ପୁଅ ଶାନ୍ତାରାମ ଜାନୀଙ୍କୁ ପ୍ରାୟ ଦେଢ଼ ବର୍ଷ ତଳେ କୋରାପୁଟ କୋଟପଡ଼ାରେ ହତ୍ୟା କରାଯାଇଥିଲା। ସେହି ଘଟଣାର କିଛି ଲିଙ୍କ୍ ରହିଛି ନା ନାହିଁ ତା’ଉପରେ ବି ପୁଲିସ ତଦନ୍ତ ଚଳାଇଛି।
ମୋଟାମୋଟି ଘଟଣାଟି ପୂର୍ବ ଶତ୍ରୁତା ସହ ଆଉ କିଛି କାରଣ ଯଥା ସୁନାଟଙ୍କା ଭାଗବଣ୍ଟାକୁ ନେଇ ହୋଇଥିବା ପୁଲିସ ସନ୍ଦେହ କରୁଛି। କାରଣ ଘଟଣା ଦିନ ବଲାଙ୍ଗୀର ଏସ୍ପି ଟଙ୍କାକୁ ନେଇ କିଛି ବିବାଦ ରହିଛି ନା ନାହିଁ ସେହି ଆଧାରରେ ବି ପୁଲିସର ସ୍ୱତନ୍ତ୍ର ଟିମ ତଦନ୍ତ କରିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଯେଉଁମାନେ ସବୁ ପୁଲିସର ସନ୍ଦେହ ଘେରକୁ ଆସିଛନ୍ତି ସେମାନେ ବି ସବୁ ଫେରିବାଲା କାମ କରୁଛନ୍ତି। ମୃତ ବୁଲୁଙ୍କ ଘରୁ ସାମାନ୍ୟ କିଛି ଦୂର ଘରଗୁଡ଼ିକରେ ବି ତାଲା ପଡ଼ିଛି। ଏଣୁ ପୁଲିସ ସନ୍ଦେହ ସେହି ଦିଗକୁ ବି ଯାଇଛି। କେତେ ଜଣ ପରିବାର ଇଟା ଗଢ଼ିବାକୁ ଯାଇଥିବା କହୁଥିବା ବେଳେ ଅନ୍ୟମାନେ ବି କିଛି ଦିନ ହେଲା ନଥିବା କୁହାଯାଉଛି। ଏବେ ପୁଲିସ ସେମାନଙ୍କୁ ବି ଖୋଜୁଛି। ଗୁରୁବାର ପରିବାରର ୬ ଜଣଙ୍କ ଶବ ବ୍ୟବଚ୍ଛେଦ ପରେ ପୁଲିସ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା। ଏକାସଙ୍ଗରେ ପାଟଣାଗଡ଼ ସ୍ୱର୍ଗଦ୍ୱାରରେ ସମସ୍ତଙ୍କ ଦାହସତ୍କାର କରାଯାଇଛି। ମୃତ ବୁଲୁଙ୍କ ଦ୍ବିତୀୟ ପୁଅ ସମସ୍ତଙ୍କୁ ମୁଖାଗ୍ନି ଦେଇଥିଲେ। ପରିବାରର ୬ ସଦସ୍ୟଙ୍କ ଶବ ଏକାସଙ୍ଗରେ ଜୁଇରେ ଜଳିଥିଲା।