ଡାକ୍ତରଖାନାରେ ପାଟଣାଗଡ଼ ବିଧାୟକ

ପାଟଣାଗଡ଼: ଜେଇଙ୍କୁ ଉଠ୍‌ବସ ମାମଲାରେ ଜେଲରେ ଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଅପରାହ୍‌ଣରେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ବିଧାୟକ ଶ୍ରୀ ମେହେର ଜଣାଇଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୭ଟାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କୁ ଅଂଶୁଘାତ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କକ୍ଷରେ ରଖାଯାଇ ଚିକିତ୍ସା କରାଯାଉଛି। ଡା. ଏସ୍‌. କୁମାର ଓ ଡା. ହେମନ୍ତ ମେହେର ଚିକିତ୍ସା କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଡା. କୁମାରଙ୍କୁ ପଚାରିବାରୁ, ବିଧାୟକଙ୍କ ଇସିଜି ଓ ବ୍ଲଡ ସୁଗର, ରକ୍ତ ପରୀକ୍ଷା କରା ଯାଇଛି। ସବୁ ଠିକ୍ ଅଛି। ତେବେ ତାଙ୍କ ପିଞ୍ଜରା ହାଡ଼ ଦରଜ ହେଉଥିବା ବିଧାୟକ କହୁଥିବା ଡାକ୍ତର କହିଛନ୍ତି। ପ୍ରକାଶଥାଉକି, ସୋମବାର ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ ଗିରଫ କରି ଏଡିଜେଙ୍କ କୋର୍ଟକୁ ଚାଲାଣ କରିଥିଲେ। ତାଙ୍କ ଜାମିନ ନମଂଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଥିଲା। ଆବେଦନର ପରବର୍ତ୍ତୀ ଶୁଣାଣିକୁ ୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସୋମବାର ସନ୍ଧ୍ୟାରେ ବିଧାୟକଙ୍କୁ ଜେଲ୍‌ର ରୁଟିନ ହିସାବରେ ଖାଇବାକୁ ଦିଆଯାଇଥିଲା। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, ସୋମବାର ରାତିରେ ବିଧାୟକଙ୍କ ପାଇଁ ତାଙ୍କ ଘରୁ ଖାଇବା ଆସିଥିଲା। ମଙ୍ଗଳବାର ସକାଳେ ଜଳଖିଆ, ଦ୍ବିପ୍ରହରର ଭୋଜନ ମଧ୍ୟ ଘରୁ ଆସିଥିଲା।

ସମ୍ବନ୍ଧିତ ଖବର