ମାତ୍ରାଧିକ ଉତ୍ସାହ, ଅକଳରେ ନୂଆ ବିଧାୟକ : ଜେଇଙ୍କୁ କାନ ଧରି ଉଠ୍‌ବସ୍‌ କରାଇଲେ

ପାଟଣାଗଡ଼ : ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ପୂର୍ତ୍ତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କାନ ଧରି ଉଠ୍‌ବସ୍‌ କରାଇବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ‌ ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରିବାକୁ ଯାଇ ମାତ୍ରାଧିକ ଉତ୍ସାହ ପ୍ରଦର୍ଶନ କରିବା ନବ ନିର୍ବାଚିତ ବିଧାୟକଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ବିଧାୟକ ଶ୍ରୀ ମେହେର ମଝି ରାସ୍ତାରେ କଙ୍ଗାରୁ କୋର୍ଟ କରି ପୂର୍ତ୍ତ ବିଭାଗର ଜେଇ ଜୟକାନ୍ତ ଶବରଙ୍କୁ ଦଣ୍ଡିତ କରିବାର ଦୃଶ୍ୟ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶାସକ ଦଳର ବିଧାୟକଙ୍କ ଏପରି କାର୍ଯ୍ୟକଳାପକୁ ନେଇ ସୋସାଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେହି କେହି ସରକାରୀ ବାବୁଙ୍କୁ ସାବାଡ଼ କରିବା ଠିକ୍ ହୋଇଛି ବୋଲି ଦର୍ଶାଇଥିବ‌ାବେଳେ ଅନ୍ୟମାନେ ବିଧାୟକ ଆଇନକୁ ହାତକୁ ନେଇ ଦାଦାଗିରି ପ୍ରଦର୍ଶନ କରିଥିବା ଦର୍ଶାଇ ଏଭଳି କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଏଭଳି ଅପମାନର ଶିକାର ହୋଇଥିବା ଜେଇ ଶ୍ରୀ ଶବରଙ୍କ ପତ୍ନୀ ଶ୍ରୀମତୀ ପ୍ରବୀଣା ରାଜହଂସ ପାଟଣାଗଡ଼ ଥାନାରେ ଏତଲା ଦେଇଥିବାବେଳେ ବଲାଙ୍ଗୀର ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ଲାଗି ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ବିଧାୟକ ଶ୍ରୀ ମେହେର ନିଜ ଆଚରଣ ପାଇଁ ଗଣମାଧ୍ୟମରେ ଦୁଃଖ ପ୍ରକାଶ କରିଛନ୍ତି।

ଭାଇରାଲ ହୋଇଥିବା ଭିଡିଓ ଦୃଶ୍ୟରୁ ଜଣାପଡ଼ୁଛି ଯେ ବୁଧବାର ସନ୍ଧ୍ୟାରେ ବିଧାୟକ ଶ୍ରୀ ମେହେର ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲପଡ଼ା ବ୍ଲକ ଅଧୀନରେ ରହିଥିବା ପୂର୍ତ୍ତ ବିଭାଗର କିଛି ରାସ୍ତା କାମ ତଦାରଖ କରିବା ପାଇଁ ଯାଇଥିଲେ। ବେଲପଡ଼ା–ବଜଲସାଗର ରାସ୍ତା ଦେଖିବା ପାଇଁ ଯାଇଥିବା ବେଳେ ଗମ୍ଭାରୀ ଗ୍ରାମରେ ଏହି ଘଟଣାଟି ଘଟିଥିଲା। ବିଧାୟକ ଶ୍ରୀ ମେହେର ନିଜେ ଜେଇ ରାସ୍ତା କାମ ଯାଞ୍ଚ କରିବା ପରେ କାମ ନିମ୍ନମାନର ହୋଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଆଉ ସମ୍ପୃକ୍ତ ରାସ୍ତା ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗର ଜେଇ ଶ୍ରୀ ଶବରଙ୍କୁ ରାସ୍ତା ମଝିରେ ଲୋକଙ୍କ ସାମନାରେ କାନ ଧରି ୧୦୦ ଥର ବସଉଠ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେ‌ଷରେ ବାଧ୍ୟ ହୋଇ ଅଧିକାରୀ ଜଣକ କାନ ଧରି ବସଉଠ ହୋଇଥିଲେ। ୨-୩ ଥର ବସଉଠ ହେବା ପରେ ଭୁଲ୍‌ ହୋଇ ଯାଇଛି କହି ଜେଇ ଶ୍ରୀ ଶବର ହାତ ଯୋଡ଼ି ପାଦ ଛୁଇଁ ନେହୁରା ହେଲେ ମଧ୍ୟ ତାଙ୍କ କଥା ଶୁଣି ନଥିଲେ ବିଧାୟକ । ୧୦୦ ଥର ଉଠବସ ହେବାକୁ ବାରମ୍ବାର କହିଥିଲେ। ଏହାର ଭଡିଓ ରେକର୍ଡିଂ କରିବା ପାଇଁ ମଧ୍ୟ ବିଧାୟକ ତାଙ୍କର ଜଣେ ସମର୍ଥକଙ୍କୁ କହିଥିଲେ। ୫ ମିନିଟରେ ୧୦୦ ଥର କାନ ଧରି ବସଉଠ ନ ହେଲେ ଉପସ୍ଥିତ ଲୋକେ ନିସ୍ତୁକ ମାଡ଼ ଦେବେ ବୋଲି ଲୋକଙ୍କୁ ମୁଁ ବିଧାୟକ ନିର୍ଦ୍ଦେଶ ଦେଉଛି ବୋଲି ଶ୍ରୀ ମେହେର କହିଥିଲେ। ଏହା ସହିତ ‌ସେ ଆହୁରି କହିଥିଲେ ଯେ ଲୋକେ ଟ୍ୟାକ୍ସ ଦେଉଛନ୍ତି, ମୁଁ ବି ଟ୍ୟାକ୍ସ ଦେଉଛି, ସେଇ ପଇସାରେ ରାସ୍ତା ହୋଇଛି, ଏହି ଟଙ୍କା ମାଗଣା ନୁହେଁ। ସବୁ ରାସ୍ତା ଉପାଡ଼ି ନୂଆ କରାଯିବ ବୋଲି କହିଥିଲେ ଶ୍ରୀ ମେହେର। ବିଧାୟକଙ୍କ ରାଗ ଓ ଦାଦାଗିରି ଦେଖି ସେଠାରେ ଥିବା ଲୋକେ ଏହାର ପ୍ରତିବାଦ ନ କରି ବରଂ ମୋବାଇଲରେ ଏହାର ଭିଡିଓ ରେକଡ଼ିଂ କରି ମଜା ନେଇଥିଲେ।

ଏହି ଘଟଣା ପ୍ରଚାରିତ ହେବା ପରେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ବିଧାୟକ ଶ୍ରୀ ମେହେରଙ୍କୁ ପଚରାଯିବାରୁ ସେ କହିଛନ୍ତି ‘ନିମ୍ନମାନର ରାସ୍ତା କାମ ହୋଇଛି। ବିଧାୟକ ହେବା ପରେ ମୁଁ ଲୋକଙ୍କ କଥା ଶୁଣିବି। ରାସ୍ତା ଦେଖିବା ପରେ ସେ ସ୍ଥାନରେ କୌଣସି କଂକ୍ରିଟ ହୋଇ ନଥିଲା। ତାହା ଦେଖି ଲୋକେ ଉତ୍ତ୍ୟକ୍ତ ହୋଇ ପଡ଼ିଲେ। ବିଭାଗର ଅଧିକାରୀ ଓ ମୋତେ ନାନା କଥା କହିଲେ। ଉପସ୍ଥିତ ଲୋକେ ତତ୍‌କ୍ଷଣାତ ପଦକ୍ଷେପ ନେବା ପାଇଁ ମୋତେ କହିଥିଲେ। ପରିସ୍ଥିତି ବାଧ୍ୟ କଲା ତେଣୁ ଏପରି କରିଥିଲି। ଏଥିରେ ମୁଁ ଦୁଃଖିତ’ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ଜେଇ ଶ୍ରୀ ଶବରଙ୍କ ପତ୍ନୀ ଏ ନେଇ ବିଧାୟକଙ୍କ ବିରୋଧରେ ପାଟଣାଗଣ ଥାନାରେ ଏତଲା ‌ଦେଇଛନ୍ତି।

ଶ୍ରୀମତୀ ରାଜହଂସଙ୍କ ଏତଲା ଅନୁଯାୟୀ, ବୁଧବାର ଅପରାହ୍ନ ୩ଟା ୧୫ ମିନିଟରେ ପାଟଣାଗଡ଼ ବିଧାୟକ ଶ୍ରୀ ମେହେର ତାଙ୍କ ଘରକୁ ଆସି ତାଙ୍କ ସ୍ବାମୀ ଜେଇ ଶ୍ରୀ ଶବରଙ୍କୁ ଜୋର ଜବରଦସ୍ତ ନେଇ ଯାଇଥିଲେ। ବିଧାୟକ ଶ୍ରୀ ମେହେରଙ୍କ ନିର୍ଦ୍ଦେଶରେ ତାଙ୍କ ସ୍ବାମୀ ଶବରଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଦିଆଯିବା ସହିତ ଉପସ୍ଥିତ କିଛି ଲୋକ ମାଡ଼ ମାରିଥିବା, ଜାତି ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳି କରିଥିବା ନେଇ ଉଲ୍ଲେଖ କରିଛନ୍ତି। ଏହା ଦ୍ବାରା ‌ତ‌ାଙ୍କ ସ୍ବାମୀ ମାନସିକ ଭାରସାମ୍ୟ ହରାଇ ବସିଥିବା ବେଳେ ବୁଧବାର ଠାରୁ ଘରକୁ ଫେରି ନଥିବା ବେଳେ ବିଧାୟକ ଶ୍ରୀ ମେହେର ଅପହରଣ କରି କିଛି ଅଘଟଣ ଘଟାଇ ପାରନ୍ତି ବୋଲି ସେ ସନ୍ଦେହ କରିଥିବା ଏବଂ ବିଧାୟକ ଶ୍ରୀ ମେହେରଙ୍କୁ ତୁରନ୍ତ ଗିରଫ କରି ଦଣ୍ଡିତ କରିବା ପାଇଁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏତଲା ଦେବା ସମୟରେ ନିରଞ୍ଜନ ବିଶି, ଅଷ୍ଟରତ୍ନ ବରିହା, ଚନ୍ଦ୍ରମଣି ଶବର ପ୍ରମୁଖଙ୍କ ସହିତ ଶତାଧିକ ଆଦିବାସୀ ସଦସ୍ୟ ଉପସ୍ଥିତ ଥିଲେ।

ଲମ୍ବା ଛୁଟିରେ ଯିବେ ଦୁଇ ଅଧିକାରୀ
ଗମ୍ଭାରୀ ଗ୍ରାମରେ ଘଟିଥିବା ବୁଧବାର ସନ୍ଧ୍ୟାର ଘଟଣା ପରେ କଣ୍ଟାବାଞ୍ଜି ନିର୍ବାହୀ ଯନ୍ତ୍ରୀ ଶ୍ରୀ ମିଶ୍ର ଓ ଜେଇ ଶ୍ରୀ ଶବର ବହୁ ଦିନ ପାଇଁ ଲମ୍ବା ଛଟିରେ ଯିବା ପାଇଁ ଦରଖାସ୍ତ ଦେଇଥିବା ସୂଚନା ମିଳିଛି। ଏଭଳି ପରିସ୍ଥିତିରେ ରହି କାମ କରିବା ମୋ ପକ୍ଷରେ କଷ୍ଟସାଧ୍ୟ ହୋଇ ପଡ଼ିଛି, ତେଣୁ ଛୁଟିରେ ଯାଉଛି ବୋଲି ଶ୍ରୀ ମିଶ୍ର ଆମକୁ ସୂଚନା ଦେଇଥିଲେ। ସେହିପରି ପାଟଣାଗଡ଼ ବିଧାୟକଙ୍କ କାର୍ଯ୍ୟକଳାପରେ ଭୟଭୀତ ହୋଇ ବିଭାଗର ବହୁ କର୍ମଚରୀ ଛୁଟିରେ ଯିବା ପାଇଁ ସ୍ଥିର କରିଥିବା ମଧ୍ୟ ଜଣାପଡ଼ିଛି।

ସମ୍ବନ୍ଧିତ ଖବର