ବିଧାୟକ ସରୋଜଙ୍କ ଅଡ଼ୁଆ ବଢ଼ିଲା, ଜୋର ଧରିଲା କାର୍ଯ୍ୟାନୁଷ୍ଠାନ ଦାବି

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ପୂର୍ତ୍ତ ମନ୍ତ୍ରୀ, ଯନ୍ତ୍ରୀଙ୍କ ସପକ୍ଷରେ ସଂଘ, ମୁଖ୍ୟସଚିବଙ୍କୁ ଭେଟିଲେ, ମେହେରଙ୍କୁ ଗିରଫ କରିବାକୁ ଦାବି କଲା ବିଜେପି

ଭୁବନେଶ୍ବର : ବିଜେଡିର ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଲାଣି। େଗାଟିଏ ପଟେ ବିଧାୟକଙ୍କ ବିେରାଧରେ ତୁରନ୍ତ ପଦକ୍ଷେପ ନେବା ଲାଗି ବିଜେପି ଦାବି କରିଥିବା ବେଳେ କଂଗ୍ରେସ ଘଟଣାକୁ ନିନ୍ଦା କରିଛି। ଅନ୍ୟପଟରେ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଜି କହିଛନ୍ତି, ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏଭଳିସ୍ଥିତିରେ ଆଜି ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘ ସଂପୃକ୍ତ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପକ୍ଷ ନେଇଛି। ଆଜି ସଂଘର କର୍ମକର୍ତାମାନେ ମୁଖ୍ୟଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୂର୍ତ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏହାକୁ ନେଇ ରାଜନୀତି ବି ସରଗରମ।

ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ସରୋଜ ମେହେରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟିବା ପରେ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘର ସାଧାରଣ ସମ୍ପାଦକ ସଚିତ୍ର ମୋହନ ରାଉଳ କହିଥିଲେ, ବିଧାୟକଙ୍କ ଭଳି ନିର୍ବାଚିତ ଜନପ୍ରତିନିଧି ଆଇନକୁ ନିଜ ହାତକୁ ନେଇ କର୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ଦଣ୍ଡ ଦେବା ଅତ୍ୟନ୍ତ ଗର୍ହିତ ଓ ଆଇନ ବିରୁଦ୍ଧ କାର୍ଯ୍ୟ। ସଂଘ ଏ ପ୍ରକାର ଆଇନ ବିରୋଧୀ କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛି। ଯେହେତୁ ଆଇନରେ ଉର୍ଦ୍ଧ୍ବରେ କେହି ନୁହନ୍ତି, ସେଥିପାଇଁ ସମ୍ପୃକ୍ତ ପାଟଣାଗଡ଼ ବିଧାୟକ ଶ୍ରୀ ମେହେରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରୁଛି। ନଚେତ୍ ଆଗକୁ ସଂଘ ସରକାରଙ୍କୁ ଅସହଯୋଗ କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରିବ।

ଏହି ଘଟଣାକୁ ନେଇ ଏବେ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କଲେଣି। ବିଧାୟକ ଶ୍ରୀ ମେହେରଙ୍କୁ ତୁରନ୍ତ ଗିରଫ କରିବାକୁ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଦାବି କରିଛି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରି କହିଛନ୍ତି, ଜୟକାନ୍ତ ଶବରଙ୍କୁ ଯେଉଁଭଳି ଭାବରେ ଜନସାଧାରଣଙ୍କ ଆଗରେ କାନଧରି ବିଧାୟକ ଉଠବସ କରାଇଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ବିଜେଡି ଶାସନରେ ଗଣତାନ୍ତ୍ରିକ ଶୈଳୀରେ ଶାସନ ଚାଲୁ ନାହିଁ। ଏ ନେଇ ବିଧାୟକଙ୍କ ବିରୋଧରେ ସହକାରୀ ଇଞ୍ଜିନିୟର ଶ୍ରୀ ଶବରଙ୍କ ପତ୍ନୀ ପୁଲିସରେ ଏତଲା ଦେଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଖୋଦ ବିଧାୟକ ମଧ୍ୟ ନିଜେ ନିଜର ଅପରାଧକୁ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ଏସବୁ ସତ୍ତ୍ବେ ପୁଲିସ କାହିଁକି ଚୁପ ବସିଛି େବାଲି ବିଜେପି ସମ୍ପାଦିକା ପ୍ରଶ୍ନ କରିଛନ୍ତି। ତୁରନ୍ତ ବିଧାୟକ ଶ୍ରୀ ମେହେରଙ୍କୁ ଗିରଫ କରିବା ସହ ଶ୍ରୀ ଶବରଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଦିଆଯାଉ ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି। ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିବା ସହ ସରକାର ଏପରି ଉଦ୍ଧତ ଜନପ୍ରତିନିଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି କହିଛନ୍ତି।

ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି, ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ସହିତ ସଂପୃକ୍ତ କାମର ମାନ ମଧ୍ୟ ଯାଞ୍ଚ େହବ।

ସମ୍ବନ୍ଧିତ ଖବର