ପାଟଣାଗଡ଼ : ପୂର୍ତ୍ତ ବିଭାଗ ଜେଇଙ୍କୁ ରାସ୍ତାରେ କାନଧରି ଉଠ୍‌ବସ୍‌ କରାଇବା ଘଟଣାରେ ଜେଲ୍‌ ଯାଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଗତ ମଙ୍ଗଳବାର ଦିନ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସୁସ୍ଥ ଅନୁଭବ କରୁଥିବା ଯୋଗୁଁ ତାଙ୍କୁ ରବିବାର ସନ୍ଧ୍ୟାରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇ ପୁଣି ଜେଲ ହାଜତକୁ ନିଆଯାଇଛି। ସୋମବାର ତାଙ୍କ ଜାମିନ ଆବେଦନର ଶୁଣାଣି ରହିଥିବାରୁ ତାଙ୍କୁ ଭୁବନେଶ୍ବର ଏଡିଜେଙ୍କ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

Advertisment

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମର ଏକ ରାସ୍ତା କାମ ଯାଞ୍ଚ ପାଇଁ ଯାଇଥିବା ବେଳେ ସେଠାରେ ସର୍ବସାଧାରଣ ସମ୍ମୁଖରେ ବିଧାୟକ ଶ୍ରୀ ମେହେର ଉକ୍ତ ରାସ୍ତା ଦାୟିତ୍ବରେ ଥିବା ଜେଇ ଜୟକାନ୍ତ ଶବରଙ୍କୁ କାନଧରି ଉଠ୍‌ବସ୍‌ କରାଇଥିଲେ। ଏହି ଘଟଣା ସଂପର୍କରେ ଶ୍ରୀ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ଗତ ୬ ତାରିଖରେ ପାଟଣାଗଡ଼ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ ଏବଂ ପୁଲିସ ମାମଲା ରୁଜୁ କରିଥିଲା। ବିଧାୟକଙ୍କ ଗିରଫ ଦାବି କରି ବଲାଙ୍ଗୀର ଜେଇ ମହାସଂଘ, ଜିଲ୍ଲା ଆଦିବାସୀ ମହାସଂଘ ଆନ୍ଦୋଳନ କରିଥିଲେ। ଶେଷ‌ରେ ବିଧାୟକ ଶ୍ରୀ ମେହେରଙ୍କୁ ପୁଲିସ ଗିରଫ କରିଥିଲା।

ମୋ ପରିବାରକୁ ଧମକ ଦିଆଯାଉଛି: ପ୍ରବୀଣା

publive-imageବିଧାୟକଙ୍କ ସମର୍ଥକମାନେ ଧମକ ଦେଉଛନ୍ତି ବୋଲି ଅଭିଯୋଗ କରି ଜେଇ ଜୟକାନ୍ତ ଶବରଙ୍କ ସ୍ତ୍ରୀ ପ୍ରବୀଣା ରାଜହଂସ ପରିବାରର ସୁରକ୍ଷା ଦାବି କରିଛନ୍ତି। ବିଧାୟକ ବାହାରକୁ ଆସିଲେ ତାଙ୍କ ସ୍ବାମୀଙ୍କୁ ସସପେଣ୍ଡ କରାଇବା ଓ ଆଦିବାସୀମାନଙ୍କୁ ମଧ୍ୟ ଛଡ଼ାଯିବ ନାହିଁ ବୋଲି ବିଧାୟକଙ୍କ ସମର୍ଥକମାନେ କହୁଛନ୍ତି। ଆଜି କୋର୍ଟରେ ପକ୍ଷ ରଖିବା ପାଇଁ ଭୁବନେଶ୍ବର ଯିବା ସମୟରେ ପ୍ରବୀଣା ଗଣାମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଥିଲେ। ଏ ସଂପର୍କରେ ବିଧାୟକ ଶ୍ରୀ ମେହେରଙ୍କ ପ୍ରତିକ୍ରିୟା ନେବାରୁ ସେ ଏହି ଅଭିଯୋଗ ଉଦ୍ଦେଶ୍ୟମୂଳକ ଓ ଭିତ୍ତିହୀନ ବୋଲି କହିଥିଲେ।