ରାସ୍ତାରେ ଜେଇଙ୍କୁ କାନଧରି ଉଠ୍‌ବସ୍‌ କରାଇବା ମାମଲା : ଜେଲ୍‌ ଗଲେ ବିଧାୟକ

ବିଧାନସଭା ଅଧିବେଶନର ଦିନକ ପୂର୍ବରୁ ଗିରଫ, ଜୁଲାଇ ୧ ରେ ଜାମିନ ଆବେଦନ ଶୁଣାଣି

ପାଟଣାଗଡ଼/ନୂଆପଡ଼ା : ୨୫ ତାରିଖରେ ବିଧାନସଭା ଯାଇଥାନ୍ତେ। କିନ୍ତୁ ଦିନକ ପୂର୍ବରୁ ଗିରଫ‌ ହୋଇ ଜେଲ୍‌ ହାଜତକୁ ଗଲେ ପାଟଣାଗଡ଼ର ନବନିର୍ବାଚିତ ବିଧାୟକ ସରୋଜ ମେହେର। ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ରାସ୍ତାରେ କାନଧରି ଉଠବସ କରାଇବା ଓ ବରିଷ୍ଠ ଅଧିକାରୀଙ୍କ ହାତରେ ମାଡ଼ ମରାଇବା ଘଟଣା ବିଧାୟକ ଶ୍ରୀ ମେହେରଙ୍କୁ ବହୁତ ମହଙ୍ଗା ପଡ଼ିଛି। ୧୯ ଦିନ କାଳ ଛକାପଞ୍ଝା ପରେ ଗତକାଲି ରାତି ଅଧରେ ନାଟକୀୟ ଘଟଣାକ୍ରମରେ ନୂଆପଡ଼ାର ସୁଖସାଗର ଲଜ୍‌ରୁ ବିଧାୟକଙ୍କୁ ଉଠାଇ ଆଣିଥିଲା ପୁଲିସ। ଆଜି ସକାଳେ ବଲାଙ୍ଗୀରରେ ଦୀର୍ଘ ସମୟ ପଚରାଉଚୁରା କରିବା ପରେ ପାଟଣାଗଡ଼ ଆଣି କୋର୍ଟରେ ହାଜର କରାଇଥିଲା। ଜାମିନ ମଞ୍ଜୁର ହୋଇନ ପାରିବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍‌ ସହ ଅପମାନିତ କରାଯିବା ଘଟଣା ପରଠାରୁ ବିଧାୟକଙ୍କ ଗିରଫଦାରୀ ପାଇଁ ବିଭିନ୍ନ ମହଲରୁ ଚା‌ପ ପଡ଼ୁଥିଲା। ଗତକାଲି ରାତିରେ ବିଧାୟକ ନୂଆପଡ଼ାର ସୁଖସାଗର ଲଜ୍‌ରେ ଥିବା ଖବର ପାଇଥିଲେ ବଲାଙ୍ଗୀର ଏସ୍‌ପି କେ. ଶିବ ସୁବ୍ରମଣି। ତୁରନ୍ତ ଏକ ଟିମ୍‌ ଗଠନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ପୁଲିସର ବି ସହଯୋଗ ନିଆଯାଇଥିଲା। ଦୁଇ ଜିଲ୍ଲାର ପ୍ରାୟ ୨୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍‌ ରାତି ଦୁଇଟା ବେଳେ ନୂଆପଡ଼ା ସଦର ମହକୁମାଠାରୁ ତିନି କିଲୋମିଟର ଦୂର ଲୁକୁପାଲିରେ ଥିବା ଏହି ଲଜ୍‌ରେ ଚଢ଼ଉ କରିଥିଲେ। ପର୍ଶୁରାମ ବରିହାଙ୍କ ନାମରେ ବୁକ୍‌ ହୋଇଥିବା ରୁମ୍‌ ନମ୍ବର ୧୦୨ରେ ବିଧାୟକ ଶ୍ରୀ ମେହେର ଥିଲେ। ତାଙ୍କ ସହ ୪ ଜଣ ସହଯୋଗୀ ବି ସେହି ଲଜ୍‌ରେ ରହୁଥିଲେ। ସେଠାରୁ ବିଧାୟକଙ୍କୁ ଧରିଥିଲା ପୁଲିସ। ରାତାରାତି ଆଣିଥିଲା ବଲାଙ୍ଗୀର। ରିଜର୍ଭ ପୁଲିସ ବାରାକ୍‌ ପରିସରରେ ବିଧାୟକଙ୍କୁ ରଖିବା ସହ ଦୀର୍ଘ ସମୟ ଧରି ଜେରା କରା ଯାଇଥିଲା। ସେଠାରୁ କଡ଼ା ସୁରକ୍ଷା ବଳୟରେ ବିଧାୟକ ଶ୍ରୀ ‌ମେହେରଙ୍କୁ ପାଟଣାଗଡ଼ ଥାନାକୁ ଅଣା ଯାଇଥିଲା। ପାଟଣାଗଡ଼ ଥାନାରେ ପୁଲିସର ଓ ସିଆରପିଏଫ୍‌ ଯବାନଙ୍କ ଛାଉଣି ରହିଥିଲା। ଏହାପରେ ବିଧାୟକଙ୍କ ଡାକ୍ତରୀ ମାଇନା କରା ଯାଇଥିଲା।‌ ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ପାଟଣାଗଡ଼ କୋର୍ଟ ବନ୍ଦ ରହିଥିବାରୁ ପୁଲିସ ବିଧାୟକଙ୍କୁ ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ଏଡିଜେ)ଙ୍କ ବାସ ଭବନକୁ ନେଇ ହାଜର କରିଥିଲା। ସେଠାରେ ଶ୍ରୀ ମେହେରଙ୍କ ଜାମିନ ନାମଞ୍ଜୁର ହୋଇଯାଇଥିଲା। ମାମଲାର ପରବର୍ତୀ ଶୁଣାଣି ଜୁଲାଇ୧ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ଏହାପରେ ଶ୍ରୀ ମେହେରଙ୍କୁ ପାଟଣାଗଡ଼ ଉପକାରାଗାରରେ ନେଇ ଛାଡ଼ିଥିଲା ପୁଲିସ।

ଜୁଲାଇ ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ବେଳେ କନି‌ଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ କୋର୍ଟରେ ହାଜର ହେବା ଲାଗି ନୋଟିସ ହୋଇଥିବା ଜଣାପଡ଼ିଛି।

ପ୍ରକାଶ ଥାଉ କି, ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମରେ ନିମ୍ନମାନର ରାସ୍ତାକାମ ଦେଖାଇ ସର୍ବସାଧାରଣଙ୍କ ସମ୍ମୁଖରେ ବିଧାୟକ ଶ୍ରୀ ମେହେର ପୂର୍ତ୍ତ ବିଭାଗର ଜେଇ ଜୟକାନ୍ତ ଶବରଙ୍କୁ ୫ ମିନିଟରେ ୧୦୦ ଥର କାନଧରି ଉଠବସ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ନ ହେଲେ ନିସ୍ତୁକ ମାଡ ମାରିବାକୁ ଜନତାଙ୍କୁ ନିର୍ଦ୍ଦେଶ ଦେଉଛି ବୋଲି କହିଥିଲେ। ମାଡ଼ ଭୟରେ ଜେଇ କିଛି ସମୟ କାନଧରି ଉଠବସ ମଧ୍ୟ ହୋଇଥିଲେ। ବିଧାୟକଙ୍କ ହାତଗୋଡ ଧରି ନେହୁରା ହୋଇଥିଲେ। ମାତ୍ର କିଛି ନ ଶୁଣି ଜେଇଙ୍କୁ ମାଡ଼ ମାରିବାକୁ ବିଧାୟକ ସେଠାରେ ଉପସ୍ଥିତ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇ ନିର୍ବାହୀ ଯନ୍ତ୍ରୀ ଜେଇ ଶବରଙ୍କୁ ସେହି ସ୍ଥାନରେ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଓଡିଶା କନିଷ୍ଠ ଯନ୍ତ୍ରୀ ମହାସଂଘ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲସ ମହାନିର୍ଦ୍ଦେଶକଙ୍କୁ ଭେଟି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ବଲାଙ୍ଗୀର ଜେଇ ସଂଘ ପକ୍ଷରୁ କାର୍ଯବନ୍ଦ ଆନ୍ଦୋଳନ କରାଯାଇଥିଲା। ୨୫ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ପୁଲିସ ଉପରେ ଏହାର ଭରପୂର ଚାପ ରହିଥିଲା ଓ ସେଥିଲାଗି ଦିନକ ପୂର୍ବରୁ ପୁଲିସ ଶ୍ରୀ ମେହେରଙ୍କୁ ଗିରଫ କରି ‌କୋର୍ଟ ଚାଲାଣ କରିଥିବା ନେଇ ସହରରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର