ପାଟଣାଗଡ଼ ହତ୍ୟା ମାମଲା : ଗଣହତ୍ୟାର ମାଷ୍ଟରମାଇଣ୍ଡ୍ ପଡ଼ୋଶୀ ଗଙ୍ଗୁୱା!

ପୁଲିସକୁ ଗଙ୍ଗୁୱାର ଚାଲେଞ୍ଜ ଭରା ଚିଠିକୁ ନେଇ ଚର୍ଚ୍ଚା!

ପତିଆରା ପାଇଁ ହେଉଥିଲା ଗଣ୍ତଗୋଳ
ଅଟକଙ୍କୁ ଜେରା କରୁଛି ପୁଲିସ
ମୋପେଡ ଓ ସ୍କୁଟିରେ ଫେରାର ମାରିଥିଲେ ହତ୍ୟାକାରୀ

ବଲାଙ୍ଗୀର/ପାଟଣାଗଡ଼ : ପାଟଣାଗଡ଼ ସଅଁରାପଡ଼ା ଗଣହତ୍ୟା ମାମଲାର ମାଷ୍ଟରମାଇଣ୍ଡ୍ ପଛରେ ପଡ଼ିଛି ବଲାଙ୍ଗୀର ପୁଲିସ। ମୃତ ବୁଲୁ ଜାନୀଙ୍କ ପାଖପଡ଼ୋଶୀ ଗଙ୍ଗୁୱା ମାଝୀ ହିଁ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ ଦୃଢ଼ୀଭୂତ ହେବାରୁ ବଲାଙ୍ଗୀର ପୁଲିସ ଏବେ ଗଙ୍ଗୁୱା ଓ ତା ପୁଅଙ୍କୁ ଖୋଜୁଛି। ଆଉ ଗଙ୍ଗୁୱାଙ୍କ ପରିବାର ସଦସ୍ୟ ଓ ସଂପର୍କୀୟଙ୍କୁ ଆଣି ମାରାଥନ ଜେରା ଚଳାଇଛି। ହତ୍ୟାକାରୀମାନେ ଘଟଣା ଦିନ ୬ ଜଣଙ୍କୁ ହତ୍ୟା କରିବା ପରେ ମୋପେଡ, ସ୍କୁଟି ଆଦିରେ ଫେରାର ମାରିଥିବା ପୁଲିସ ସୂଚନା ପାଇଛି। ହତ୍ୟାକାଣ୍ତରେ ବ୍ୟବହୃତ ୩ଟିରୁ ୪ଟି ବାଇକକୁ ପୁଲିସ ଜବତ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ପାଖାପାଖି ସପ୍ତାହେ ହେଲାଣି ଗଣହତ୍ୟା ମାମଲାର ତଦନ୍ତ କରୁଛି ପୁଲିସ। ଜଣ ଜଣଙ୍କୁ ଉଠାଇ ଆଣି ଜେରା କରାଯାଉଛି। ବର୍ତ୍ତମାନ ଯାଏ ଆଠରୁ ନଅ ଜଣଙ୍କୁ ପୁଲିସ ଅଟକ ରଖି ତନାଘନା ଚଳାଇଛି। ତେବେ ଏହି ଲୋମଟାଙ୍କୁରା ଗଣହତ୍ୟା ପଛର କାହାଣୀ ଏତେ ବଡ଼ କାରଣ ନୁହେଁ ବୋଲି କୁହାଯାଉଛି। ସଅଁରାପଡ଼ା ଭିତରେ ପତିଆରା ପାଇଁ ପଡ଼ୋଶୀ ସହିତ ବୁଲୁଙ୍କ ଗଣ୍ତଗୋଳ ହେଉଥିଲା। ଆଉ ସେହି ଗଣ୍ତଗୋଳ ହିଁ ପ୍ରତିଶୋଧର ରୂପ ନେଇଥିଲା। ରକ୍ତମୁଖା ହତ୍ୟାକାରୀ ଛୁଆମାନଙ୍କୁ ବି ଛାଡ଼ିନଥିଲେ।

ସଅଁରାପଡା ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜଣାଯାଏ ଯେ, କିଛି ଦିନ ତଳେ ମୃତ ବୁଲୁ ଜାନୀ ଓ ଗଙ୍ଗୁୱା ମାଝୀଙ୍କ ଭିତରେ ଗଣ୍ତଗୋଳ ହୋଇଥିଲା। ଗଙ୍ଗୁୱାର ଅନୁପସ୍ଥିତିରେ ତାର ଘରର ତାଲା ଭାଙ୍ଗୁଥିଲେ ବୁଲୁ ଜାନୀ। ଗଙ୍ଗୁୱାଙ୍କ ଜଣେ ପଡ଼ୋଶୀ ଏହା କରିବାକୁ ମନା କରିଥିଲେ। ପୂର୍ବରୁ ବି କିଛି ଗଣ୍ତଗୋଳ ହୋଇଥିଲା। ତେବେ ତାଲାଭଙ୍ଗା ଘଟଣା ପରେ ଗଙ୍ଗୁଆ ମାଝୀ ପରିବାର ଓ ବୁଲୁ ଜାନୀଙ୍କ ପରିବାର ଭିତରେ ଉଗ୍ରରୂପ ନେଇଥିଲା ଶତ୍ରୁତା। ମୃତ ବୁଲୁ ଜାନୀଙ୍କ ପୁଅଙ୍କ କହିବାନୁସାରେ, ଗଙ୍ଗୁୱା ଓ ତାର ପୁଅ ମର୍ଡର ପ୍ଲାନ କରିଛନ୍ତି। ଗଙ୍ଗୁୱା ଓ ସଂପର୍କୀୟମାନେ ସମସ୍ତଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି।

ପାଖପଡ଼ୋଶୀ ଓ ମୃତ ବୁଲୁଙ୍କ ପୁଅମାନଙ୍କୁ ପଚରାଉଚରା କରି ଏହି ସୁରାକ ପାଇଥିଲା ପୁଲିସ। ଏପଟେ ମାଝୀ ପରିବାର ଫେରାର ବି ଅଛି। ଘଟଣା ଦିନ ଅର୍ଥାତ ଗତ ୧୧ ତାରିଖ ଶିବା ଓ ଭୋଲାଙ୍କୁ ଥାନାକୁ ଆଣି ଅଟକ ରଖି ପୁଲିସ ପଚରାଉଚୁରା କରିଥିଲା। ୧୨ ତାରିଖ ଦିନ ବାବଲୁ ଜାନୀ, ସୁରେଶ ଜାନୀଙ୍କୁ ପୁଲିସ ଉଠାଇଥିଲା। ୧୫ ତାରିଖ ପୁଲିସ ଟିମ ମୃତ ବୁଲୁଙ୍କ ପୁଅଙ୍କୁ ନେଇ ନବରଙ୍ଗପୁର ଯାଇଥିଲା। ଝରିଗାଁ ଥାନା ଅନ୍ତର୍ଗତ ଦେଉଲକୋଣା ଗାଁରୁ ୪ ଜଣ ମନୀଷ, ନରସିଂହ, ପୂର୍ଣ୍ଣ ତିନି ଭାଇ ଓ ଆଉ ଜଣଙ୍କୁ ପୁଲିସ ବଲାଙ୍ଗୀର ଆଣିଥିଲା। ଏମାନେ ଫେରାର ମାରିବା ସମୟରେ ବ୍ୟବହାର କରିଥିବା ଦୁଇଟି ମୋପେଡ ଓ ଦୁଇଟି ସ୍କୁଟି ଗାଡ଼ିକୁ ପୁଲିସ ଜବତ କରିଛି। ଗଇଁତି, ଶାବଳ, ଲୁହାରଡ଼, ଟାଙ୍ଗିଆରେ ସମସ୍ତଙ୍କୁ ଏମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟାକାଣ୍ତର ପ୍ରାୟ ସମସ୍ତ ଅଭିଯୁକ୍ତ ଧରାପଡ଼ି ସାରିଥିବା ବେଳେ ଗଙ୍ଗୁୱା ମାଝୀ ଓ ତାର ପୁଅ ଦେବରାଜ ମାଝୀ ଫେରାର ରହିଛନ୍ତି। ବଲାଙ୍ଗୀର ପୁଲିସର ସ୍ବତନ୍ତ୍ର ଟିମ ଏବେ ଗଙ୍ଗୱାକୁ ଧରିବାକୁ ଉଦ୍ୟମ ଚଳାଇଛି। ତଦନ୍ତ ଜାରି ରହିଥିବାରୁ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

ଅନ୍ୟପକ୍ଷରେ ମୃତ ବୁଲୁ ଜାନୀଙ୍କ ପାଞ୍ଚ‌ ପୁଅ ଓ ସେମାନଙ୍କ ପରିବାର ଏବେ ଗଛତଳେ ରହି ନ୍ୟାୟ ମାଗୁଛନ୍ତି। ପାଟଣାଗଡ଼ରେ ଏବେ ବୁଲୁଙ୍କ ପା‌ଞ୍ଚ ପୁଅ ସରୋଜ, ଫିରୋଜ, ବିକାଶ, ଶ୍ରୀଲାଲ, ସମୀର ଓ ଅନ୍ୟ ପରିବାର ସଦସ୍ୟ ଅଛନ୍ତି। ସେମାନେ ନ୍ୟାୟ ନପାଇବା ଯାଏ ପାଟଣାଗଡ଼ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ବୁଲୁ ଯେଉଁଘରେ ରହୁଥିଲେ ସେମାନେ ସେଠାରେ ରହୁ ନାହାନ୍ତି। ଦିନ ସାରା ଗଛ ମୂଳେ ଆଶ୍ରୟ ନେଇଥିବାବେଳେ ରାତିରେ ଧର୍ମଶାଳାରେ ରହୁଛନ୍ତି। ଧର୍ମଶାଳାରେ ଗୋଟିଏ ରାତି ରହିବାକୁ ପ୍ରତ୍ୟହ ଚାରିଶହ ଟଙ୍କା ଦେଉଛନ୍ତି। ଏପଟେ ସରକାରୀ ସହାୟତା ୧୮ ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। ହେଲେ ୯ ହଜାର ଟଙ୍କା ଦିଆଯାଇଥିବା ବେଳେ ବାକି ୯ ହଜାର ଟଙ୍କା ପାଇଁ ଏନ୍‌ଏସି ଇଓଙ୍କ ପାଖକୁ ପରିବାର ଲୋକ ଯାଇ ଗୁହାରି କରୁଛନ୍ତି। ଠିକରେ ଖାଇବା ପିଇବା ବି ସେମାନେ ପାଉନଥିବା କହିଛନ୍ତି।

ପୁଲିସକୁ ଗଙ୍ଗୁୱାର ଚାଲେଞ୍ଜ ଭରା ଚିଠିକୁ ନେଇ ଚର୍ଚ୍ଚା!
ପାଟଣାଗଡ଼ : ପାଟଣାଗଡ଼ ସଅଁରାପଡ଼ା ସଂଲଗ୍ନ କୁସୁମତଲରେ ରହୁଥିବା ବୁଲୁ ଜାନୀଙ୍କ ପରିବାରର ୬ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣାର ତଦନ୍ତ କରୁଥିବା ବଲାଙ୍ଗୀର ପୁଲିସ ଝରିଗାଁ ବ୍ଲକ୍‌ ଦେଉଲକଣା ଗାଁରେ ପହଞ୍ଚିଥିଲା। ସେଠାରେ ତଦନ୍ତ କରୁଥିବା ବେଳେ ପୁଲିସ ସେଠାରୁ ଏକ ଚିଠି ପାଇଥିଲା। ଉକ୍ତ ଚିଠିରେ ‘ମୋତେ ତୁମ ଭଳିଆ ପୁଲିସ ଧରି ପାରିବ ନାହିଁ’ ବୋଲି ଲେଖାଥିବା ଏବଂ ଏହି  ଚିଠିଟି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗଙ୍ଗୁୱା ମାଝୀ ସେଠାରେ ରଖି ପଳାଇ ଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଗଙ୍ଗୁୱାର ଏପରି ଚାଲେଞ୍ଜ ଭରା ଚିଠି ପୁଲିସ ହାତରେ ଲାଗିଥିବା ବେଳେ ଗଙ୍ଗୁୱାକୁ ପୁଲିସ କେବେ ଧରିବ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର