ପାଟଣାଗଡ଼ ହତ୍ୟା ମାମଲା : ପୂର୍ବ ଶତ୍ରୁତା, ପତିଆରାର ପ୍ରତିଶୋଧ!

ଅଟକଙ୍କୁ ଚାଲିଛି ମୁହାଁମୁହିଁ ଜେରା, ଧର୍ମଶାଳାରେ ଆଶ୍ରୟ ନେଇଛନ୍ତି ମୃତକଙ୍କ ପରିବାର

ବଲାଙ୍ଗୀର : ଗତ ୧୧ ତାରିଖ ପାଟଣାଗଡ଼ରେ ଘଟିଥିଲା ଛାତିଥରା ହତ୍ୟାକାଣ୍ତ। ବୁଲୁ ଜାନୀଙ୍କ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରି ଫେରାର ମାରିଥିଲେ ହତ୍ୟାକାରୀ। ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ସୁରାକ ଛାଡ଼ିନଥିଲେ ଫେରାର ଅଭିଯୁକ୍ତ। ବଲାଙ୍ଗୀର ଏସ୍‌ପି ନିଜେ ଉପସ୍ଥିତ ରହି ତଦନ୍ତକୁ ତ୍ବରାନ୍ବିତ କରିଥିଲେ। ସାଇଣ୍ଟିଫିକ୍ ଟିମ, ଡଗ ସ୍କ୍ବାଡ୍‌ ତଦନ୍ତରେ ଘଟଣାସ୍ଥଳରୁ ଜବତ ହୋଇଥିଲା କିଛି ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ। ଲୋମହର୍ଷଣ ଏହି ହତ୍ୟାକାଣ୍ତ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ପ୍ରଥମେ ପୁଲିସ ଏହି ମାମଲାରେ ତାଙ୍କ ସଂପ୍ରଦାୟର ଦୁଇଜଣ ଶିବା ଓ ଭୋଲାଙ୍କୁ ଥାନାକୁ ଆଣି ଅଟକ ରଖି ଜେରା କରିଥିଲା। ପରେ ପରେ ଆଉ ଦୁଇ ଜଣଙ୍କୁ ଉଠାଇଥିଲା। ମିଳିଥିବା ସୂଚନା ମୁତାବକ, ବାହାର ଜିଲ୍ଲାର ଛଅ ଜଣଙ୍କୁ ଅଣାଯାଇ ପୁଲିସ ଏକ ଗୁପ୍ତ ସ୍ଥାନରେ ସେମାନଙ୍କୁ ରଖି ପଚରାଉଚୁରା କରିଥିଲା। ଆଉ ଆଜି ସମସ୍ତଙ୍କୁ ମୁହାଁମୁହିଁ ଜେରା ପୁଲିସ କରୁଛି। ବର୍ତ୍ତମାନ ଘଟଣାର ଗୁରୁତ୍ବ ଦୃଷ୍ଟିରୁ ବଲାଙ୍ଗୀର ଏସ୍‌ପି ମଡ଼କର ସନ୍ଦୀପ ସମ୍ପତ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଚଳାଇଛନ୍ତି। ଆରମ୍ଭରୁ ପୁଲିସ ମୃତ ବୁଲୁ ଜାନୀଙ୍କ ପୁଅମାନଙ୍କ ପରିବାର ବର୍ଗଙ୍କୁ ସବୁ ଘଟଣା ସଂପର୍କରେ ସୂଚନା ଦେଇଥିଲା। ଭୁବନେଶ୍ବର ଷ୍ଟେସନ ରାସ୍ତାରେ ରହୁଥିବା ବୁଲୁ ଜାନୀଙ୍କ ପା‌ଞ୍ଚ ପୁଅ ତାଙ୍କ ପରିବାର ସହ ପାଟଣାଗଡ଼ ଆସିଥିଲେ। ସେମାନଙ୍କୁ ପଚରାଉଚୁରା ପରେ ପୁଲିସ ଜାଣିବାକୁ ପାଇଥିଲା ଜାନୀ ପରିବାରର କାହା କାହା ସହ ଶତ୍ରୁତା ଥିଲା। ଏପରିକି ସେମାନଙ୍କ ସଂପ୍ରଦାୟର ଶିବା ଓ ଭୋଲା ସହ ମୁହାଁମୁହିଁ କରାଇଥିଲା ପୁଲିସ। ବୁଲୁଙ୍କ ପୁଅମାନେ ଶିବା ଓ ଭୋଲାଙ୍କ ସହ ଆଉ କେତେ ଜଣଙ୍କ ନାଁ ନେଇଥିଲେ। ସେମାନେ ହିଁ ହତ୍ୟା କରିଥିବା ଲିଖିତ ଦେଇଥିଲେ। ପରେ ପୁଲିସ ବବଲୁ ଜାନୀ ଓ ସୁରେଶ ମାଝୀଙ୍କୁ ଉଠାଇ ଆଣିଥିଲା। ଚାରି ଜଣଙ୍କୁ ପଚରାଉଚରା କଲା ପରେ ଜିଲ୍ଲା ବାହାରକୁ ଯାଇଥିଲା ପୁଲିସ ସ୍ବତନ୍ତ୍ର ଟିମ। ବାହାର ଜିଲ୍ଲାରୁ ଏବେ ଛଅ ଜଣଙ୍କୁ ପୁଲିସ ଆଣି ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା ପରେ ସୋମବାର ସମସ୍ତଙ୍କୁ ମୁହାଁମୁହିଁ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନାରୁ ଜଣାଯାଏ ଯେ, ମୃତ ବୁଲୁ ଜାନୀଙ୍କ ସହ ପାଟଣାଗଡ ସଅଁରାପଡ଼ାରେ ତାଙ୍କ ସଂପ୍ରଦାୟର ପ୍ରାୟ ୧୦ଟି ପରିବାର ରହୁଥିଲେ। ସେମାନଙ୍କୁ ଧମକଚମକ ବିଭିନ୍ନ ସମୟରେ ବୁଲୁ ଦେଉଥିଲେ। ଶିବା ଓ ଭୋଲା ପରିବାର ସହ ପୂର୍ବଶତ୍ରୁତା ବି ରହିଥିଲା। ତାଙ୍କ ସଂପ୍ରଦାୟରେ ବୁଲୁ ବାରବାର ଗଣ୍ତଗୋଳ କରୁଥିଲେ। ବୁଲୁ ଯେଉଁମାନଙ୍କ ସହ ସବୁ ସମୟରେ ନିଜର ଦବଦବା ଓ ପତିଆରା ଦେଖାଉଥିଲେ ସେମାନଙ୍କ ଭିତରୁ କେତେ ଜଣ ବି ନିଜ ଦବଦବା ବୁଲୁ ଉପରେ ଜାହିର କରୁଥିଲେ। ଦୁଇ ତିନୋଟି ପରିବାର ବୁଲୁଙ୍କ ବାରବାର ଗଣ୍ତଗୋଳ ଯୋଗୁଁ ସେଠାରୁ ଅନ୍ୟତ୍ର ପଳାଇଥିଲେ। ସୁନାଗହଣା ଚୋରି, ଲୁଟ ଆଦିରେ ଏହି ସଂପ୍ରଦାୟର ଯୁବକଙ୍କ ଲିଙ୍କ୍ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା। ଏଣୁ ଭାଗବଣ୍ଟା ସମୟରେ ବି ମଝିରେ ମଝିରେ ଗଣ୍ତଗୋଳ ସବୁ ହେଉଥିଲା। ଏହାରି ଭିତରେ ହତ୍ୟାକାଣ୍ତରେ ସଂପୃକ୍ତ ହତ୍ୟାକାରୀମାନେ ପୁଲିସ କବ୍‌ଜାକୁ ଆସିସାରିଥିବା ବେଳେ ମାଷ୍ଟରମାଇଣ୍ତକୁ ପୁଲିସ ଖୋଜୁଥିବା ସୂଚନା ମିଳିଛି। କିନ୍ତୁ ତଦନ୍ତ ଜାରି ରହିଥିବାରୁ ଏବେ ପୁଲିସ କୌଣସି ମତାମତ ଦେବାକୁ ମନା କରିଛି। ବର୍ତ୍ତମାନ ମୃତ ବୁଲୁ ଜାନୀଙ୍କ ପାଞ୍ଚ‌ ପୁଅ ପାଟଣାଗଡ଼ରେ ଥିବା ବେଳେ ଭୟରେ ରହିଛନ୍ତି। ସେମାନେ ଏବେ ସେଠାକାର ଏକ ଧର୍ମଶାଳାରେ ରହୁଥିବା ଜଣାଯାଇଛି।

Sambad English

କେମିତି ସୁରାକ୍ ପାଇଲା ପୁଲିସ?
ହତ୍ୟାକାଣ୍ତ ଘଟିଥିବା ପାଟଣାଗଡ଼ ସଅଁରାପଡ଼ା ଅଂଚଳରେ ମୃତ ବୁଲୁ ଜାନୀ ପରିବାର ନେଇ ରହୁଥିଲେ। ନିଜେ ଜମି କିଣି ଘର କରିଥିଲେ। ଫେରିବାଲା କାମ ସେ କରିବା ସହ ତାଙ୍କ ସଂପ୍ରଦାୟର ଲୋକମାନେ ବି ଆସି ସଅଁରାପଡ଼ାରେ ରହୁଥିଲେ। ପୁଲିସ ପଚରାଉଚୁରାରୁ ଜାଣିବାକୁ ପାଇଥିଲା ମୃତ ବୁଲୁ ଜାନୀ ସମସ୍ତଙ୍କ ଉପରେ ପତିଆରା ଜାହିର କରୁଥିଲେ। ଦୁଇଟି ପରିବାର ସଅଁରାପଡ଼ା ଛାଡ଼ିବା ପଛରେ ବୁଲୁଙ୍କ ଗଣ୍ତଗୋଳ ଥିଲା ମୁଖ୍ୟ କାରଣ। ଯିଏ ରହିବ ବୁଲୁଙ୍କ କଥାରେ ହଁ ଭରି ରହିବ। ଅନ୍ୟପଟେ ବୁଲୁ ଯେଉଁମାନଙ୍କ ଉପରେ ପତିଆରା ଜାହିର କରୁଥିଲେ ସେମାନେ ବି କମନଥିଲେ। ଏଭଳି କିଛି ସୂଚନାକୁ ଆଧାର କରି ପୁଲିସ ତଦନ୍ତକୁ ଆଗେଇଥିଲା। ଅନ୍ୟପଟେ ପୁଲିସ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗକୁ ନେଇ ତଦନ୍ତ କରିଥିଲା। ଘଟଣା ଘଟିଥିବା ଘର ସାଇଡରେ ପେଟ୍ରୋଲ ଥିବା ବୋତଲ ଓ ଘର ଭିତରେ ଖୋଳାଯାଇଥିବା ଗାତ। କିଏ ଓ କାହିଁକି ପେଟ୍ରୋଲ ଆଣିଥିଲା? କଣ ପାଇଁ ପେଟ୍ରୋଲ ଅଣାଯାଇଥିଲା? ଏହାର ତଦନ୍ତ କରୁକରୁ ପୁଲିସ ଘରେ ଥିବା ବାଇକ୍‌କୁ ନଜର କରିଥିଲା। ବାଇକ୍‌ରୁ ପେଟ୍ରୋଲ କଢ଼ାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ପେଟ୍ରୋଲ କେଉଁ ଉେଦ୍ଦଶ୍ୟରେ କଢ଼ାଯାଇଥିଲା ତାକୁ ବି ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ଗାତ ଖୋଳିବାର କାରଣକୁ ବି ତଦନ୍ତ ପରିସରକୁ ଅଣାଯାଇଛି। ଏବେ ପୁଲିସ ତଦନ୍ତର ଶେଷ ପର୍ଯ୍ୟାୟକୁ ପହ‌ଞ୍ଚିସାରିଲାଣି। ପ୍ରାୟ ସମସ୍ତ ଅଭିଯୁକ୍ତ ପୁଲିସ କବଜାକୁ ଆସିଲେଣି। ଏବେ ପୁଲିସ ସବୁ ଘଟଣାକୁ ନେଇ ଜେରା କରୁଛି। ଆଉ ଜଣେ ଦୁଇ ଜଣଙ୍କୁ ପୁଲିସର ସ୍ବତନ୍ତ୍ର ଟିମ ଖୋଜୁଥିବା କୁହାଯାଉଛି। ଏପଟେ ଅଟକ ଯୁବକଙ୍କୁ ପାଟଣାଗଡ଼ ଥାନାରୁ କୁଆଡ଼େ ପୁଲିସ ଗାଡ଼ିରେ ବସାଇ ନେଇ ତଦନ୍ତ ଚଳାଇଛି।

ବଡ଼ ପୁଅ ହତ୍ୟାକାଣ୍ତରେ ରୁଜୁ ହୋଇନଥିଲା ମାମଲା!
ମୃତ ବୁଲୁ ଜାନୀଙ୍କ ବଡ଼ ପୁଅଙ୍କୁ ହତ୍ୟା କରାଯାଇଥିବା ବୁଲୁଙ୍କ ପରିବାର ପକ୍ଷରୁ କୁହାଯାଉଛି। କୋରାପୁଟ କୋଟପାଡ଼ରେ ବୁଲୁଙ୍କ ପୁଅଙ୍କୁ ହତ୍ୟା କରାଯାଇଥିଲା। ମୃତ ବୁଲୁଙ୍କ ପୁଅମାନଙ୍କ କହିବାନୁସାରେ, ଉକ୍ତ ମାମଲାରେ କେହି ଧରାପଡ଼ିନଥିଲେ। ବିଭିନ୍ନ ସମୟରେ ଗଣ୍ତଗୋଳ ହେଲେ ତାଙ୍କ ସଂପ୍ରଦାୟର ଅନ୍ୟମାନେ ଜୀବନରେ ମାରିଦେବାର ଧମକ ଦେଇ ଆସୁଥିଲେ। ନିକଟରେ ଫୋନରେ ବି ଧମକ ଦିଆଯାଇଥିଲା। ଆଉ ଏବେ ହତ୍ୟାକାଣ୍ତ ପରେ ବି ତାଙ୍କ ପଡ଼ୋଶୀ ଲୋକଙ୍କୁ ସେମାନେ ଦାୟୀ କରୁଛନ୍ତି। କିଛି ଘରେ ତାଲା ବି ପଡ଼ିଛି। ଏ ପର୍ଯ୍ୟନ୍ତ ଅଟକଙ୍କ ମଧ୍ୟରୁ ସଅଁରାପଡ଼ାର ତାଙ୍କ ସଂପ୍ରଦାୟର ଯେଉଁମାନେ କି ଫେରିବାଲା କାମ କରନ୍ତି ସେସବୁ ଅଧିକାଂଶ ରହିଛନ୍ତି।

ବଦଲା ଓ ପୁଲିସ ଭୟରେ ନିଷ୍ପାପଙ୍କୁ ମାରିଦେଲେ?
ବୁଲୁ ନିଜ ପତିଆରା ଜାହିର କରୁଥିଲେ। ତାଙ୍କ ସ୍ତ୍ରୀ ବି ବଡ଼ ପାଟିରେ ରଡ଼ି ସମସ୍ତଙ୍କୁ ଗାଳିଗୁଲଜ ବିଭିନ୍ନ ସମୟରେ କରୁଥିଲେ। ଏଣୁ ହତ୍ୟାକାରୀମାନଙ୍କ ଟାର୍ଗେଟରେ ବୁଲୁ ଓ ତାଙ୍କ ସ୍ତ୍ରୀ ଥିବା କୁହାଯାଉଛି। ହତ୍ୟାକାରୀମାନେ କାହିଁକି ଛୁଆପିଲାଙ୍କୁ ବି ଛାଡ଼ିଲେ ନାହିଁ? ଏହାକୁ ନେଇ ଏବେ ଆଲୋଚନା ସରଗରମ ରହିଛି। କାଳେ ଛୋଟ ଛୁଆ ବି ବଂଚିଗଲେ ପୁଲିସ ଆଗରେ ନାଁ ନେଇଯିବ? ଆଉ ଯଦି ବଡ଼ ହୁଏ ତାହେଲେ ସେ ବି ସେମାନଙ୍କୁ ଭବିଷ୍ୟତରେ ଟାର୍ଗେଟ କରିପାରେ? ଏପରିକି ପାଖ ପଡ଼ୋଶୀ ବୋଲି ପୁଲିସକୁ ଜାଣିଲେ ସେମାନେ ସବୁ ଧରାପଡ଼ିଯିବେ? ଏପଟେ ତାଙ୍କ ସଂପ୍ରଦାୟରେ ଛୋଟିଆ ଗଣ୍ତଗୋଳଟିଏ ହେଲେ ବି ପ୍ରତିଶୋଧ ନେବା ଥୟ ହୁଏ ବୋଲି ସ୍ଥାନୀୟ ଲୋକ ଚର୍ଚ୍ଚା କରୁଛନ୍ତି।

ଟଙ୍କା ପାଉଥିଲେ କେଉଁଠୁ?
ସାଧାରଣ ଫେରିବାଲାଟିଏ। ଦଶ ପନ୍ଦର ବର୍ଷ ହେଲା ସେ ପାଟଣାଗଡ଼ ଆସିଥିଲେ। ଫେରିବାଲା କାମ କରି ବଡ଼ ପରିବାରରେ କେମିତି ଜଣେ ଜମି କିଣିବ? ଘର ତିଆରି କରିବ? ଏପରିକି ନିଜେ ଆସିବା ସହ ତାଙ୍କ ସଂପ୍ରଦାୟର ଲୋକ ଆସି ବି ରହୁଥିଲେ। ପୁଲିସ ଏବେ ବୁଲୁ କେଉଁ ଉପାୟରେ ରୋଜଗାର କରୁଥିଲେ ସେହି ଦିଗକୁ ବି ତଦନ୍ତ ପରିସରଭୁକ୍ତ କରିଛି। ଚୋରି ମାମଲା କାହା କାହା ନାଁରେ ପୂର୍ବରୁ ଅଛି ନା ନାହିଁ? ନିକଟରେ ହୋଇଥିବା ବିଭିନ୍ନ ଚୋରି ଲୁଟ, ଘଟଣାକୁ ନେଇ ବି ପୁଲିସ ତର୍ଜମା କରୁଥିବା ଜଣାପଡ଼ିଛି। ଏପଟେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସହ ସେ ଚୋରି ସୁନାଗହଣା ଓ ଟଙ୍କାକୁ ନେଇ କାରବାର କରୁଥିବା ବି ଚର୍ଚ୍ଚା ହେଉଛି।

ତିନି ମାସ ତଳେ ହୋଇଥିଲା ଗଣ୍ଡଗୋଳ
ତିନି ମାସ ତଳେ ଆସିଥିଲେ ବୁଲୁ ଜାନୀଙ୍କ ପୁଅ। ସେ ସମୟରେ ହୋଇଥିଲା ଗଣ୍ଡଗୋଳ। ବଜରଂଗ ଓ ଆଉ ଜଣେ ଯିଏ କି ମାଷ୍ଟରମାଇଣ୍ଡ ସେମାନଙ୍କୁ ସେମାନେ ମାଡ଼ ମାରିଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଏ ଦିଗରେ ପୁଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର