ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ଼ ସଅଁରାପଡ଼ା ସଂଲଗ୍ନ କୁସୁମତଲ ଗଣହତ୍ୟା ମାମଲାର ୭ ଅଭିଯୁକ୍ତ ଜେଲ୍‌ ଯାଇଛନ୍ତି। ଗୁରୁବାର ୭ ଜଣ ଯାକ ଅଭିଯୁକ୍ତ ବାବୁଲାଲ ଜାନୀ, ଛାୟା ଗୋଣ୍ଡ ଓରଫ ମାଝୀ, ବଳଦେବ ଗୋଣ୍ଡ ଓରଫ ମାଝୀ, ମନୀଷ ଗୋଣ୍ଡ ଓରଫ ମାଝୀ, ଭୋଲା ଜାନୀ, ଶିବା ଜାନୀ, ବିକଲ କଇରୀ ଓରଫ ସିହଙ୍କ କୋଭିଡ ପରୀକ୍ଷା ପରେ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗଙ୍ଗୁୱା ଓ ତାର ପୁଅ ଦେବରାଜ ଫେରାର୍ ରହିଛନ୍ତି।

Advertisment

ସୁଚନାଯୋଗ୍ୟ ଯେ, ପାତିଆରା ତଥା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୧୦ ତାରିଖ ବିଳମ୍ବିତ ରାତିରେ ପାଟଣାଗଡ଼ ସଅଁରାପଡ଼ା ସଂଲଗ୍ନ କୁସୁମତଲରେ ରହୁଥିବା ବୁଲୁ ଜାନୀଙ୍କ ସମେତ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା। ଖବର ପାଇ ଏସ୍‌ପି, ଏଏସ୍‌ପି, ପାଟଣାଗଡ଼ ଏସ୍‌ଡିପିଓ, କଣ୍ଟାବାଞ୍ଜି ଏସ୍‌ଡିପିଓ, ବଲାଙ୍ଗୀର ସଦର ଥାନାଧିକାରୀ, ପାଟଣାଗଡ଼ ଥାନାଧିକାରୀ ପ୍ରମୁଖ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ଭୁବନେଶ୍ବରରେ ରହୁଥିବା ମୃତ ମୃତ ବୁଲୁ ଜାନୀଙ୍କ ୫ ପୁଅ ପରିବାର ସହ ପହଞ୍ଚି ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରା ଯାଇଥିବା ବିଷୟରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନଂ ୨୫୪/୨୦ରେ ମାମାଲା ରୁଜୁ ପ୍ରଥମେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭୋଲା ଓ ଶିବାକୁ ଉଠାଇ ନେଇଥିଲା। ପରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଦେଉଲକଣା ଗାଁରୁ ୫ ଜଣଙ୍କୁ ଉଠାଇ ଅନ୍ୟ ଏକ ସ୍ଥାନରେ ଜେରା କରିଥିଲା।

publive-image

କଡ଼ା ସୁରକ୍ଷାରେ ୭ ଅଭିଯୁକ୍ତଙ୍କୁ କୋର୍ଟ ନିଆଗଲା
ପାଟଣାଗଡ଼ ଗଣହତ୍ୟା ମାମଲାର ୭ ଅଭିଯୁକ୍ତଙ୍କୁ ଗୁରୁବାର କଡ଼ା ସୁରକ୍ଷା ମଧ୍ୟରେ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା। ଗିରଫ ଅଭିଯୁକ୍ତ ବାବୁଲାଲ, ଛାୟା, ବଳଦେବ, ମନୀଷ, ଭୋଲା, ଶିବା, ବିକଳଙ୍କ କୋଭିଡ ଟେଷ୍ଟ ପରେ କୋର୍ଟକୁ ନିଆଯାଇଥିଲା। ସେ ସମୟରେ ମଧ୍ୟ କଡ଼ା ସୁରକ୍ଷା ବଳୟ କରାଯାଇଥିଲା।

କୋର୍ଟ ପରିସର ପୁଲିସ ଛାଉଣି
ଅଭିଯୁକ୍ତମାନଙ୍କୁ ଏସ୍‌ଡିଜେଏମ କୋର୍ଟକୁ ନିଆଯିବା ସମୟରେ କୋର୍ଟ ପରିସର ପୁଲିସ ଛାଉଣିରେ ପରିଣତ ହୋଇଥିଲା। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ କିଛି ସମୟ ପାଇଁ କୋର୍ଟ ପରିସରକୁ ଲୋକଙ୍କ ଯିବାଆସିବା ବାରଣ କରାଯାଇଥିଲା।

ପହଞ୍ଚିଲେ ମୃତ ବୁଲୁ ଜାନୀଙ୍କ ବଡ଼ଭାଇ କବଡ଼ ସିଂ
ବୁଲୁ ଜାନୀଙ୍କ ମୃତ୍ୟୁ ଖବର ପାଇ ଟାଟାରେ ରହୁଥିବା ତାଙ୍କ ବଡ଼ଭାଇ କବଡ଼ ସିଂ ଶବର ଗୁରୁବାର ପାଟଣାଗଡ଼ ପହଞ୍ଚିଥିଲେ। ନିଜ ଭାଇଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ଭାବେ ନେଇଯିବାକୁ ସେ ନିବେଦନ କରିଥିଲେ। ତାଙ୍କ କହିବା ଅନୁଯାୟୀ, ସେ ପାଟଣାଗଡ଼ରେ ପୂର୍ବରୁ ରହୁଥିଲେ। ଅସୁବିଧା ହେବାରୁ ୫ ବର୍ଷ ପୂର୍ବରୁ ପରିବାର ସହ ଟାଟା ଯାଇଥିଲେ। ହତ୍ୟାକାରୀମାନେ ଛୋଟ ଛୁଆଙ୍କୁ ବି ଛାଡ଼ିଲେନି। ଅନ୍ୟମାନଙ୍କୁ ମଧ୍ୟ ମାରିବା ଆଶଙ୍କା ରହିଛି। ତେଣୁ ସେମାନଙ୍କୁ ଯେତେ ଶୀଘ୍ର ହେବ ଫାଶୀ ଦେବାକୁ ଦାବି କରିଛନ୍ତି କବଡ଼ ସିଂ। ଯାହା ହେବାର ହେଲା, ତାଙ୍କ ଭାଇର ପରିବାରରେ ବାକି ରହିଥିବା ପିଲାଛୁଆ, ପୁଅ ଓ ବୋହୂ ଏଠାରେ ସୁରକ୍ଷିତ ମଣୁ ନାହାନ୍ତି। ତେଣୁ ସେମାନଙ୍କୁ ସୁରକ୍ଷିତ ଭାବେ ଟାଟାକୁ ନେଇଯିବାକୁ ପୁଲିସ ଓ ପ୍ରଶାସନକୁ ଅନୁରୋଧ କରୁଛି ବୋଲି ସେ ଗଣମାଧ୍ୟମକୁ କହିଥିଲେ।

publive-image

ଏଣେ ତେଣେ ରହୁଛନ୍ତି ମୃତ ବୁଲୁ ଜାନୀଙ୍କ ପରିବାର
ବୁଲୁ ଜାନୀଙ୍କ ପରିବାରର ୬ ଜଣଙ୍କୁ ହତ୍ୟା କରିଥିବା ଘଟଣାରେ ପୁଲିସ ଏ ପର୍ଯ୍ୟନ୍ତ ୭ ଜଣଙ୍କୁ ଜେଲ୍‌ ପଠାଇଥିବାରୁ ପୁଲିସକୁ ଧନ୍ୟବାଦ ଦେଇଛନ୍ତି ମୃତ ବୁଲୁଙ୍କ ପୁଅ ସରୋଜ। ସରୋଜଙ୍କ କହିବା ଅନୁଯାୟୀ, ହତ୍ୟାକାଣ୍ଡ ଖବର ପାଇ ସେ ଓ ତାଙ୍କ ୪ ଭାଇ ସହ ପରିବାର ଲୋକେ ପାଟଣାଗଡ଼ରେ ପହଞ୍ଚିଥିଲେ। ସେମାନେ ସକାଳୁ ଘରକୁ ଯାଇଥିଲେ। ହେଲେ ରାତିରେ ଭୟରେ ରହି ନ ପାରିବାରୁ ଥାନାକୁ ପଳାଇ ଆସିଥିଲେ। ପରେ ଧର୍ମଶାଳାକୁ ଯାଇଥିଲେ। ଧର୍ମଶାଳାରେ ଦିନ ବେଳା ରହୁଥିବା ବେଳେ ରାତିରେ ଏଣେତେଣେ ରହୁଛନ୍ତି। ସବୁ ସ୍ଥାନରୁ ଲୋକେ ତଡୁଛନ୍ତି। ତେଣୁ ପାଟଣାଗଡ଼ରେ ସେମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ସରୋଜ କହିଛନ୍ତି।