ପାଟଣାଗଡ଼ : ଭିଜିଲାନ୍ସ ଜାଲରେ ଏନ୍‌ଏସି ଜେଇ

ପ୍ରଧାନମନ୍ତ୍ରୀ ଆବାସ ବିଲ୍‌ ପାଇଁ ନେଉଥିଲେ ୩ ହଜାର
ପାଟଣାଗଡ଼ ଅଫିସ, ବାସଗୃହ ଓ ଭବାନୀପାଟଣା ଘରେ ଚଢ଼ଉ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଆଉ ଜଣେ ଲାଞ୍ଚୁଆ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏଥର ପାଟଣାଗଡ଼ ଏନ୍‌ଏସି ଜେଇ ଦେବୀପ୍ରସାଦ ମିଶ୍ର ଜଣେ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଲ୍‌ କରାଇ ଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଶ୍ରୀ ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ପାଟଣାଗଡ଼ସ୍ଥିତ ତାଙ୍କ ଅଫିସ, ଭଡ଼ାଘର, ଭବାନୀପାଟଣା ଇରିଗେସନ କଲୋନିସ୍ଥିତ ଭଡ଼ାଘର ଏବଂ ଭବାନୀପାଟଣା ସଦର ଥାନା ଭେଜିପଦର ଗ୍ରାମ ତାଙ୍କ ନିଜ ଘରେ ଚଢ଼ଉ କରିଛି।

ସୂଚନା ଅନୁସାରେ, ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ରାମପୁରର ଟଙ୍କଧର କୁମ୍ଭାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ମିଳିଥିଲା। କାର୍ଯ୍ୟାଦେଶ ପାଇବା ପରେ ସେ ଘର ତିଆରି କରିଥିଲେ। ଶେଷ କିସ୍ତିର ବିଲ୍‌ କରିବା ବେଳେ ଟଙ୍କଧରଙ୍କୁ ଏନ୍‌ଏସିର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦାୟିତ୍ବରେ ଥିବା ଜେଇ ଶ୍ରୀ ମିଶ୍ର ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଟଙ୍କଧର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲଙ୍କ ନେତୃତ୍ବରେ ଏକ ଟିମ୍ ଯୋଜନା ପ୍ରସ୍ତୁତ କରିଥିଲେ। ସୋମବାର ସକାଳେ ଟଙ୍କଧରଙ୍କଠାରୁ ଜେଇ ଶ୍ରୀ ମିଶ୍ର ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏହି ଟିମ୍‌ ଚଢ଼ଉ କରି ତାଙ୍କୁ ଧରିଥିଲା। ପରେ ତାଙ୍କୁ ଗିରଫ କରି ବଲାଙ୍ଗୀର ନେଇ ଯାଇଥିଲା। ଚଢ଼ଉ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଭିଜିଲାନ୍ସର ସଦାନନ୍ଦ ପାଣି, ଅନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ। ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ଦିନ ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ପାଟଣାଗଡ଼ ରେଞ୍ଜରଙ୍କଠାରୁ ୧ଲକ୍ଷ ୬୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବିଭାଗୀୟ ଡିଏଫ୍‌ଓ ପ୍ରଣବ ମହାନ୍ତି ଓ ଘସିଏନ ସାଉଥ୍‌ ରେଞ୍ଜ୍‌ର ଡେପୁଟି ରେଞ୍ଜର୍‌ ଚିତ୍ତରଞ୍ଜନ ଦେହୁରୀ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର