ପାଟଣାଗଡ଼: ଗତ ୨୦୧୮ ମସିହାରେ ଘଟିଥିବା ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶୁଣାଣି ପ୍ରକ୍ରିୟା ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ଅଦାଲତରେ ଆରମ୍ଭ ହୋଇଛି। ବୁଧବାର ମୃତ ସୌମ୍ୟଶେଖର ସାହୁଙ୍କ ମା’ ସଂଯୁକ୍ତା ସାହୁ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ଦେଇଛନ୍ତି। ଗୁରୁବାର ମଧ୍ୟ ତାଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଏହାକୁ ଆଧାର କରି ଗତ କିଛିମାସ ହେଲା ସ୍ଥାନୀୟ ଏଡିଜେ କୋର୍ଟରେ ସାକ୍ଷ୍ୟ ଗ୍ରହଣ କରାଯାଉଛି। ଏହି ମାମଲାରେ ମୋଟ ୬୮ଜଣଙ୍କୁ ସାକ୍ଷୀ କରାଯାଇଛି। ବୁଧବାର ୧୩ ନମ୍ବର ସାକ୍ଷୀ ଭାବେ ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏହି ସମୟରେ ଶ୍ରୀମତୀ ସାହୁ କହିଥିଲେ, ତାଙ୍କୁ ଝାରବନ୍ଧ କଲେଜରୁ ପାଟଣାଗଡ଼ ବ୍ଲକ୍ ଭଇଁଷା ଯୁକ୍ତଦୁଇ କଲେଜକୁ ବଦଳି ହେବା ସହିତ ପଦୋନ୍ନତି ହୋଇଥିଲା। କିନ୍ତୁ, ଭଇଁଷାରେ ପୂର୍ବରୁ ଅଧ୍ୟକ୍ଷ ପଦରେ ଥିବା ପୁଞ୍ଜିଲାଲ ମେହେର ଅଧ୍ୟକ୍ଷ ପଦ ଛାଡ଼ିବାକୁ ନାରାଜ ଥିଲେ। ଏପରିକି ଶ୍ରୀ ମେହେର ତାଙ୍କୁ ମାନସିକ ଅତ୍ୟାଚାର କରିବା, ବାରମ୍ବାର କଟୁ କଥା କହୁଥିଲେ ବୋଲି ସେ କହିଥିଲେ। କଲେଜର କିଛି କାଗଜପତ୍ର ମଧ୍ୟ ଶ୍ରୀମତୀ ସାହୁ ଅଦାଲତରେ ଦେଇଥିଲେ।
ଏଠାରେ ପ୍ରକାଶଥାଉ କି, ୨୦୧୮ମସିହାରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ମୃତ ସୌମ୍ୟଶେଖରଙ୍କ ପତ୍ନୀ ରୀମାରାଣୀ ସାହୁ ଗୁରୁତର ଅବସ୍ଥାରେ ପ୍ରଥମେ ବଲାଙ୍ଗୀର ଓ ପରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଏହି ଘଟଣାରେ ପ୍ରଥମେ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା। ସାକ୍ଷ୍ୟ ପ୍ରମାଣ ଗ୍ରହଣ ଆରମ୍ଭ ଦିନଠାରୁ ପୁଞ୍ଜିଲାଲଙ୍କୁ ବଲାଙ୍ଗୀର ଜିଲ୍ଲା କାରାଗାରରୁ କଡ଼ା ସୁରକ୍ଷାରେ ପାଟଣାଗଡ଼ ଏଡିଜେ କୋର୍ଟକୁ ଅଣାଯାଉଥିବା ସୂଚନା ମିଳିଛି।