ପାଟଣାଗଡ଼ ପାର୍ସଲ ବୋମା ଘଟଣା : ଶ୍ୱଶୁର ଘରକୁ ଫେରିଲେ ରୀମା

ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ୩ ମାସ ପରେ ରୀମାରାଣୀ ସାହୁ ତାଙ୍କ ଶ୍ୱଶୁର ଘରକୁ ଫେରିଛନ୍ତି। ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ପାର୍ସଲ ବୋମାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଫାଶୀ ଦଣ୍ଡ ମିଳିଲେ ତାଙ୍କୁ ଶାନ୍ତି ମିଳିବ ବୋଲି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ପାଟଣାଗଡ଼ ବ୍ରହ୍ମପୁରାରେ ରହୁଥିବା ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ଇଂ ସୌମ୍ୟଶେଖରଙ୍କ ବାହାଘର ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ନିବାସୀ ରୀମାରାଣୀ ସାହୁଙ୍କ ସହିତ ହୋଇଥିଲା। ବାହାଘରର କିଛି ଦିନ ପରେ ଘରେ ସୌମ୍ୟ, ରୀମା ଓ ସୌମ୍ୟଙ୍କ ସଂର୍ପକୀୟ ଜେଜେ ମା’ ଥିବା ବେଳେ ଏକ ପାର୍ସଲ ଆସିଥିଲା। କୌତୁହଳ ବଶତଃ ତାକୁ ଖୋଲିବାର ବିସ୍ଫୋରଣ ଘଟି ସୌମ୍ୟ ଓ ତାଙ୍କ ଜେଜେ ମା’ ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ରୀମା ଗୁରୁତର ଆହତ ହୋଇଥିଲେ। କଟକ ବଡ଼ ଡାକ୍ତରଖାନାରେ କିଛି ଦିନ ଧରି ଚିକିତ୍ସିତ ହେବା ପରେ ରୀମା ସୁସ୍ଥ ହୋଇ ପ୍ରଥମେ ବାପ ଘର ଘଣ୍ଟାପଡ଼ାକୁ ଫେରିଥିଲେ। କିଛି ଦିନ ହେଲା ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବାରୁ ପାଟଣାଗଡ଼ ବ୍ରହ୍ମପୁରାସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଫେରିଛନ୍ତି। ଏବେ ସେ ଶ୍ୱଶୁର ଘର କାମରେ ବ୍ୟସ୍ତ ଥିବା ଜଣାପଡ଼ିଛି। ପାର୍ସଲ ବୋମା ବିସ୍ଫୋରଣ ଘଟଣା ଦୁଇ ପରିବାରକୁ ଦୋହଲାଇ ଦେଇଥିବା ବେଳେ ଶାଶୂ ଶ୍ୱଶୁର ସହ ନିଜକୁ ସମ୍ଭାଳିବା ଏବଂ ସାହସ ଯୋଗାଇବା ପାଇଁ ପାଟଣାଗଡ଼ ପହଞ୍ଚିଛନ୍ତି ବୋଲି ରୀମାରାଣୀ କହିଛନ୍ତି।

ସମ୍ବନ୍ଧିତ ଖବର