ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ୪ ବର୍ଷ: ଗଡ଼ିଚାଲିଛି ତାରିଖ, ହୋଇନି ଚାର୍ଜଫ୍ରେମ୍‌

ବଲାଙ୍ଗୀର : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାକୁ ୪ବର୍ଷ ପୂରିଯାଇଛି। ଘଟଣାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବିରୋଧରେ ସବୁ ତଥ୍ୟ ପ୍ରମାଣ ସହ ଫାଇନାଲ ଚାର୍ଜସିଟ ବି ଅଦାଲତରେ ଦାଖଲ ହୋଇସାରିଲାଣି। ଅଥଚ ଅଦାଲତରେ ମାମଲାର ଶୁଣାଣି ହୋଇପାରୁନି। ତାରିଖ ଗଡ଼ିଚାଲିଛି ଓ ଚାର୍ଜଫ୍ରେମ ଏଯାଏ ହୋଇନି। ୨୦୨୨ରେ ଚାର୍ଜଫ୍ରେମ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ କରୋନା କଟକଣା କାରଣରୁ ଚାର୍ଜଫ୍ରେମ ହେବାରେ ବିଳମ୍ବ ହୋଇଥିବା କୁହାଯାଉଛି। ଏହାରି ଭିତରେ ଜେଲରେ ପୁଞ୍ଜିଲାଲର କାରନାମା ମଝିରେ ମଝିରେ ଘଟଣାକୁ ଚର୍ଚ୍ଚିତ କରିଆସିଛି। ଏପରିକି ପୁଞ୍ଜିଲାଲ ଜାମିନ ପାଇଁ ବଲାଙ୍ଗୀର ଜିଲ୍ଲା ଦୌରାଜଜ କୋର୍ଟରୁ ଆରମ୍ଭ କରି ହାଇକୋର୍ଟ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ବଳିଷ୍ଠ ପ୍ରମାଣ ପାଇଁ ସବୁଠି ଜାମିନ ଖାରଜ ହୋଇଯାଇଛି। କିନ୍ତୁ ବିଚାର ପ୍ରକ୍ରିୟା ଆରମ୍ଭ ହୋଇପାରିନି। ଏପଟେ ମୃତ ସୌମ୍ୟଶେଖରଙ୍କ ପରିବାର ନ୍ୟାୟ ଅପେକ୍ଷାରେ ଏବେବି ଆଶା ବାନ୍ଧିଛନ୍ତି।

୨୦୧୮ ଫେବ୍ରୁଆରି ୧୮ ତାରିଖ ପାଟଣାଗଡ଼ରୁ ବାହାରିଥିଲା ସୌମ୍ୟଶେଖରଙ୍କ ବରଯାତ୍ରୀ ଦଳ। ବର ବେଶରେ ସଜେଇ ହୋଇ ସୌମ୍ୟଶେଖର ପହଞ୍ଚିଥିଲେ ବିବାହ ବେଦିକୁ। ରୀମାରାଣୀଙ୍କ ସହ ଧୂମଧାମ୍‌ରେ ରୀତିନୀତି ଅନୁସାରେ ବାହାଘର ସରିଥିଲା। ସାତ ଜନମର ସାଥୀ ଭାବରେ ଉଭୟେ ଶପଥ ନେଇଥିଲେ। ପାଟଣାଗଡ଼ରେ ୨୦୧୮ ଫେବ୍ରୁଆରି ୨୦ରେ ଥିଲା ଅଭ୍ୟର୍ଥନା। ଖୁବ୍‌ ଧୁମଧାମ୍‌ରେ ସବୁ ସରିଥିଲା। ୨୩ ତାରିଖ ଦିନ ଘରକୁ ଆସିଥିଲା ମୃତ୍ୟୁର ଉପହାର। ନବଦମ୍ପତି ବାହାଘର ଉପହାରକୁ ଏକାସାଙ୍ଗରେ ଖୋଲିଥିଲେ। ଦିନ ପ୍ରାୟ ୧୧ଟା ସମୟର କଥା। ଘରେ ଜେଜେମା’ଙ୍କ ସହ ଥିଲେ ନବଦମ୍ପତି। ଉପହାର ଖୋଲୁ ଖୋଲୁ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ। ଆଖପାଖ ସାଇପଡ଼ିଶା ଦୌଡ଼ିଥିଲେ ସୌମ୍ୟଶେଖରଙ୍କ ଘରକୁ। ଆମ୍ବୁଲାନ୍ସରେ ଗୁରୁତର ତିନି ଜଣଙ୍କୁ ହସପିଟାଲକୁ ନିଆଯାଇଥିଲା। ସୌମ୍ୟଶେଖର ଓ ଜେଜେମାଙ୍କ ଏଥିରେ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଅବସ୍ଥାରେ ରୀମାରାଣୀ ଅନେକ ଦିନଧରି ଚିକିତ୍ସିତ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ବିଜୁଳି ବେଗରେ ଖବର ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା। କିଏ ଷଡ଼୍‌ଯନ୍ତ୍ରକାରୀ? କେମିତି ହେଲା ଘଟଣା? ସବୁର ଖୋଲତାଡ଼ ଆରମ୍ଭ କରିଥିଲା ପୁଲିସ। ପୁଲିସ ଏକ ମାସରୁ ଅଧିକ ସମୟ ତଦନ୍ତ ପରେ ବି ଅପରାଧୀ ପାଖକୁ ପହଞ୍ଚି ପାରିନଥିଲା। ଶେଷରେ କ୍ରାଇମବ୍ରାଞ୍ଚ ତଦନ୍ତଭାର ହାତକୁ ନେଇଥିଲା। ମାର୍ଚ୍ଚ ୨୨ ତାରିଖରୁ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। କ୍ରାଇମବ୍ରାଞ୍ଚ ଏକ ମାସ ତଦନ୍ତ କରିବା ପରେ ମାମଲାରେ ୪ ଜଣଙ୍କୁ ଅଟକ ରଖିଥିଲା। ଶେଷରେ ୨୦୧୮ ମାର୍ଚ୍ଚ ୨୫ ତାରିଖରେ କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା। ସେ ହିଁ ସବୁ ଘଟଣା ଘଟାଇଥିବା କ୍ରାଇମବ୍ରାଞ୍ଚ ଖୁଲାସା କରିଥିଲା। ମୃତ ସୌମ୍ୟଶେଖରଙ୍କ ମା ସଂଯୁକ୍ତା ସାହୁ ଯେଉଁ କଲେଜରେ ଅଧ୍ୟକ୍ଷ ଥିଲେ ପୁଞ୍ଜିଲାଲ ସେଠାରେ ଅଧ୍ୟାପନା କରୁଥିଲେ। ଅଧ୍ୟକ୍ଷ ପଦବି ପାଇଁ ସେ ମୃତ୍ୟୁର ଷଡ଼୍‌ଯନ୍ତ୍ର ରଚିଥିବା କ୍ରାଇମବ୍ରାଞ୍ଚ ସବିଶେଷ ସୂଚନା ଦେଇଥିଲା।

ଅନ୍ୟପକ୍ଷରେ, ବଲାଙ୍ଗୀର ଜିଲ୍ଲା କାରାଗାରରେ ଥିବ‌ା ପୁଞ୍ଜିଲାଲ ନାନାରକମର ନାଟକ ମଝିରେ ମଝିରେ କରେ। ଆଉ ଏବେ ପୁଞ୍ଜିଲାଲ ଜେଲ ଭିତରେ ଆଣ୍ଠୁ ବିନ୍ଧୁଥିବାରୁ ଔଷଧ ଖାଉଛି। ଡାକ୍ତରଙ୍କ ପରାମର୍ଶକ୍ରମେ ପୁଞ୍ଜିଲାଲ ଔଷଧ ଖାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ତାକୁ ଦେଖା କରିବାକୁ କେବଳ ତାର ପତ୍ନୀ ମଝିରେ ମଝିରେ ଆସୁଛନ୍ତି। ଆଉ ପୂର୍ବଭଳି ପୁଞ୍ଜିଲାଲର ପାଲା ସେତେଟା ନାହିଁ।

ସମ୍ବନ୍ଧିତ ଖବର