କଟକ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ପାଖାପାଖି ୧୧ ମାସ ବିତିଯାଇଥିଲାବେଳେ ଗୁରୁବାର ବଲାଙ୍ଗୀର ଏସ୍ଡିଜେଏମ୍ କୋର୍ଟରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରାଯାଇଛି। ମୋଟ ୩୭୬ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍ରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବିରୋଧରେ ୭୬ଜଣ ସାକ୍ଷୀଙ୍କ ବୟାନ ନିଆଯାଇଛି। ଏଥିପୂର୍ବରୁ ଗତ ଅଗଷ୍ଟ ମାସରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ୩୦୦ ପୃଷ୍ଠାର ଅନ୍ତରୀଣ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଚୂଡ଼ାନ୍ତ ଚାର୍ଜସିଟ୍ରେ ବିଭିନ୍ନ ତଥ୍ୟ ଭିତ୍ତିକ ପ୍ରମାଣ ସହିତ ସାଇଣ୍ଟିଫିକ୍ ଟିମ୍ର ମତକୁ ମଧ୍ୟ ଉଲ୍ଲେଖ କରାଯାଇଥିବା ସୂଚନା ଦିଆଯାଇଛି। ଯାହାକି ମାମଲାର ଶୁଣାଣି ବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି।
ଭଇଁଷାର ଜ୍ୟୋତିବିକାଶ କଲେଜର ଅଧ୍ୟକ୍ଷ ପଦବିକୁ ନେଇ ପୁଞ୍ଜିଲାଲ ଓ ମୃତ ସୌମ୍ୟଶେଖରଙ୍କ ମା’ ସ˚ଯୁକ୍ତାଙ୍କ ମଧ୍ୟରେ ବିବାଦ ରହିଥିଲା। ସ˚ଯୁକ୍ତାଙ୍କୁ ପାନେ ଚଖାଇବା ପାଇଁ ପୁଞ୍ଜିଲାଲ ନୂଆ ଧରଣର ଷଡ଼ଯନ୍ତ୍ର ରଚିଥିଲା। ସୌମ୍ୟଶେଖରଙ୍କ ବିବାହ ଭୋଜିରେ ସେ ଏକ ପାର୍ସଲ ପଠାଇଥିଲା। ପରଦିନ ୨୩ ତାରିଖରେ ସୌମ୍ୟ, ତାଙ୍କ ପତ୍ନୀ ରୀମା ସାହୁ ଓ ଜେଜେମା’ ଜେମାମଣୀ ପାର୍ସଲ ଖୋଲୁଥିବାବେଳେ ତାହା ଜୋର୍ରେ ବିସ୍ଫୋରଣ ହୋଇଥିଲା। ଏଥିରେ ତିନିଜଣଯାକ ଗୁରୁତର ହୋଇପଡ଼ିଥିଲାବେଳେ ମେଡିକାଲ୍ରେ ସୌମ୍ୟ ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ହୋଇଥିଲା। ରୀମା ଗୁରୁତର ଅବସ୍ଥାରେ ପ୍ରଥମେ ବୁର୍ଲା ଓ ପରେ ଏସ୍ସିବି ମେଡିକାଲ୍ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଚିକିତ୍ସିତ ହୋଇଥିଲେ। ଘଟଣାର ମାସେ ପରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଭାର ନେଇଥିଲାବେଳେ ବିଭିନ୍ନ ଦିଗକୁ ତଦନ୍ତ କରିବା ପରେ ଏପ୍ରିଲ ୨୫ ତାରିଖରେ ପୁଞ୍ଜିଲାଲକୁ ଗିରଫ କରାଯାଇଥିଲା। ତଦନ୍ତ ବେଳେ ପୁଞ୍ଜିଲାଲ ଘରୁ ଗନ୍ ପାଉଡର ଓ କିଛି ବାରୁଦକୁ ପୁଲିସ୍ ଜବତ କରିଥିଲା। ଏଥିସହିତ କଣ୍ଟାବାଞ୍ଜି ରେଳ ଷ୍ଟେସନ୍ ଗାଡ଼ି ଷ୍ଟାଣ୍ତର ରସିଦ ବହି, ପୁଞ୍ଜିଲାଲର ୩ ମୋବାଇଲ ଫୋନ୍, ପେନଡ୍ରାଇଭ, ହାର୍ଡ ଡିସ୍କ, ଏସ୍ପିଙ୍କୁ ପଠାଇଥିବା ଚିଠି, ଅଠା ଡବା, ୩୦ ବୋମା, ରାୟପୁର ଡିଟିଡିସି କୋରିୟାରର ସିସି କ୍ୟାମେରା ଫୁଟେଜ ଇତ୍ୟାଦିକୁ ଜବତ କରାଯାଇ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଥିଲା। ରିପୋର୍ଟ ଆସିନଥିବାରୁ ଚୂଡ଼ାନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରିବାରେ ବିଳମ୍ବ ହୋଇଥିଲା। ଏବେ ସବିଶେଷ ରିପୋର୍ଟ ସହ ଚାର୍ଜସିଟ୍ ଦାଖଲ କରାଯାଇଛି।