ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ : ପୁଞ୍ଜିଲାଲଙ୍କ ଜାମିନ ଶୁଣାଣି ଘୁଞ୍ଚିଲା, ଅନ୍ୟ ଖଣ୍ଡପୀଠକୁ ମାମଲା ସ୍ଥାନାନ୍ତର

କଟକ : ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଘୁଞ୍ଚିଛି। ଡକ୍ଟର ଜଷ୍ଟିସ ଏ.‌କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଞ୍ଜିଲାଲଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତିଙ୍କ ଅନୁମୋଦନ ପରେ ପୁଞ୍ଜିଲାଲଙ୍କ ଜାମିନ ଆବେଦନର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରାଯିବ। ପୂର୍ବରୁ ଜଷ୍ଟିସ ଏସ୍.କେ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଞ୍ଜିଲାଲଙ୍କ ନିୟମିତ ଜାମିନ ଆବେଦନକୁ ୨୦୧୯, ମାର୍ଚ୍ଚ ୨୫ରେ ଖାରଜ କରିଥିଲେ। ଏହାପରେ ପୁଞ୍ଜିଲାଲ ଦ୍ବିତୀୟ ଥର ଜାମିନ ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗତ ସପ୍ତାହରେ ପୁଞ୍ଜିଲାଲଙ୍କ ମା’ ଇନ୍ଦୁମତୀ ମେହେରଙ୍କ ପରଲୋକ ହୋଇଥିବା ବେଳେ ସେ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିବା ସୂଚନା ମିଳିଛି। ସେ ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ଜାମିନରେ ଯିବା ଲାଗି ପ୍ରାର୍ଥନା କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ ପୁଞ୍ଜିଲାଲଙ୍କ ମା’ଙ୍କ ପରଲୋକ ହୋଇଥିଲା। ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମା’ଙ୍କ ମୁଖାଗ୍ନି ପାଇଁ ଜାମିନରେ ଯିବାକୁ ଆବେଦନ କରିଥିଲେ। ପାଟଣାଗଡ଼ ଏଡିଜେ ଅଦାଲତ ଆବେଦନକୁ ଗ୍ରହଣ କରି ଗୋଟିଏ ଦିନ ପାଇଁ ଜାମିନରେ ଯିବାକୁ ଅନୁମତି ଦେଇଥିଲେ। ଏହାପରେ ସେ ପୁଲିସ୍‌ ସୁରକ୍ଷା ମଧ୍ୟରେ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର ପରେ ପୁଞ୍ଜିଲାଲ ଏବେ ବଲାଙ୍ଗୀର ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର