ବଲାଙ୍ଗୀର କାରାଗାରର ସେଲ୍‌ ନମ୍ବର-୧୧ ଏବଂ ୧୨ ଦୋଷୀ ସାବ୍ୟସ୍ତ ହେଉଥିବା କଏଦୀଙ୍କ ପାଇଁ ଉଦ୍ଦିଷ୍ଟ। ଅଦାଲତଙ୍କ ରାୟ ପରେ ପୁଞ୍ଜିଲାଲକୁ ସମ୍ଭବତଃ ୧୧ ନମ୍ବର ସେଲ୍‌ରେ ରଖାଯିବ। ଉକ୍ତ ସେଲ୍‌କୁ ଜେଲ୍‌ କର୍ତ୍ତୃପକ୍ଷ ପ୍ରସ୍ତୁତ କରିଛନ୍ତି। ଦୀର୍ଘ ୭ ବର୍ଷ ପୁଞ୍ଜିଲାଲ ଜଣେ ବିଚାରାଧୀନ କଏଦୀ ଭାବେ ବଲାଙ୍ଗୀର ଜେଲ୍‌ରେ ରହୁଥିଲା। ଏବେ ଦୋଷୀ ସାବ୍ୟସ୍ତ ହେବା ପରେ ତା’ର ଠିକଣା ବି ବଦଳିଯିବ।

Advertisment

ରାତି ଅନିଦ୍ରା, ଦିନରେ ଅସ୍ତବ୍ୟସ୍ତ
ମଙ୍ଗଳବାର ରାତିରେ ପୁଞ୍ଜିଲାଲ ଜେଲ୍‌ରେ ସ୍ବାଭାବିକ ରାତ୍ରିଭୋଜନ କରି ଶୋଇବାକୁ ଯାଇଥିଲା। ତେବେ ରାତି ୧୨ଟା ପରେ ତାକୁ ଆଉ ନିଦ ହୋଇନଥିଲା। କଡ଼ ଲେଉଟାଇ ଏପାଖ ସେପାଖ ହୋଇ ସେ ରାତି କାଟିଥିଲା। ସକାଳୁ ନିତ୍ୟକର୍ମ ସାରିବା ପରେ ଜଳଖିଆ ଖାଇଥିଲା। ସବୁ କିଛି ସ୍ବାଭାବିକ ଭାବେ ଚାଲିଥିଲା। ସକାଳ ୭.୧୫ରେ ତାକୁ କଡ଼ା ସୁରକ୍ଷା ବଳୟରେ ବଲାଙ୍ଗୀର ଜେଲ୍‌ରୁ ପାଟଣାଗଡ଼ ଅଣାଯାଇଥିଲା। ସଶସ୍ତ୍ର ପୁଲିସ କର୍ମଚାରୀଙ୍କ ଗହଣରେ ସେ କୋର୍ଟକୁ ଆସିଥିଲା। ସେଠାରେ ତାକୁ ହାଜତରେ ରଖାଯାଇଥିଲା। ହାଜତ ଭିତରେ ୬ ଜଣ ସଶସ୍ତ୍ର ପୁଲିସ କର୍ମଚାରୀ ଜଗି ରହିଥିଲେ। ବାହାରେ ବି ବନ୍ଧୁକଧାରୀ ପୁଲିସ ଥିଲେ। ସେହି କୋର୍ଟ ହାଜତରେ ଗୋଟିଏ ଛୋଟ ବେଞ୍ଚରେ ତାକୁ ଶୋଇବାକୁ ଦିଆଯାଇଥିଲା। କିନ୍ତୁ ପୁଞ୍ଜିଲାଲ୍‌ କିଛି ସମୟ ଶୋଇ ପୁଣି ବସି ପଡ଼ୁଥିଲା। ପରିବାର ଲୋକଙ୍କ ସହ କିଛି ସମୟ ଆଲୋଚନା ବି କରିଥିଲା। ହେଲେ ସେ ରାୟକୁ ନେଇ ଆଶାଆଶଙ୍କା ଭିତରେ ଥିଲା।

ରିମା ଏବେ କୋଉଠି?
ବୁଧବାର ରାୟ ପ୍ରକାଶବେଳେ କୋର୍ଟ ପରିସରରେ ଘଟଣା ସହ ସଂପୃକ୍ତ ପ୍ରାୟ ସମସ୍ତେ ଉପସ୍ଥିତ ଥିଲେ ବି ବିସ୍ଫୋରଣରୁ ବର୍ତ୍ତି ଯାଇଥିବା ମୃତ ସୌମ୍ୟଶେଖରଙ୍କ ପତ୍ନୀ ରିମାଙ୍କୁ ଦେଖିବାକୁ ମିଳିନଥିଲା। ସେ ଏବେ କେଉଁଠି ଓ କ’ଣ କରୁଛନ୍ତି ତାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିଲା। କୋର୍ଟ ପରିସରରେ ଉପସ୍ଥିତ ଲୋକେ ବି ଏହା ଉପରେ ଚର୍ଚ୍ଚା କରୁଥିଲେ। କିଛି ଲୋକ ରିମା ଅନ୍ୟତ୍ର ବିବାହ କରି ବର୍ତ୍ତମାନ ବିଦେଶରେ ରହୁଛନ୍ତି ବୋଲି କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ରିମାଙ୍କ ବାପା ସୁବଳ ସାହୁ ଏବଂ ମୃତ ସୌମ୍ୟଶେଖରଙ୍କ ବାପା ତଥା ରିମାଙ୍କ ଶ୍ବଶୁରଙ୍କୁ ପଚାରିବାରୁ ସେମାନେ ‘ରିମାଙ୍କ ସଂପର୍କରେ କିଛି କହିପାରିବେ ନାହିଁ’ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।

ଚିଠି ଖୋଲିଦେଲା ଚିଠା
ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଏକମାସ ଧରି ପୁଲିସର ତଦନ୍ତ ଚାଲିଥିଲା। ପରେ କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତଭାର ଆସିଥିଲା। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ପାଖକୁ ପହଞ୍ଚିବା ପାଇଁ କିଛି ଠୋସ୍‌ ପ୍ରମାଣ ଯୋଗାଡ଼ରେ ଲାଗିଥିଲା। ସେତିକି ବେଳ ଯାଏଁ ପୁଞ୍ଜିଲାଲ ସନ୍ଦେହ ପରିସରରେ ନ ଥିଲା। ହେଲେ ବଲାଙ୍ଗୀର ଏସ୍‌ପିଙ୍କ ପାଖକୁ ପହଞ୍ଚିଥିଲା ଏକ ବେନାମୀ ଚିଠି। ଏହି ଚିଠି ହିଁ ପୁଞ୍ଜିଲାଲ୍‌ର ଚିଠା ଖୋଲିଥିଲା। ଏଥିରେ ତଦନ୍ତ ପ୍ରକ୍ରିୟାକୁ ଦିଗହରା କରିବା ପାଇଁ ପୁଞ୍ଜିଲାଲ୍‌ ଚାଲ୍‌ ଖେଳିଥିଲା। କିନ୍ତୁ ଇଂରାଜୀ ଭାଷାରେ ଲେଖାଯାଇଥିବା ଏହି ଚିଠି ସମସ୍ତଙ୍କୁ ତାଜୁବ କରିଥିଲା। କାରଣ, ଏଥିରେ ଯେଉଁଭଳି ଭାଷା ପ୍ରୟୋଗ ହୋଇଥିଲା, ତାହା ଜଣେ ଇଂରାଜୀ ଭାଷା ବିଶାରଦ ହିଁ ଲେଖିପାରିବ। ଖୋଳତାଡ଼ ପରେ ସ୍ଥାନୀୟ ଅଞ୍ଚଳ‌ରେ ଦୁଇ, ତିନିଜଣ ଇଂରାଜୀ ଅଧ୍ୟାପକଙ୍କ ନାମ ସାମନାକୁ ଆସିଥିଲା। ତେବେ ମାମଲାର କିଛି ଲିଙ୍କ୍‌ ପୁଞ୍ଜିଲାଲ୍‌ ଆଡ଼କୁ ଅଙ୍ଗୁଳି ଦେଖାଇଥିଲା। ପୁଞ୍ଜିଲାଲ୍‌ର ଘରୁ ମିଳିଥିବା ଖାଲି ଲଫାପା ଏବଂ ପୁଲିସକୁ ମିଳିଥିବା ଚିଠିର ଲଫାପା ମେଳ ଖାଇଥିଲା। ସେହିଭଳି ଘରେ ଡଷ୍ଟବିନ୍‌ରେ ପଡ଼ିଥିବା ବାରୁଦ ଏବଂ ପାର୍ସଲ୍‌ ବୋମା ବାରୁଦର ଫରେନ୍‌ସିକ ପରୀକ୍ଷା କରାଯାଇଥିଲା। ଉଭୟ ବାରୁଦ ସମାନ ବୋଲି ଜଣାପଡ଼ିଥିଲା। ଯାହା ପୁଞ୍ଜିଲାଲକୁ କାଠଗଡ଼ାକୁ ଆଣିବା ପାଇଁ ପର୍ଯ୍ୟାପ୍ତ ଥିଲା।

କାହିଁକି ଫାଶୀ ବଦଳରେ ଆଜୀବନ?
ପାର୍ସଲ ବୋମା ଫୁଟାଇ ଦୁଇଜଣଙ୍କ ଜୀବନ ନେବା ଦେଶର ଅପରାଧ ଦୁନିଆରେ ଏକ ବିରଳ ଘଟଣା। ଏହି କାରଣରୁ ପୁଞ୍ଜିଲାଲକୁ ଫାଶୀଦଣ୍ଡ ମିଳିବ ବୋଲି ଅନେକଙ୍କ ମତ ଥିଲା। ଅଦାଲତଙ୍କ ରାୟ ମଧ୍ୟ ସେହି ହିସାବରେ ହେବ ବୋଲି ପୀଡ଼ିତ ପରିବାର ଆଶାବାଦୀ ଥିଲେ। ତେବେ ଫାଶୀ ବଦଳରେ କାହିଁକି ଆଜୀବନ କାରାଦଣ୍ଡାଦେଶ ହେଲା, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅଦାଲତର ଶୁଣାଣି ବେଳେ ଉପସ୍ଥିତ ଓକିଲମାନେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବାହାରେ ତର୍ଜମା କରିଛନ୍ତି। ସେମାନଙ୍କ କହିବା ମୁତାବକ, ଶୁଣାଣି ବେଳେ ଅଦାଲତ ଦେଶରେ ଘଟିଥିବା ବିଭିନ୍ନ ହାଇପ୍ରୋଫାଇଲ୍‌ ଅପରାଧ ଏବଂ ସେସବୁ ଶୁଣାଣି ପ୍ରକ୍ରିୟାର ଉଦାହରଣ ରଖିଥିଲେ। ସବୁ ଜଘନ୍ୟ ଅପରାଧ ‘ବିରଳରୁ ବିରଳତମ’ ବର୍ଗରେ ଆସି ପାରିବ ନାହିଁ। ପାର୍ସଲ ବୋମା ବିସ୍ଫୋରଣ କରି ଜୀବନ ନେବା ଏକ ଲୋମଟାଙ୍କୁରା ଅପରାଧ ଶ୍ରେଣୀର ନୁ‌ହେଁ। ସେହି ଆଧାରରେ ପୁଞ୍ଜିଲାଲ୍‌ ଫାଶୀଦଣ୍ଡରୁ ବର୍ତ୍ତିଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ, ଏହି ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିଲେ। ପୁଞ୍ଜିଲାଲ ବୋମା ତିଆରି କରି କିଭଳି ତାକୁ ଟିଫିନ୍‌ରେ ଲଗାଇଥିଲା ତାହାର ଡେମୋ ପୁଲିସକୁ ତଦନ୍ତ କାଳରେ ଦେଖାଇଥିଲା। ଏହାସବୁ ବୈଷୟିକ ଜ୍ଞାନକୌଶଳର ପ୍ରମାଣ ଶ୍ରେଣୀର ଥିଲା। କିନ୍ତୁ ପ୍ରତ୍ୟକ୍ଷଦର୍ଶୀର ଅଭାବ ହିଁ ପୁଞ୍ଜିଲାଲକୁ କାଳଫାଶରୁ ଅଳ୍ପକେ ବଞ୍ଚାଇଦେଲା ବୋଲି ଆଇନ ବିଶାରଦଙ୍କ ମତ। ପରୋକ୍ଷରେ ଉଭୟପକ୍ଷର ଓକିଲ ମଧ୍ୟ ଆଇନ ବିଶାରଦମାନଙ୍କର ଏଭଳି ତର୍ଜମାକୁ ସ୍ବୀକାର କରିଛନ୍ତି।

କାଳ କଲା ଅତ୍ୟଧିକ ଆତ୍ମବିଶ୍ବାସ 
ସବୁବେଳେ ରୋକ୍‌ଠୋକ୍‌ କହୁଥିବା ବ୍ୟକ୍ତି ହେଲା ପୁଞ୍ଜିଲାଲ୍‌। ପାଠ ପଢ଼ାଇବା ବେଳେ ହେଉ କିମ୍ବା କୌଣସି ପ୍ରସଙ୍ଗରେ ଆଲୋଚନା ହେଉ, ପୁଞ୍ଜିଲାଲ ନିଜ ପକ୍ଷ ଠୋ-ଠାରେ ରଖୁଥିଲା। କିଛି ସଂକୋଚ କରୁନଥିଲା। ତା’ର ଏହି ମାତ୍ରାଧିକ ଆତ୍ମବିଶ୍ବାସ କାଳ ସାଜିଥିଲା। ଏହାକୁ ଅସ୍ତ୍ର କରି ତତ୍କାଳୀନ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ତଦନ୍ତ ଆରମ୍ଭ କରିଥିଲେ। ପୁଞ୍ଜିଲାଲ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ବିଶ୍ବାସ ଜିଣିନେଇଥିଲେ। ଏହା ପରେ ପୁଞ୍ଜିଲାଲ ପାର୍ସଲ ବୋମା ତିଆରିର ଲାଇଭ୍‌ ଡେମୋ ଦେଖାଇଥିଲା। ଯାହା ସମସ୍ତଙ୍କୁ ତାଜୁବ କରିଥିଲା। ପୁଞ୍ଜିଲାଲ୍‌ର ଏହି ମାତ୍ରାଧିକ ଉତ୍ସାହିତ ହେବା ଏବଂ ଆତ୍ମବିଶ୍ବାସ ତାକୁ ସଜା ଦେବାରେ ସହଯୋଗ କଲା ବୋଲି ଆଇନ ବିଶାରଦଙ୍କ ମତ।
କୋର୍ଟ ପରିସରରେ ପ୍ରବଳ ଭିଡ଼
ବୁଧବାର ସକାଳେ ପାଟଣାଗଡ଼ କୋର୍ଟ ପରିସରରେ ପ୍ରଥମେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗିଥିଲା। ପରେ ସକାଳୁଆ କୋର୍ଟ ଆରମ୍ଭ ହେବା ପରେ ଆଇନଜୀବୀଙ୍କ ଭିଡ଼ ଲାଗିଲା। ରାୟ ଶୁଣାଣି ସମୟରେ କୋର୍ଟ ବାହାରେ ସ୍ଥାନୀୟ ଲୋକ ଏବଂ ଆଖାପାଖ ଗାଁ ଲୋକଙ୍କ ଗହଳି ଜମିଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ଉପସ୍ଥିତ ଥିଲା। ପୁଞ୍ଜିଲାଲ୍‌କୁ ଭିଡ଼ରୁ ଏଡ଼ାଇ କୋର୍ଟ ପଛପଟ ଦ୍ବାରରୁ ନେବାଆଣିବା କରାଯାଇଥିଲା। ରାୟ ଶୁଣାଣି ସମ‌ୟରେ କୋର୍ଟ ଭିତରେ ଥିବା ଅନାବଶ୍ୟକ ଲୋକଙ୍କୁ ବାହାର କରାଯାଇଥିଲା। ଶୁଣାଣି ଚାଲିଥିବା ପ୍ରକୋଷ୍ଠରେ ଉଭୟପକ୍ଷର ଓକିଲ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ।

ଘଟଣାକ୍ରମ... 

୨୦୧୮ ଫେବ୍ରୁଆରି ୧୮ : ସୌମ୍ୟଶେଖର ଓ ରିମାରାଣୀଙ୍କ ବାହାଘର
୨୦୧୮ ଫେବ୍ରୁଆରି ୨୦ : ବାହାଘର ଅଭ୍ୟର୍ଥନା (ରିସେପ୍‌ସନ୍‌) 
୨୦୧୮ ଫେବ୍ରୁଆରି ୨୩:  ପାର୍ସଲ ବୋମା ବିସ୍ଫୋରଣ, ସୌମ୍ୟଶେଖର ଓ ସମ୍ପର୍କୀୟ ଜେଜେ ମା’ ଜେମାମଣିଙ୍କ ମୃତ୍ୟୁ, ଗୁରୁତର ରିମାରାଣୀଙ୍କୁ ବୁର୍ଲା ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି 
୨୦୧୮ ଏପ୍ରିଲ ୨୫:  କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେର ଗିରଫ 
୨୦୧୯ ଜାନୁଆରି ୩୧: କ୍ରାଇମବ୍ରାଞ୍ଚ ପକ୍ଷରୁ ୨ ହଜାର ପୃଷ୍ଠାର ଫାଇନାଲ୍‌ ଚାର୍ଜସିଟ୍‌ ଦାଖଲ 
୨୦୨୩ ମାର୍ଚ୍ଚ ୯: ଚାର୍ଜଫ୍ରେମ୍‌ 
୨୦୨୫ ମେ ୯ରୁ ୧୪ :  ଉଭୟପକ୍ଷ ଓକିଲଙ୍କ ଜବାବସୁଆଲ 
୨୦୨୫ ମେ ୨୮: ମାମଲାର ରାୟ ପ୍ରକାଶ

କ୍ରାଇମ୍‌ବ୍ରାଞ୍ଚ ଠିକ୍ ବାଟରେ ତଦନ୍ତ କରିଛି: ବୋଥ୍ରା

ନବ ଦାସ ହତ୍ୟା ମାମଲାରେ ବି ଅନୁରୂପ ଫଳ ମିଳିବ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ୍‌ ବୋମା ବିସ୍ଫୋରଣ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରକୁ ଆଜୀବନ ସଜା ହୋଇଛି। ଏହାକୁ ନେଇ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା କହିଛନ୍ତି ଯେ ତାଙ୍କ ସମୟରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ୧୦୦% ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନୟାଗଡ଼ ପରୀ ହତ୍ୟା ମାମଲାରେ ତଦନ୍ତ ଠିକ୍‌ ବାଟରେ ଯାଇଥିଲା ଏବଂ ଦୋଷୀକୁ ଦଣ୍ଡ ମିଳିଛି। ସେହିଭଳି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବି ଅନୁରୂପ ଫଳ ମିଳିବ।  

ଆଜି କୋର୍ଟ ରାୟ ପ୍ରକାଶ ପାଇବା ପ‌ରେ ପ୍ରତିକ୍ରିୟାରେ ଶ୍ରୀ ବୋଥ୍ରା କରିଛନ୍ତି ଯେ ପ୍ରଥମରୁ ଏହି ମାମଲା ଅତ୍ୟନ୍ତ ଜଟିଳ ଥିଲା। ସୁଚିନ୍ତିତ ଯୋଜନା ହୋଇଥିବାରୁ ପୁଲିସ ପାଇଁ କୌଣସି ତଥ୍ୟ ପ୍ରମାଣ ଯୋଗାଡ଼ କରିବା ସହଜ ନଥିଲା। କିନ୍ତୁ କ୍ରାଇମ୍‌ବ୍ରାଞ୍ଚକୁ ମାମଲା ଆସିବା ପରେ ପୁଞ୍ଜିଲାଲ୍‌ର ନିଦ ହଜିଯାଇଥିଲା। କ୍ରାଇମ୍‌ବ୍ରାଞ୍ଚକୁ ବାଟବଣା କରିବାକୁ ଯାଇ ସେ ନିଜେ ଫସିଗଲା। ସେତେବେଳେ ସେ ବଲାଙ୍ଗୀରର ତତ୍କାଳୀନ ଏସ୍‌ପିଙ୍କୁ ଯେଉଁ ବେନାମୀ ଚିଠି ଲେଖିଥିଲା, ସେଥିରୁ ହିଁ କ୍ରାଇମ୍‌ବ୍ରାଞ୍ଚକୁ ଖିଅ ମିଳିଥିଲା। ଅତି ଉଚ୍ଚକୋଟୀର ଇଂରାଜୀ ଭାଷାରେ ଚିଠିଟି ଲେଖାହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚ ଚିଠି ଲେଖାଳି ପଛରେ ପଡ଼ିଯାଇଥିଲା। ପାଟଣାଗଡ଼ରେ କିଏ ଏଭଳି ଚିଠି ଲେଖିପାରେ, ସେନେଇ ଚାଲିଲା ଖୋଳତାଡ଼। ତେଣୁ ସନ୍ଦେହ ଘେରକୁ ଆସିଗଲେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍‌। କାରଣ ପୁଞ୍ଜିଲାଲ୍‌ ଥିଲା ମୃତକଙ୍କ ମାଆ ଅଧ୍ୟକ୍ଷ ଥିବା କଲେଜର ଅଧ୍ୟାପକ। ତେଣୁ ଅଚାନକ ପୁଞ୍ଜିଲାଲ୍‌ ଘରେ ଚଢ଼ଉ କରାଗଲା ଏବଂ ଲ୍ୟାପ୍‌ଟପ୍‌ ଜବତ କରାଗଲା। ସେଥିରୁ ଚିଠି ସମ୍ପର୍କରେ ତଥ୍ୟ ମିଳିଥିଲା। ସେହିପରି ତା’ ଘରୁ ଚିଠି ଲେଖା ଥିବା କାଗଜ ଓ ଲଫାପା ମିଳିଥିଲା। ଏହାପରେ ପୁଞ୍ଜିଲାଲ୍‌ ସବୁ ସତ ଉଗାଳିବାକୁ ବାଧ୍ୟ ହୋଇଥିଲା। ଏମିତିକି ୟୁଟ୍ୟୁବ୍‌ରୁ ଶିଖି ସେ କିଭଳି ବୋମା ତିଆରି କରିଥିଲା, ସେସବୁର ଡେମୋ ଦେଖାଇଥିଲା। ତଦନ୍ତ ଠିକ୍‌ ଥିବାରୁ ଆଜି ସେ ଦୋଷୀ ସାବ୍ୟସ୍ତ ହୋଇଛି। ବେଳେବେଳେ ଲୋକେ ବିଭିନ୍ନ କଥା କହି‌ବେ। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ୍‌ ଠିକ୍‌ ବାଟରେ ତଦନ୍ତ କରିଛି। 

ଶ୍ରୀ ବୋଥ୍ରା ଆହୁରି କହିଛନ୍ତି, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସବୁ ଦିଗରୁ ତଦନ୍ତ କରିଛି। ତେଣୁ ଅଭିଯୁକ୍ତ ଠିକ୍‌ ଦଣ୍ଡ ପାଇବ। ତାଙ୍କ ପରିବାରବର୍ଗ ଆଉ ଥରେ ତଦନ୍ତ ଚାହିବାରୁ ମୁଖ୍ୟମନ୍ତ୍ରୀ ପୁନଃ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତଦନ୍ତ ଚାଲିଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି । ଯଦି ଆମେ ତଦନ୍ତ କଲା ବେଳେ କିଛି ଛାଡ଼ି ଦେଇଥିବୁ ସେମାନେ ତାହାରକୁ ତଦନ୍ତ ପରିସରଭୁକ୍ତ କରିବେ। କିନ୍ତୁ ମୁଁ ଭାବୁଛି ଆମେ କୌଣସି ଦିଗକୁ ଛାଡ଼ିନୁ। ଦୋଷୀ ନିଶ୍ଚିତ ଦଣ୍ଡ ପାଇବ।

ମତେ ଫସାଇ ଦିଆଯାଇଛି: ପୁଞ୍ଜିଲାଲ୍‌

‌ପାଟଣାଗଡ଼ ପାର୍ସଲ ବୋମା ମାମଲାର ରାୟ ଶୁଣାଣି ପରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ କୋର୍ଟର ବନ୍ଦୀଗୃହରୁ ବଲାଙ୍ଗୀର ଜେଲକୁ ନିଆଯାଇଥିଲା। ଏହି ସମୟରେ ପୁଞ୍ଜିଲାଲ ତାକୁ ଫସାଇ ଦିଆଯାଇଛି ବୋଲି ଉଚ୍ଚ ସ୍ବରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହୁଥିବା ଶୁଣିବାକୁ ମିଳିଥିଲା।

‘ମାମଲାରେ ଅନେକ ଶିଖିବାର ଅଛି’

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପରେ ଏହାକୁ ନେଇ ସରକାରୀ ଓକିଲ ଆଶିଷ ଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କୋର୍ଟ ଦେଇଥିବା ରାୟ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ। ସେ ୨୧୦ ପୃଷ୍ଠାର ଏକ ଆଦେଶନାମା ଅନୁସାରେ ସୂଚନା ଦେଇଥିଲେ। ଯେଉଁଥିରେ ଚାର୍ଜଫ୍ରେମ ଦିନଠାରୁ ଆରମ୍ଭ କରି ସମସ୍ତ କଥା କହିଥିଲେ। ଏଡିଜେ କୋର୍ଟଙ୍କ ରାୟ ଉପରେ ସବିଶେଷ ତଥ୍ୟ ମଧ୍ୟ ଦେଇଥିଲେ। ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅନେକ ଶିଖିବାର ଜିନିଷ ରହିଛି ଓ ଏହାକୁ ଶିଖିବା କଥା ବୋଲି କହିଥିଲେ। ଏଥିରେ ଆବଶ୍ୟକ ବୈଜ୍ଞାନିକ ଉପକରଣକୁ ନେଇ କୋର୍ଟରେ ମାମଲା ଚାଲିଥିଲା। ଏହି ତଥ୍ୟ ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହେବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇବାରେ ମୁଖ୍ୟ ଆଧାର ଥିଲା ବୋଲି ଶ୍ରୀ ଚନ୍ଦନ କହିଥିଲେ।