ପାଟଣାଗଡ଼ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶୁଣାଣି ପ୍ରକ୍ରିୟା ସ୍ଥାନୀୟ ଏଡିଜେ କୋର୍ଟରେ ଜାରି ରହିଛି। ବୁଧବାର ୨୦ ତମ ସାକ୍ଷୀ ଭାବେ ଭଇଁଷା ଜ୍ୟୋତି ବିକାଶ ଉଚ୍ଚମାଧ୍ୟମିକ ସ୍କୁଲ ଅଧ୍ୟାପକ ଜିତେନ୍ଦ୍ର ଦାସ କୋର୍ଟରେ ତାଙ୍କ ବୟାନ ରଖିଛନ୍ତି। ସେହିପରି ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଜାମିନ ପାଇଁ ତାଙ୍କ ଓକିଲ ପ୍ରମୋଦ ମିଶ୍ରଙ୍କ ଜରିଆରେ ଆବେଦନ କରିଛନ୍ତି। ଆଜି ଏହି ଜାମିନ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି।

Advertisment

୨୦ ତମ ସାକ୍ଷୀ ଶ୍ରୀ ଦାସ ତାଙ୍କ ବୟାନରେ କହିଥିଲେ ଯେ, ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ ଓ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ମଧ୍ୟରେ ଅଧ୍ୟକ୍ଷ ପଦକୁ ନେଇ ତିକ୍ତତା ରହିଥିଲା। ଅଧ୍ୟକ୍ଷ ପଦକୁ ପୁଞ୍ଜିଲାଲ ଜାବୁଡ଼ି ଧରିଥିଲେ। ସଂଯୁକ୍ତା ସାହୁ ଅଧ୍ୟକ୍ଷ ହେବା ନେଇ ସରକାରୀ ଚିଠି ଆସିଥିଲେ ମଧ୍ୟ ପୁଞ୍ଜିଲାଲ ପଦ ଛାଡୁ ନଥିଲେ। ସଂଯୁକ୍ତା ସାହୁଙ୍କ ନାଁରେ କାନ୍ଥବାଡ଼ରେ ଅଶ୍ଳୀଳ ଭାଷାରେ ଲେଖାଉଥିବା ଆଦି ସମ୍ପର୍କରେ ମଧ୍ୟ ଶ୍ରୀ ଦାସ କହିଥିଲେ।

publive-image

ଏଠାରେ ପ୍ରକାଶଥାଉ କି, ୨୦୧୮ ମସିହା ଫେବ୍ରୁଆରି ମାସରେ ବ୍ରହ୍ମପୁରା ନିକଟରେ ରହୁଥିବା ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ପୁଅ ବାହାଘର ହୋଇଥିଲା। ବାହାଘର ସରିବା ପରଦିନ ଶ୍ରୀ ସାହୁଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଓ ବୋହୂ ରୀମାରାଣୀ ଉପହାରଗୁଡ଼ିକ ଖୋଲିଥିଲେ। ଏହି ସମୟରେ ସୌମ୍ୟଙ୍କ ସଂପର୍କୀୟ ଜେଜେମା’ ଜେମାମଣି ମଧ୍ୟ ଉପସ୍ଥିତ ଥିଲେ। ଗୋଟିଏ ଉପହାର ପାର୍ସଲ ଖୋଲିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟ ଓ ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ନବବଧୂ ରୀମାରାଣୀଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼, ପରେ ବଲାଙ୍ଗୀର ଓ ତାପରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ସେତେବେଳେ ସାରା ଦେଶ‌ରେ ଚାଞ୍ଚଲ୍ୟ ଖେଳାଇଥିଲା।