ପାଟଣାଗଡ଼ ପାର୍ସଲ ବୋମା ଘଟଣା : ଜେଲ୍‌ ଫେରିଲେ ପୁଞ୍ଜିଲାଲ

୧୭ଟି ଡାଏରି ଗଲା ଫରେନ୍‌ସିକ ଲ୍ୟାବ୍‌, ୬ ଅଟୋ ଷ୍ଟାଣ୍ଡରେ ଚାଳକଙ୍କ ହୁଲିଆ ଜାରି

ବଲାଙ୍ଗୀର/କଟକ : ରିମାଣ୍ଡ ଅବଧି ଶେଷ ହେବା ପରେ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ ତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନ ପାଇଁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ଆଜି ନିର୍ଧାରିତ ସମୟ ଶେଷ ହୋଇଯିବାରୁ ତାଙ୍କୁ ପାଟଣାଗଡ଼ କୋର୍ଟରେ ହାଜର କରାଯାଇଥିଲା। ପୁଞ୍ଜିଲାଲଙ୍କ ପକ୍ଷରୁ କୋର୍ଟରେ ହୋଇଥିବା ଜାମିନ୍‌ ଆବେଦନକୁ ବିଚାରପତି ଖାରଜ କରିଥିଲେ। ତେବେ, କ୍ରାଇମବ୍ରାଞ୍ଚ ପକ୍ଷରୁ ତୃତୀୟ ଥର ରିମାଣ୍ଡ ପାଇଁ ଆବେଦନ କରାଯାଇ ନ ଥିବା ଜଣାପଡ଼ିଛି।

ଏପ୍ରିଲ ୨୫ ତାରିଖରେ ପୁଞ୍ଜିଲାଲଙ୍କୁ ଗିରଫ କରାଯାଇଥିବା ବେଳେ ୨୬ ତାରିଖରୁ ରିମାଣ୍ଡରେ ଅଣାଯାଇଥିଲା। ଅନ୍ୟପଟେ ପୁଞ୍ଜିଲାଲଙ୍କ ମେହେର୍‌ପଡ଼ା ବାସଭବନରୁ କ୍ରାଇମ୍‌ବ୍ରାଞ୍ଚ ଜବତ କରିଥିବା ୧୭ଟି ଡାଏରୀରେ ବିସ୍ଫୋରଣ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ମୃତ ସୌମ୍ୟଶେଖର ସାହୁଙ୍କ ମା’ ସଂଯୁକ୍ତା ଭଇଁଷା ଜ୍ୟୋତି ବିକାଶ କଲେଜ୍‌ର ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ ପରେ ମାନସିକ ସ୍ତରରେ ପୁଞ୍ଜିଲାଲ ଭାଙ୍ଗିପଡ଼ିଥିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ନିଜକୁ ଦୁନିଆର ସବୁଠୁ ବଡ଼ ମଣିଷ ଭାବେ ବିଭିନ୍ନ ଲେଖାରେ ଚିତ୍ରଣ କରିଛନ୍ତି। ସମସ୍ତ ଡାଏରୀରେ ନିଜର ଅହଂକାର ଓ ଔଦ୍ଧତ୍ୟ ଦେଖାଇବାକୁ ଉଦ୍ୟମ କରିଛନ୍ତି। ଦାର୍ଶନିକ ଚିନ୍ତାଧାରାକୁ ବିଶ୍ୱାସ କରୁଥିବା ପୁଞ୍ଜିଲାଲ ଅନେକ ନୀତିବାଣୀ ମଧ୍ୟ ଡାଏରୀରେ ଲେଖିଥିବା କ୍ରାଇମ୍‌ବ୍ରାଞ୍ଚ ଯାଞ୍ଚରୁ ଜାଣିବାକୁ ପାଇଛି। ଜବତ ଡାଏରୀ ଏବେ ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀର ହ୍ୟାଣ୍ଡରାଇଟିଂ ଏକ୍ସପର୍ଟ ନିଜ ହେପାଜତକୁ ନେଇଛନ୍ତି। ଆଜି ସମସ୍ତ ଡାଏରୀଗୁଡ଼ିକୁ ଲାବ୍ରୋଟାରୀକୁ ଯାଇଥିବା ବେଳେ ସେଥିରେ ଲେଖା ହୋଇଥିବା ଅକ୍ଷରଗୁଡ଼ିକ ପରୀକ୍ଷା କରାଯିବ। ପୁଞ୍ଜିଲାଲ ସଂଯୁକ୍ତାଙ୍କ ପରିବାରକୁ ସଫା କରିବାକୁ କିପରି ରକ୍ତମୁଖା ହୋଇଥିଲେ ସେ ସମ୍ପର୍କରେ ପୁଞ୍ଜିଲାଲ ଡାଏରୀରେ ଉଲ୍ଲେଖ କରିଥିବାରୁ କୋର୍ଟରେ ପୁଞ୍ଜିଲାଲଙ୍କ ବିରୋଧରେ ଏହାକୁ ଏକ ପ୍ରମାଣ ଭାବେ ଉପସ୍ଥାପନ କରାଯାଇପାରେ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ସୂଚନା ଅନୁଯାୟୀ ଗଲା ଶନିବାର ଦିନ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ମୁଖ୍ୟ ଅତିରିକ୍ତ ଏସ୍‌ପି ଅନିଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ଟିମ୍‌ ରାୟପୁରରେ ତନାଘନା କରିଥିଲା। ସେଠି ଥିବା ମୋଟ ୮ହଜାର ୬୦୦ ଅଟୋ ଚାଳକଙ୍କୁ ବିଭିନ୍ନ ପର୍ଯ୍ୟାୟରେ ପଚରାଉଚରା କରିବାକୁ ଉଦ୍ୟମ କରାଯାଇଥିଲା। ପୁଞ୍ଜିଲାଲ ରାୟପୁର ପାପୁଡ଼ି ଛକରୁ ଏକ ଅଟୋରେ ସ୍କାଏ କିଙ୍ଗ କୋରିଅର୍‌ ସେଣ୍ଟର ଯାଇଥିବାରୁ ଆଖପାଖରେ ଥିବା ମୋଟ ୬ଟି ଅଟୋ ଷ୍ଟାଣ୍ଡରେ ପୁଞ୍ଜିଲାଲଙ୍କୁ ନେଇଥିବା ଅଟୋ ଚାଳକଙ୍କ ହୁଲିଆ ଜାରି କରାଯାଇଛି କ୍ରାଇମ୍‌ବ୍ରାଞ୍ଚ। ଚାଳକ ଜଣକ ଦେଖିବାକୁ ମଧ୍ୟମ ସ୍ଥ୍ଵାସ୍ଥ୍ୟ। ଉଚ୍ଚତା ମଧ୍ୟମ ହୋଇଥିବା ବେଳେ ରଂଗ ଶ୍ୟାମଳ। ଏ ସମ୍ପର୍କରେ ଅଟୋ ଷ୍ଟାଣ୍ଡରେ କ୍ରାଇମ୍‌ବ୍ରାଞ୍ଚ ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲା। ସମ୍ପୃକ୍ତ ଅଟୋ ଚାଳକ ଏବଂ ଦୁଇ ରିକ୍ସା ଚାଳକ ଭୟଭୀତ ହୋଇ ଅଟୋ ଷ୍ଟାଣ୍ଡକୁ ଆସୁନଥିବା କୁହାଯାଉଛି। କ୍ରାଇମ୍‌ବ୍ରାଞ୍ଚକୁ ସହଯୋଗ କରିବା ସହିତ ନିଜ ଆଡ଼ୁ ବୟାନ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଗତକାଲି ଆଇଜି ଅରୁଣ ବୋଥ୍ରା ଘୋଷଣା କରିଥିଲେ। ଅନ୍ୟପଟେ ଖୁବ୍‌ଶୀଘ୍ର ଆଇଙ୍କ ଅଧ୍ୟକ୍ଷତାରେ ରାୟପୁର ଡିଟିଡିସିରୁ ଜବତ ହୋଇଥିବା ସିସି କ୍ୟାମେରା ହାର୍ଡ ଡିସ୍କ ଇସ୍ରାଏଲ୍‌ ଯିବା ସମ୍ପର୍କରେ ବୈଠକ ଡକାଯିବ। ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ରାଜ୍ୟ ସରକାର ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରୁ ଅନୁମତି ମଗାଯିବ। ପରେ ଜଣେ ଅଫିସର ହାର୍ଡଡିସ୍କ ନେଇ ଇସ୍ରାଏଲ୍‌ରେ ଥିବା ଲ୍ୟାବ୍‌କୁ ଯିବାର ଯୋଜନା ହୋଇଛି। ଅନ୍ୟପକ୍ଷରେ, ତଦନ୍ତ ସମୟରେ ପୁଞ୍ଜିଲାଲ ସହଯୋଗ କରିଛନ୍ତି, ୧୨୦ ଦିନ ଭିତରେ କୋର୍ଟରେ ସିଡି ଦାଖଲ କରାଯିବ ବୋଲି ଅତିରିକ୍ତ ଏସ୍‌ପି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର