ପାଟଣାଗଡ଼ ପାର୍ସଲ ବୋମା ଖୋଳତାଡ଼ : ପୁଞ୍ଜିଲାଲଙ୍କ ବିରୋଧରେ ୧୨ ସହକର୍ମୀଙ୍କ ବୟାନ

କଟକ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ପୁଣି ଖୋଳତାଡ଼ ଆରମ୍ଭ କରିଛି । ଭଇଁଷା ଜ୍ୟୋତି ବିକାଶ କଲେଜ୍‌ର ୧୨ ଜଣ ଅଧ୍ୟାପକ ଓ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି।

ପାର୍ସଲ ବୋମା ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ପୁଞ୍ଜିଲାଲଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ଦୃଢ଼ ପ୍ରମାଣ ଯୋଗାଡ଼ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଭଇଁଷା ଜ୍ୟୋତି ବିକାଶ କଲେଜ୍‌ର ୧୨ ଜଣ ସହକର୍ମୀଙ୍କ ବୟାନ ମାମଲାକୁ ଅଧିକ ସୁଦୃଢ଼ କରିଛି । ବଲାଙ୍ଗୀର ଜିଲ୍ଲା ପୁଲିସ ସହଯୋଗରେ କ୍ରାଇମ୍‌ବ୍ରାଞ୍ଚ କଲେଜ୍‌ର ଗଭର୍ଣ୍ଣିଂ ବଡ଼ିରେ ଥିବା ଜ୍ଞାନେନ୍ଦ୍ର ସାଇ ଏବଂ ଗୌର ଚରଣ ମହାପାତ୍ର, ଜୁନିଅର୍‌ କ୍ଲର୍କ ବିରଞ୍ଚି ପଟେଲ୍‌, ଓଡ଼ିଆ ଅଧ୍ୟାପକ ଜିତେନ୍ଦ୍ର ଦାସ, ଆଇଟି ଅଧ୍ୟାପକ ଗୋପବନ୍ଧୁ ସାହୁ, ଶ୍ୟାମ ସୁନ୍ଦର ମେହେର, ଜୁନିଅର୍‌ କ୍ଲର୍କ ସନ୍ତୋଷ ରାଉତ, ହେଡ୍‌ କ୍ଲର୍କ ହୃଷିକେଶ ଠାକୁର, ଅର୍ଥନୀତି ବିଭାଗର ଅଧ୍ୟାପକ ଠଣ ସୁନ୍ଦର ମେହେର୍‌, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ କୁଞ୍ଜ ବିହାରୀ ପତି ଏବଂ ପିଅନ ଭକ୍ତବନ୍ଧୁ ସେଠ୍‌ଙ୍କ ବୟାନ୍‌ ରେକର୍ଡ କରାଯାଇଛି । କଲେଜ ଅଧ୍ୟକ୍ଷ ପଦବି ବିବାଦକୁ ନେଇ କଲେଜ ମିଟିଂରେ ବାରମ୍ବାର ମୃତ ସୌମ୍ୟ ଶେଖରଙ୍କ ମା’ ସଂଯୁକ୍ତାଙ୍କୁ କିଭଳି ଅପମାନିତ ଏବଂ ଧମକ ଦିଆଯାଇଥିଲା, ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚକୁ ଜଣାଇଛନ୍ତି।

କଲେଜର ଅଧ୍ୟାପକ ଏବଂ କର୍ମଚାରୀଙ୍କ ବାଦ୍‌ କଣ୍ଟାବାଞ୍ଝି ରେଳ ଷ୍ଟେସନ୍‌ରେ ଥିବା ଗାଡ଼ି ଷ୍ଟାଣ୍ଡର ଦୁଇ ଜଣଙ୍କ ବୟାନ ରେକର୍ଡ କରିଛି କ୍ରାଇମ୍‌ବ୍ରାଞ୍ଚ। ଫେବ୍ରୁଆରି ୧୫ ତାରିଖରେ ପୁଞ୍ଜିଲାଲ ପାଟଣାଗଡ଼ରୁ ବୁଲେଟ୍‌ରେ ଯାଇ ରେଳ ଷ୍ଟେସନ୍‌ର ଗା଼ଡ଼ି ଷ୍ଟାଣ୍ଡରେ ପାର୍କିଂ କରିଥିଲେ। ଷ୍ଟାଣ୍ଡର ଭେଣ୍ଡର ସୁଶିଲ କୁମାର ବେହେରା ଏବଂ କର୍ମଚାରୀ ଲକ୍ଷ୍ଣଣ ଶବରଙ୍କ ବୟାନ ରେକର୍ଡ କରିଛି କ୍ରାଇମ୍‌ବ୍ରାଞ୍ଚ। ୧୫ ତାରିଖରେ ପୁଞ୍ଜିଲାଲ ଗାଡ଼ି ରଖିଥିବା ସମ୍ପର୍କରେ ବୟାନ୍‌ରେ କହିଛନ୍ତି। ଅନ୍ୟପଟେ ବଲାଙ୍ଗୀର ଏସ୍‌ପିଙ୍କୁ ପୁଞ୍ଜିଲାଲ ପଠାଇଥିବା ଚିଠିର ପ୍ରିଣ୍ଟ ପାଟଣାଗଡ଼ରେ କ୍ରିଷ୍ଣା ଇଲୋକ୍ଟ୍ରନିକ୍ସ ଦୋକାନରେ ହୋଇଥିଲା। ସେହି ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଦୋକାନ ମାଲିକ ଭୋଳାନାଥ ମେହେରଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ପୁଞ୍ଜିଲାଲ ତାଙ୍କ ଦୋକାନରେ ପ୍ରିଣ୍ଟ କରିଥିବା ସମ୍ପର୍କରେ ଭୋଳାନାଥ କହିଛନ୍ତି ।

ଅନ୍ୟପଟେ ପୁଞ୍ଜିଲାଲ୍‌ଙ୍କ ଘରୁ ଜବତ ହୋଇଥିବା ବୋମା ଭିଡ଼ିବାରେ ବ୍ୟବହୃତ ଡଟ୍‌ପେନ୍‌ ସ୍ପ୍ରିଂ, ଲିଚୁ ଲାଇଟ୍‌ ଏବଂ ଇଲେକ୍ଟ୍ରି ତାର ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରୀକୁ ପଠାଯିବ। ପୂର୍ବରୁ ବୋମା ପଠାଯାଇଥିବା ବେଳେ ଏବେ ଉପରୋକ୍ତ ସାମଗ୍ରୀ ପଠାଯିବାକୁ ନିଷ୍ପତ୍ତି ହୋଇଛି । ରାୟପୁରରେ ଯେଉଁ ଅଟୋ ଚାଳକ ଏବଂ ରିକ୍ସା ଚାଳକ ପୁଞ୍ଜିଲାଲ୍‌ଙ୍କୁ ନେଇଥିଲେ, ସମ୍ପୃକ୍ତ ଚାଳକଙ୍କୁ କ୍ରାଇମ୍‌ବ୍ରାଞ୍ଚ ଠାବ କରିବା ପାଇଁ ଆଉ ଥରେ ରାୟପୁର ଯିବାକୁ ଯୋଜନା ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର