ବାହାରୁ ଔଷଧ ଲେଖି ପାଟଣାଗଡ଼ର ଶିଶୁରୋଗ ବିଶେଷଜ୍ଞ ନିଲମ୍ବିତ

ଭୁବନେଶ୍ବର : ଜଣେ ଶିଶୁ ରୋଗୀକୁ ଡାକ୍ତରଖାନା ବାହାରୁ ଔଷଧ ଲେଖିବା ଘଟଣା ଡାକ୍ତରଙ୍କ ପାଇଁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲଙ୍କୁ ଆଜି ଏମିତି ଏକ ଅଭିଯୋଗରେ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଆଜି ବଲାଙ୍ଗୀର ଗସ୍ତରେ ଥିବା ସମୟରେ ଡାକ୍ତର ଅଗ୍ରୱାଲ ରୋଗୀଙ୍କୁ ନିରାମୟ ଯୋଜନାରେ ମିଳୁଥିବା ଔଷଧ ବଦଳରେ ଦୋକାନରୁ ଔଷଧ କିଣିବାପାଇଁ ଚିଠା ଲେଖିଥିବା ତାଙ୍କ ନଜରକୁ ଆସିଥିଲା। ବର୍ଷକର ଗୋଟିଏ ଶିଶୁ ଡାଇରିଆରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଆସିଥିବାବେଳେ ତାଙ୍କୁ ଇଞ୍ଜେକସନ ଦେବାପାଇଁ ଡାକ୍ତର ଅଗ୍ରୱାଲ ଲେଖିଥିଲେ। ତେବେ ଡାକ୍ତର ଚିଠାରେ ଲେଖିଥିବା ନେଟ୍‍ଲିମାଇସିନ୍‍ ଓ ଆମିକାସିନ୍‍ ଇଞ୍ଜେକସନ ସେହି ଶିଶୁକୁ ଦିଆଯିବା କଥା ନୁହେଁ। କିନ୍ତୁ ଡାକ୍ତର ଏହି ଇଞ୍ଜେକସନ୍ ଲେଖିଥିବାରୁ ଶିଶୁ ଅଭିଭାବକ ବାଧ୍ୟହୋଇ ବାହାର ଦୋକାନରୁ ଏହାକୁ କିଣିଥିଲେ। ନିରାମୟ ଯୋଜନାରେ ବାହାରୁ ଔଷଧ ଲେଖିଲେ ତାହାକୁ ‘ଶୂନ୍ୟ ସହନଶୀଳତା’ ଭାବେ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ପୂର୍ବରୁ ସରକାର ଘୋଷଣା କରିଛନ୍ତି ଏଭଳି ଅଭିଯୋଗକୁ କୌଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏଣୁ ଏହି ଘଟଣାରେ ଏଭଳି ଔଷଧ ଲେଖିଥିବା ଅଭିଯୋଗରେ ଡାକ୍ତର ଅଗ୍ରୱାଲଙ୍କୁ ସରକାର ନିଲମ୍ବିତ କରିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ‘୫-ଟି’ ସଚିବ ବିଭିନ୍ନ ଡାକ୍ତରଖାନା ବୁଲି ଦେଖୁଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଏପରିକି ସୁନ୍ଦରଗଡ଼ ସିଡିଏମ୍ଓ ଦାୟିତ୍ବରେ ଥିବା ତତ୍କାଳୀନ ଡାକ୍ତରଙ୍କୁ ମଧ୍ୟ ସରକାର ନିଲମ୍ବିତ କରିଥିଲେ। ପରେ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା।

ସମ୍ବନ୍ଧିତ ଖବର