ପାଟଣାଗଡ଼ : ପାଟଣାଗଡ଼ରେ ଲଗାତାର ଦୁଇଦିନ ଧରି ବର୍ଷା ଲାଗି ରହିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ରାଧାକୃଷ୍ଣ ମନ୍ଦିର ସଂଲଗ୍ନ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିଲା। ୧୦ରୁ ୧୨ ପରିବାର ଜଳବନ୍ଦି ହୋଇ ରହିଥିଲେ। ମଙ୍ଗଳବାର ଜଳବନ୍ଦି ଭାବେ ରହିଥିବା ୧୨ ପରିବାରକୁ ଦମକଳ ବାହିନୀ ଉଦ୍ଧାର କରିଥିଲେ। ସେମାନଙ୍କୁ ସ୍ଥାନୀୟ ଗଡ଼ଭିତରସ୍ଥିତ ଏନ୍ଏସିର କଲ୍ୟାଣ ମଣ୍ଡପଠାରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଥିଲା। ବର୍ଷା ଛାଡ଼ିବା ପରେ ବୁଧବାର ସକାଳୁ ଏହି ପରିବାର ଲୋକେ ନିଜ ନିଜ ଘରକୁ ଆସି ଆବାସପତ୍ର, ରାସନ ସାମଗ୍ରୀ ସବୁ କ୍ଷତି ହୋଇଥିବା ଦେଖି ଚିନ୍ତାରେ ପଡ଼ିଯାଇଛନ୍ତି। ଏହି କ୍ଷତି ପାଇଁ ସେମାନେ ସିଧାସଳଖ କ୍ଷୁଦ୍ର ଜଳସେଚନ ବିଭାଗକୁ ଦାୟୀ କରିଛନ୍ତି। ବିଭାଗର ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ସେମାନେ କହିଛନ୍ତି।
/sambad/media/post_attachments/wp-content/uploads/2021/09/balangir-1a.jpg)
ପ୍ରକାଶ ଯେ, ପାଟଣାଗଡ଼- ଘସିଏନ ରାସ୍ତାରେ ଥିବା ମାୟାବତୀ ନୀଦ ଉପରେ ନିର୍ମିତ ଚେକ୍ଡ୍ୟାମରେ ସୋମବାର ବର୍ଷାପାଣି ଜମିଥିଲା। ପ୍ରବଳ ବର୍ଷା ସତ୍ତ୍ବେ ଚେକ୍ଡ୍ୟାମର ସମସ୍ତ ଗେଟ୍ ବନ୍ଦ ରହିଥିଲା। ଫଳରେ ଜଳସ୍ତର ବୃଦ୍ଧି ପାଇ ନିକଟବର୍ତ୍ତୀ ଅଞ୍ଚଳକୁ ମାଡ଼ିଥିଲା। ମଙ୍ଗଳବାର ଦିନ ୯ଟାରେ ଦମକଳ ବାହିନୀ ଆସି ଜଳବନ୍ଦି ଲୋକଙ୍କୁ ଉଦ୍ଧାର କରିଥିଲା। ଗେଟ୍ ଖୋଲିବାକୁ ଲୋକେ ପ୍ରଥମେ କ୍ଷୁଦ୍ର ଜଳସେଚନ ବିଭାଗକୁ ଖବର ଦେଇଥିଲେ। ହେଲେ କେହି ଆସିଲେନି। ଶେଷରେ ଲୋକମାନେ ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହ ମିଶି ଗେଟ୍ ଖୋଲିଥିଲେ। ସେମାନେ ପ୍ରାୟ ୧୫ଟି ଗେଟ୍କୁ କିଛିଟା ଖୋଲିବାରେ ସକ୍ଷମ ହୋଇଥିଲେ। ହେଲେ ପାଣି ବଢ଼ିବାରୁ ସେମାନେ ନଦୀ ଭିତରକୁ ଡେଇଁ ପହଁରି ଆର ପାରିକୁ ପହଞ୍ଚିଥିଲେ ବୋଲି କହିଛନ୍ତି। ସନ୍ଧ୍ୟାରେ ବର୍ଷା ପାଣି କମିବାରୁ ଜଳସେଚନ ବିଭାଗ କିଛି ଲୋକଙ୍କୁ ଆଣି ଗେଟ୍ଗୁଡ଼ିକୁ ପୂରା ଖୋଲିଥିଲା।
ବର୍ଷାପାଣି ଯୋଗୁଁ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି। କଲୋନିର ଓକିଲ ଶିବ ପ୍ରସାଦ ମିଶ୍ରଙ୍କ ଅଭିଯୋଗ ଅନୁସାରେ, କ୍ଷୁଦ୍ର ଜଳସେଚନ ବିଭାଗର ଭୁଲ ପାଇଁ ତାଙ୍କର ୪ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ସେହିପରି ବର୍ଷାପାଣି ନିକଟରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପରିସରକୁ ମାଡ଼ିଯାଇଥିଲା। ଫଳରେ ଜନସ୍ବାସ୍ଥ୍ୟ ବିଭାଗର ମଟରପମ୍ପ, ଷ୍ଟାଟର, ଡିଜିଟାଲ ଜେନେରେଟର ଆଦିରେ ପାଣି ପଶି ନଷ୍ଟ ହୋଇଥିବା ଜଣାପଡ଼ିଛି। ବୁଧବାର ମଟର ଓ ଅନ୍ୟ ସାମଗ୍ରୀ ସବୁକୁ ସଜଡ଼ାଯାଉଥିବା ଦେଖିବାକୁ ମିଳିଛି। ଫଳରେ ସହରକୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଜନସ୍ବାସ୍ଥ୍ୟ ବିଭାଗ ଜଳ ଯୋଗାଣ ପାଇଁ ବିକଳ୍ପ ବ୍ୟବସ୍ଥା କରୁଥିବା ସୂଚନା ମିଳିଛି। ଅନ୍ୟ ଏକ ମଟର ପମ୍ପ ଆଣି ଲୋକଙ୍କୁ ଗୁରୁବାର ପାନୀୟ ଜଳ ଯୋଗାଇ ଦେବା ପାଇଁ ଚେଷ୍ଟା କରାଯିବ ବୋଲି ବିଭାଗ ପକ୍ଷରୁ କହାଯାଇଛି। ଏ ସଂପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର କହିବା ହେଲା, ଚଳିତ ବର୍ଷ କମ୍ ବର୍ଷା ଯୋଗୁଁ ଚେକ୍ଡ୍ୟାମରେ ଆବଶ୍ୟକ ପାଣି ନଥିଲା। ସଥିପାଇଁ ସମସ୍ତ ୨୩ଟି ଯାକ ଗେଟ ବନ୍ଦ ରହିଥିଲା। ହଠାତ୍ ପ୍ରବଳ ବର୍ଷା ହେବାରୁ ଏପରି ସ୍ଥିତି ସୃଷ୍ଟି ହେଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/balangir-2a.jpg)