ପାଟଣାଗଡ଼ ଗିଫ୍ଟ ବୋମା ବିସ୍ଫୋରଣ ଘଟଣା : ଏସ୍‌ସିବିରେ ରିମାଙ୍କୁ ଭେଟିଲା ପୁଲିସ୍‌

କଟକ : ବହୁ ଚର୍ଚ୍ଚିତ ପାଟଣାଗଡ଼ ଗିଫ୍ଟ ବୋମା ବିସ୍ଫୋରଣ ଘଟଣାରେ ଆଜି ପାଟଣାଗଡ଼ ପୁଲିସ୍‌ ପୁଣି ଥରେ ଏସ୍‌ସିବି ମେଡିକାଲକୁ ଆସି ଆହତ ରିମାଙ୍କୁ ଘଟଣା ସଂପର୍କରେ ପଚରିଛି। ତାଙ୍କୁ କିଏ କୋରିଅର ଦେଇଥିଲା, ସେତେବେଳେ ସେ କ’ଣ କରୁଥିଲେ, କେଉଁ ପରିସ୍ଥିତିରେ ଥିଲେ, କାହା ଉପରେ ସନ୍ଦେହ ହେଉଛି କି ବୋଲି ପାଟଣାଗଡ଼ ଥାନାରୁ ଆସିଥିବା ଜଣେ ଅଧିକାରୀ ରିମାଙ୍କୁ ପ୍ରଶ୍ନ କରିଥିଲେ। ରିମା ଏବେ ଧିରେଧିରେ କଥାବାର୍ତ୍ତା କରିବା ଆରମ୍ଭ କରିଥିବାରୁ ଘଟଣା ବିଷୟରେ ପାଟଣାଗଡ଼ ପୁଲିସ୍‌ ତାଙ୍କଠାରୁ ଜାଣିବାକୁ ଚାହିଁଥିଲା। ପାଟଣାଗଡ଼ ପୁଲିସ୍‌ ସହିତ ସ୍ଥାନୀୟ ମଙ୍ଗଳାବାଗ ଥାନାର ଜଣେ ଅଧିକାରୀ ସେଠାକୁ ଯାଇ ରିମାଙ୍କ ବାପାଙ୍କୁ ମଧ୍ୟ ଘଟଣା ବିଷୟରେ ପଚରାଉଚରା କରିଥିଲେ। ବର୍ତ୍ତମାନ ରିମା ପ୍ଲାଷ୍ଟିକ୍‌ ସର୍ଜରୀ ବର୍ଣ୍ଣ ଓ୍ଵାର୍ଡର ୨ ନମ୍ବର କ୍ୟାବିନ୍‌ରେ ଚିକିତ୍ସିତ ହେଉଛନ୍ତି। ଏବେ ସେ ପ୍ରାୟତଃ ସୁସ୍ଥ ହୋଇଆସିଲେଣି। ଆଉ କିଛି ଘା’ ଶୁଖିବାକୁ ବାକି ରହିଛି। ରିମାଙ୍କ ଦେହରେ ପ୍ଲାଷ୍ଟିକ୍‌ ସର୍ଜରୀର ଆବଶ୍ୟକତା ପ୍ରାୟତଃ ନଥିବା ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ କହିଛନ୍ତି। ତଥାପି ଘା’ଗୁଡ଼ିକ ସଂପୂର୍ଣ୍ଣ ଶୁଖିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର