ପାଟଣାଗଡ଼ ପାର୍ସଲ ବୋମା ମାମଲା : ମାସେ ପୂରିଯିବ, ମିଳିଲାନି ମୃତ୍ୟୁଦୂତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ବ୍ରହ୍ମପୁରାରେ ଗତ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ଜୀବନ ଗଲା। ଏଭଳି ବିସ୍ଫୋରଣ ସଂପର୍କରେ ପୂର୍ବରୁ କେହି ଶୁଣି ନଥିବା ବେଳେ ଦେଶରେ ଏହା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। କିଏ ପ୍ରେମ ପୁଣି କିଏ ଶତ୍ରୁତା କଥା କହୁଥିଲା। ପାର୍ସଲ ବୋମା ବିସ୍ଫୋରଣ ମାମଲାକୁ ମାସେ ପୂରିବାକୁ ଯାଉଛି। କିନ୍ତୁ ଏହି ଘଟଣାରେ ସଂପୃକ୍ତ ମୃତ୍ୟୁଦୂତର ଟେର୍‌ ପାଇପାରିନି ପୁଲିସ। ଭିନ୍ନ ଭିନ୍ନ ଦିଗରେ ପୁଲିସ ଖୋଳତାଡ କରି ଥକିଗଲାଣି। ହେଲେ ପାର୍ସଲ ବୋମାର ରହସ୍ୟ କି ଖିଏଟିଏ ବି ବାହାର କରିପାରି ନାହିଁ। ସେହିପରି ଏହି ପ୍ରସଙ୍ଗରେ ଉଚ୍ଚତର ତଦନ୍ତ ପାଇଁ ଅନେକ ଥର ଦାବି ହୋଇଛି। ପାଟଣାଗଡବାସୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ଓ ମୃତ ସୌମ୍ୟଶେଖରଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ, ଏନ୍‌ଆଇଏ ତଦନ୍ତ ପାଇଁ ଅନୁରୋଧ କରିଥିଲେ ବି ସେଦିଗରେ ବି କୌଣସି ପଦକ୍ଷେପ ଏଯାଏ ନିଆଯାଇ ନାହିଁ।

କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାର ସୁଦାମ ସାହୁଙ୍କ ଝିଅ ରୀମାଙ୍କ ସହ ଫେବ୍ରୁଆରି ୧୮ ତାରିଖରେ ପାଟଣାଗଡ ଜବାହାର କଲେଜର ଅଧ୍ୟାପକ ରବିନ୍ଦ୍ର ସାହୁ ଓ ଭଇଁଷା କଲେଜର ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ବଡ ପୁଅ ଇଂଜିନିୟର ସୌମ୍ୟଶେଖରଙ୍କ ବିବାହ ହୋଇଥିଲା। ୨୦ ତାରିଖରେ ପାଟଣାଗଡ଼ ବ୍ରହ୍ମପୁରା ଘରେ ଭୋଜି ଦିଆଯାଇଥିଲା। ବାପା ରବିନ୍ଦ୍ର ଝିଅକୁ ଦିଲ୍ଲୀ ଛାଡିବାକୁ ଯାଇଥିବା ବେଳେ ମା’ ଯାଇଥିଲେ କଲେଜକୁ। ଘରେ ଥିଲେ ସଂପର୍କୀୟ ଜେଜେ ମା ଜେମାମଣି, ସୌମ୍ୟ ଓ ବହୂ ରୀମା। ୨୩ ତାରିଖ ଅପରାହ୍ନରେ ଏକ ପାର୍ସଲ ପହଞ୍ଚିଥିଲା। ପାର୍ସଲ ଖୋଲିବା ପରେ ପ୍ରଚଣ୍ଡ ବିସ୍ଫୋରଣ। ଏଥିରେ ଜେମାମଣି ଓ ସୌମ୍ୟଙ୍କ ମୃତ୍ୟୁ ହେଲା। ରୀମା ବର୍ତ୍ତମାନ କଟକରେ ଚିକିତ୍ସାଧୀନ।

ଛତିଶଗଡ ରାୟପୁରରୁ ବିସ୍ଫୋରଣ ହୋଇଥିବା ପାର୍ସଲ ବୁକ୍‌ କରାଯାଇଥିବା ବେଳେ ତାହାକୁ ପଠାଇଥିଲେ ଆର୍‌.କେ.ଶର୍ମା। ରାୟପୁର, ବାଙ୍ଗାଲୁରୁ, ଭୁବନେଶ୍ୱରଠାରୁ ଆରମ୍ଭ କରି ରାୟଗଡ଼ା, ରାଉରକେଲା, ଭବାନୀପାଟଣା, କୋରାପୁଟ ଭଳି ଅଞ୍ଚଳକୁ ତଦନ୍ତ ପାଇଁ ଧାଇଁଛି ପୁଲିସ। ବାଙ୍ଗାଲୁରୁ ସ୍ଥିତ ଘରୁ ଗୋଟିଏ ଲାପ୍‌ଟପ୍‌ ଆଣିଛି। ସେହିପରି ପାଟଣାଗଡ ଘରେ ଥିବା ଆଉ ଏକ ଲାପ୍‌ଟପ୍‌ ପୁଲିସକୁ ଦେଇଛନ୍ତି ରବିନ୍ଦ୍ର। ସେହିପରି ମୋବାଇଲ୍‌ ବି ପୁଲିସ ଆଣିଛି। ମୃତ ସୌମ୍ୟଙ୍କ ମେଲ୍‌ ଆଇଡି, ଫେସ୍‌ ବୁକ, ଇନଷ୍ଟା ଗ୍ରାମ, ଟ୍ୟୁଟର୍‌ ପେଜ୍‌କୁ ବି ଖୋଳତାଡ କରୁଛି ପୁଲିସ। ବନ୍ଦ କରିଦେଇଥିବା ଫେସ୍‌ବୁକ୍‌ ଆଇଡି ପଛରେ ବି ପଡିଛି ପୁଲିସ। ତେବେ ପାର୍ସଲ ବୋମା ପଠାଇଥିବା ଆର୍‌.କେ.ଶର୍ମା ସଂପର୍କରେ କେବଳ ନାଁକୁ ଛାଡିଦେଲେ ଆଉ କିଛି ସୁରାକ ପୁଲିସ ପାଇନି। ମୃତ ସୌମ୍ୟଙ୍କୁ ଧମକ ଚମକ ଦେଇଥିବା ଜଣେ ଯୁବକଙ୍କୁ ଆଣି କିଛି ଦିନ ବୁଲାଇବା ପରେ ପୁଲିସ ଛାଡି ଦେଇଛି। ଇତିମଧ୍ୟରେ ଘଟଣାକୁ ମାସେ ପୂରିବାକୁ ବସିଥିବା ବେଳେ ଘଟଣାର ପରଦିନ ଉଚ୍ଚତର ତଦନ୍ତ ଦାବି କରୁଥିବା ପାଟଣାଗଡବାସୀ ବି ନିରବ ରହିଯାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇ ଦାୟିତ୍ୱ ଶେଷ କରିଛନ୍ତି ସ୍ଥାନୀୟ ବିଧାୟକ। ମୃତକଙ୍କ ବାପା ସିବିଆଇ, ଏନ୍‌ଆଇଏ ତଦନ୍ତ ଦାବି କରି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର