ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ୨୫ ଦିନ ପରେ ରିମା ଜାଣିଲେ ସ୍ୱାମୀଙ୍କ ମୃତ୍ୟୁ ଖବର

ପୁରୁଣା ଖବରକାଗଜରୁ ପଢ଼ିବା ପରେ କାନ୍ଦି କାନ୍ଦି ବେହାଲ

କଟକ : ପାଟଣାଗଡ଼ ଗିଫ୍ଟ ବୋମା ବିସ୍ଫୋରଣ ଘଟଣାରେ ଆହତ ରିମା ୨୫ ଦିନ ପରେ ଆଜି ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଛନ୍ତି। ଖବର ଜାଣିବା ପରେ ସେ ଆଉ ନିଜକୁ ସମ୍ଭାଳି ପାରିନଥିଲେ। ସ୍ୱାମୀ ଯଦି ମରିଯାଇଛନ୍ତି, ତାଙ୍କୁ କାହିଁକି ବଞ୍ଚେଇ ରଖିଲେ ବୋଲି କାନ୍ଦିକାନ୍ଦି ତାଙ୍କ ପରିବାର ଲୋକଙ୍କୁ କହିଥିଲେ। ସ୍ୱାମୀଙ୍କୁ ଝୁରି ଝୁରି କୌଣସି ଖାଦ୍ୟ ଗ୍ରହଣ କରି ନଥିଲେ କି ପାଣି ମଧ୍ୟ ପିଇ ନଥିଲେ। ତେବେ ପରିବାର ଲୋକଙ୍କ ବହୁ ବୁଝାସୁଝା ପରେ ତାଙ୍କୁ ଫଳ ରସ ପିଇବାକୁ ଦିଆଯାଇଥିଲା। କାଳେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ପରିବାର ଲୋକେ ରିମାଙ୍କ ପାଖେପାଖେ ରହିଥିବା ଜଣାପଡ଼ିଛି।

ରିମାଙ୍କ ବାପା ସୁଦାମ ସାହୁଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ଟିଫିନ୍‌ ଖାଇବା ବେଳେ ସ୍ୱାମୀ ସୌମ୍ୟଶେଖରଙ୍କ ବିଷୟରେ ରିମା ଜାଣିବାକୁ ପାଇଥିଲେ। ତଳେ ଅଇଁଠା ନପଡ଼ିବାକୁ ଏକ ପୁରୁଣା ଖବର କାଗଜ ପକାଯାଇଥିଲା। ରିମା ଖାଉଥିବାବେଳେ ହଠାତ୍‌ ସେହି ଖବର ଉପରେ ତାଙ୍କର ନଜର ପଡ଼ିଥିଲା। ଖବର ପଢିସାରିବା ପରେ ତାହାର ସତ୍ୟତା ଜାଣିବାକୁ କୋହଭରା କଣ୍ଠରେ ତାଙ୍କ ପରିବାର ଲୋକଙ୍କୁ ପଚାରିଥିଲେ। ଖବର କାଗଜରେ ଯାହା ବାହାରିଛି ତାହା ସତ ବୋଲି ଜାଣିବା ପରେ ରିମା ଆଉ ନିଜକୁ ସମ୍ଭାଳି ପାରିନଥିଲେ। ଏହି ଘଟଣା ପରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ୨ନମ୍ବର ବର୍ଣ୍ଣ କ୍ୟାବିନ୍‌ରେ କେବଳ ରିମାଙ୍କ କାନ୍ଦିବା ସ୍ୱର ଶୁଣାଯାଉଥିଲା। ସେ ତାଙ୍କ ସ୍ୱାମୀ ପାଖକୁ ଯିବାକୁ ଚାହୁଁଥିବାବେଳେ ଆଉ କାହିଁକି ବଞ୍ଚିବେ ବୋଲି ବାରମ୍ବାର କହୁଥିଲେ। ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ସେ ଅସମ୍ଭାଳ ହୋଇପଡ଼ିବାରୁ ପରିବାର ଲୋକଙ୍କ ସହିତ ଉପସ୍ଥିତ ନର୍ସିଂ କର୍ମଚାରୀ, ଡାକ୍ତରମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଏବେ ତାଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ହୋଇ ଆସିଥିଲାବେଳେ ଦେହର କିଛି ଭାଗ ଶୁଖିବାକୁ ଅଳ୍ପ କିଛିଦିନ ସମୟ ଲାଗିବ। କିନ୍ତୁ ଚିକିତ୍ସା ପ୍ରକ୍ରିୟା ଭିତରେ ରିମା ଯେପରି ଔଷଧ ସେବନ ବନ୍ଦ ନକରନ୍ତି ତାହାକୁ ଜଗିବାକୁ ହେବ ବୋଲି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ କହିଛନ୍ତି।

ସୂଚନା ଅନୁଯାୟୀ ଫେବ୍ରୁଆରି ୧୮ ତାରିଖରେ ରିମା ଓ ସୌମ୍ୟଶେଖରଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ଭୋଜି ପରେ ଉଭୟ ଘରେ ଥିବାବେଳେ ୨୩ ତାରିଖରେ ଏକ ପାର୍ସଲ ତାଙ୍କ ଘରେ ପହଞ୍ଚିଥିଲା। ଜେଜେମା’ଙ୍କ ଉପସ୍ଥିତିରେ ଉଭୟ ଗିଫ୍ଟ ଖୋଲୁଥିବାବେଳେ ତାହା ବିସ୍ଫୋରଣ କରିଥିଲା। ଏଥିରେ ଘଟଣାସ୍ଥଳରେ ସୌମ୍ୟ ଓ ଜେଜେମା’ଙ୍କ ମୃତ୍ୟୁ ହୋଇଥିଲାବେଳେ ଗୁରୁତର ଅବସ୍ଥାରେ ରିମାଙ୍କୁ ବୁର୍ଲା ମେଡିକାଲ୍‌ ନିଆଯାଇଥିଲା। ପରେ ତାଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ବିସ୍ଫୋରଣରେ ରିମାଙ୍କ ଶରୀରର ପ୍ରାୟ ୩୫ ପ୍ରତିଶତ ପୋଡ଼ି ହୋଇଯାଇଥିବାରୁ କୌଣସି ପରିସ୍ଥିତିରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର ଯେପରି ଜଣାନପଡେ ସେଥିପ୍ରତି ସତର୍କତା ଅବଲମ୍ବନ କରାଯାଇଥିଲା। ଏପରିକି ଦୁଇଥର ପାଟଣାଗଡ଼ ପୁଲିସ୍‌ ଏଠାରେ ବୟାନ ରେକର୍ଡ କରିବାକୁ ଆସିଥିଲେ ବି ସୌମ୍ୟଙ୍କ ମୃତ୍ୟୁ ବିଷୟରେ ତାଙ୍କୁ ଜଣାଯାଇନଥିଲା।

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ହେବ: ଡିଜି

ଭୁବନେଶ୍ୱର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଉ ୪ ଦିନ ପରେ ମାସେ ପୂରିବ। କିନ୍ତୁ ଏଯାଏ ରହସ୍ୟ ଉପରୁ ପରଦା ଉଠାଇ ପାରିନାହିଁ ବଲାଙ୍ଗୀର ପୁଲିସ୍‌। ଏ ନେଇ ମୃତ ସୌମ୍ୟଙ୍କ ପରିବାର ଲୋକ ପୁଲିସ ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ପରିସ୍ଥିତିରେ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ପାର୍ସଲ ବୋମା ମାମଲାର ବ୍ୟକ୍ତିଗତ ତନାଘନା କରିବା ପରେ କ୍ରାଇମ୍‌ବ୍ରାଞ୍ଚକୁ ମାମଲା ହସ୍ତାନ୍ତର କରିବାକୁ ସ୍ଥିର କରିଛନ୍ତି।

ସମ୍ବନ୍ଧିତ ଖବର