ଭୁବନେଶ୍ୱର : ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆସନ୍ତାକାଲି ଏକ ମାସ ପୂରିବ। କିନ୍ତୁ ଏଯାଏ ରହସ୍ୟ ଉପରୁ ପରଦା ଉଠାଇ ପାରିନାହିଁ ବଲାଙ୍ଗୀର ପୁଲିସ୍। ଏ ନେଇ ମୃତ ସୌମ୍ୟଶେଖରଙ୍କ ପରିବାର ଲୋକ ପୁଲିସ ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ପରିସ୍ଥିତିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମ୍ବ୍ରାଞ୍ଚକୁ ତଦନ୍ତ ଲାଗି ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦେଶ ପରେ ଆସନ୍ତାକାଲିଠାରୁ କ୍ରାଇମ୍ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ବଲାଙ୍ଗୀର ଯିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ କଟକ ବଡ଼ ମେଡିକାଲରେ ଚିକିତ୍ସା ହେଉଥିବା ରୀମା ସାହୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଘଟଣା ତଦନ୍ତ ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ତାଙ୍କୁ ଆଶ୍ୱାସନା ଦେଇଥିଲେ ଘଟଣାର ଠିକ୍ ଢଙ୍ଗରେ ତଦନ୍ତ କରାଯିବ ବୋଲି। ଦୁଇ ଦିନ ତଳେ ମୃତ ସୌମ୍ୟଶେଖରଙ୍କ ବାପା ଓ ବୋହୂ ରୀମା ସାହୁଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
ଏଠାରେ ପ୍ରକାଶଥାଉ କି, ଗତ ଫେବ୍ରୁଆରି ମାସ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଏକ ବିବାହ ଉପହାର ପାର୍ସଲ ଖୋଲିବାବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ବର ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା’ ଜେନାମଣୀ ସାହୁଙ୍କ ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମା ସାହୁ ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ତଦନ୍ତକୁ ସ୍ୱାଗତ କଲେ ପୀଡ଼ିତାଙ୍କ ବାପା
କଟକ : ପାର୍ସଲ ବୋମା ବିସ୍ଫୋରଣ ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତକୁ କଟକ ବଡ଼ ମେଡିକାଲ୍ରେ ଚିକିତ୍ସିତ ହେଉଥିବା ନବବଧୂ ରିମାଙ୍କ ବାପା ସୁଦାମ ସାହୁ ସ୍ୱାଗତ କରିଛନ୍ତି। ତାଙ୍କ ମତରେ ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ବିଷୟରେ ଜଣାଇବା ପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଅନୁରୋଧ କରିଥିଲୁ। ତଦନ୍ତ ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ତେଣୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଆମକୁ ସାମାନ୍ୟ ଅଶ୍ୱସ୍ତି ଦେଇଛି। ଯଦିଓ ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ତଦନ୍ତରେ ଅଳ୍ପ କିଛି ସାହାଯ୍ୟ କରିଥିଲା, କିନ୍ତୁ ଏବେ ସଂପୂର୍ଣ୍ଣ ତଦନ୍ତ ଭାର ଆସିଯାଇଥିବାରୁ ଆମକୁ ଶୀଘ୍ର ନ୍ୟାୟ ମିଳିବ ବୋଲି ଆଶା କରୁଛୁ। ଜ୍ୱାଇଁ ସୌମ୍ୟଶେଖର ତ ଆଉ ଫେରିବେନି। ଆମ ଜୀବନରେ ଆଉ ଖୁସି ବୋଲି କିଛି ନାହିଁ। କେବଳ ଦୋଷୀ ଶୀଘ୍ର ଧରାହୋଇ କିପରି ଦଣ୍ଡ ପାଇବ ତାହାକୁ ଆଶା ରଖିଛୁ ବୋଲି ସୁଦାମ କହିଛନ୍ତି।
ଅଧ୍ୟାପକ ସାହୁଙ୍କ ପଲିଗ୍ରାଫ୍ ଟେଷ୍ଟ ହେବ!
ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଏବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଛି। ତଥାପିି ମାମଲାର ଅଧିକ ଖୋଳତାଡ଼ ପାଇଁ ୩ଜଣଙ୍କର ପଲିଗ୍ରାଫ ଟେଷ୍ଟ ହେବ ବୋଲି ପୁଲିସ ପୂର୍ବରୁ କହିଛି। କିନ୍ତୁ କାହାର ଟେଷ୍ଟ କରାଯିବ ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ବିଶ୍ୱସ୍ତ ସୂତ୍ରରୁ ଯାହା ଖବର ମିଳିଛି ଜବାହାର କଲେଜର ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କୁ ପଲିଗ୍ରାଫ ଟେଷ୍ଟର ସାମ୍ନା କରିବାକୁ ପଡିପାରେ। କିନ୍ତୁ ପୁଲିସ ପାଇଁ ଏହା ହିଁ ଅଡୁଆ ହେଉଛି। ଅଭିଯୁକ୍ତ ହୋଇଥିଲେ ପଲିଗ୍ରାଫ ଟେଷ୍ଟ ପାଇଁ ବିଳମ୍ବ ହୁଅନ୍ତା ନାହିଁ। କିନ୍ତୁ ଶ୍ରୀ ସାହୁଙ୍କ ପୁଅର ମୃତ୍ୟୁ ହୋଇଛି। ସଂପର୍କୀୟା ଶାଶୂ ବି ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ଶ୍ରୀ ସାହୁଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ନେଲେ ପ୍ରସଙ୍ଗ ଭିନ୍ନ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ବରିଷ୍ଠ ପୁଲିସ ଅଧିକାରୀ। ପୂର୍ବରୁ କିନ୍ତୁ ପୁଲିସ ତାଙ୍କୁ ଡକାଇ ବିଭିନ୍ନ ପ୍ରସଙ୍ଗରେ ପଚରା ଉଚୁରା କରିଛି। ମୋବାଇଲ୍, ଲାପଟପ୍ ଆଦି ଜବତ କରି ଯାଞ୍ଚ ପାଇଁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/patna-f.jpg)