ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲା: ୬ମାସ ସମୟ ମାଗିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ରାଜଧାନୀର ଘଙ୍ଗାପାଟଣା ଜମି ଦୁର୍ନୀତିର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତା’ର ସବିଶେଷ ତଦନ୍ତ ରିପୋର୍ଟ ଦେବାକୁ ଆହୁରି ୬ ମାସ ସମୟ ନେଇଛି। ଆଜି ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଶୁଣାଣି ବେଳେ କ୍ରାଇମବ୍ରାଞ୍ଚ ତଦନ୍ତରେ ଯଥେଷ୍ଟ ଅଗ୍ରଗତି ହୋଇଥିବା ଦର୍ଶାଇଛି। ତେବେ ପୁରୁଣା ରେକର୍ଡର ଯାଞ୍ଚ ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଦର୍ଶାଇଛନ୍ତି। ଲୋକାୟୁକ୍ତ ଏହାକୁ ଅନୁମତି ଦେଇଛନ୍ତି। ଆସନ୍ତାବର୍ଷ ଜୁନ୍ ୧୭ ତାରିଖରେ ଏହାର ପରବର୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି।

ରାଜଧାନୀର ବହୁଚର୍ଚିତ ଭଙ୍ଗାପାଟଣା ଜମି ଦୁର୍ନୀତି ଘଟଣାରେ କିଛି ପ୍ରଭାବଶାଳୀ ରାଜନେତା ଓ ସରକାରୀ ଅଧିକାରୀଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ପରବର୍ତୀ ସମୟରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ। ତେବେ ଗତ ୫ବର୍ଷ ଧରି କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଥିଲେ ହେଁ, ଆଜି ପର୍ଯ୍ୟନ୍ତ ତଦନ୍ତ ଶେଷ ହୋଇପାରି ନାହିଁ।

ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଲୋକାୟୁକ୍ତଙ୍କ ନିକଟରେ ଗତ ସେପ୍ଟେମ୍ବର ମାସରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକାୟୁକ୍ତ ଏ ସଂପର୍କରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଦେଇଥିବା ରିପୋର୍ଟରେ ବିବାଦୀୟ ୧୮ଏକର ଜମିରୁ ୧୬ଏକର ଜମି ସରକାରୀ ଖାତାକୁ ଫେରିଥିବା ଦର୍ଶାଇଥିଲା। ତେବେ ସବିଶେଷ ରିପୋର୍ଟ ପ୍ରଦାନ କରିବା ପାଇଁ ଆହୁରି ୬ମାସ ସମୟ ଆବଶ୍ୟକ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ୧୯୬୬ ମସିହାର ଏହି ଜଟିଳ ରାଜସ୍ବ ରେକର୍ଡ ତଥା ଲିଜ୍‌ର ଯାଞ୍ଚ ପାଇଁ ସମୟ ଆବଶ୍ୟକ। ମାତ୍ର ବର୍ଷ ବର୍ଷ ଧରି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚକୁ ଅତିରିକ୍ତ ସମୟ ପ୍ରଦାନ କରାଯିବାକୁ ଶ୍ରୀ ପ୍ରଧାନ ବିରୋଧ କରିଥିଲେ। କିନ୍ତୁ ଲୋକାୟୁକ୍ତ କ୍ରାଇମବ୍ରାଞ୍ଚକୁ ସମୟ ପ୍ରଦାନ କରିଥିଲେ। ଆବେଦନକାରୀ ଶ୍ରୀ ପ୍ରଧାନ କହିଛନ୍ତି, ଦୀର୍ଘ ୫ବର୍ଷ ଧରି କ୍ରା‌ଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ସବିଶେଷ ରିପୋର୍ଟ ପ୍ରଦାନ କରିପାରି ନାହିଁ। ସରକାରୀ ଖାତାକୁ ୧୬ଏକର ଜମି ଫେରି ଆସୁଥିବା କଥା କ୍ରାଇମବ୍ରାଞ୍ଚ କହୁଥିବା ବେଳେ ଏହାକୁ ନେଇ ସନ୍ଦେହ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର