ପାତ୍ରପଡ଼ା ଜମି କେଳେଙ୍କାରୀର ଗୁମର ଫିଟୁଛି: ଜମି କିଣିଛନ୍ତି ଆଇଏଏସ୍‌ ସୁରେନ୍ଦ୍ର କୁମାର

୬ ବର୍ଷ ପରେ ସେଲ୍‌ଡିଡ୍‌ ବାତିଲ କରିଥିଲେ ଆର୍‌ ପି କୋଚେ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ଜମି କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି। ପାତ୍ରପଡ଼ା ଜମି କିଣା ଠକେଇକୁ ନେଇ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ. ନାଗେଶ୍ବର ରାଓ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଥିବା କିଛି ଦିନ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ବର୍ତ୍ତମାନ ଆଉ ଜଣେ ଆଇପିଏସ୍‌ ଅଧିକାରୀ ଆର୍‌ ପି କୋଚେ ଜମି ମାଲିକାନା ସେଲ୍‌ଡିଡ୍‌ (ବିକ୍ରି କବଲା)କୁ ବାତିଲ କରି ଦେଇଥିବା ଏକ ଦସ୍ତାବିଜ୍‌ ମିଳିଛି। ଶ୍ରୀ କୋଚେ କାହିଁକି ବିକ୍ରି କବଲା ବାତିଲ କଲେ ତାହା ସ୍ପଷ୍ଟ ହୋଇନାହିଁ। ଆହୁରି ମଧ୍ୟ ପାତ୍ରପଡ଼ା ସରକାରୀ ଜମି ବିକ୍ରିର କ୍ରେତା ତାଲିକାରେ କେବଳ ଆଇପିଏସ୍‌ ନୁହନ୍ତି, ବରିଷ୍ଠ ଆଇଏଏସ୍‌ ତଥା ଜିଏ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ୨୦୧୦ ମସିହା ଏପ୍ରିଲ ମାସରେ ସେ ୧୦୮ ଡିସମିଲ ଜମି ମୀନାକ୍ଷୀ ଜେନାଙ୍କ ଠାରୁ କ୍ରୟ କରିଥିବା ଜଣାପଡ଼ିଛି।

ଭୁବନେଶ୍ବର ଉପକଣ୍ଠ ପାତ୍ରପଡ଼ା ମୌଜାର ଜାତୀୟ ରାଜପଥ କଡ଼ରେ ଥିବା ୭.୫ ଏକର ସରକାରୀ ଜମିର ବେଆଇନ ବିକ୍ରି କରାଯାଇଥିବା ନେଇ କିଛି ଦିନ ପୂର୍ବରୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅଭିଯୋଗ ହୋଇଥିଲା। ହାତଲେଖା ପଟ୍ଟା ଜରିଆରେ ବାତିଲ ହୋଇଥିବା ଲିଜ୍‌ ଜମିକୁ ବିଜେଡି କର୍ପୋରେଟରଙ୍କ ସମ୍ପର୍କୀୟ ୨୭ ଥର ବିକ୍ରି କରିଛନ୍ତି। ଏହି ସରକାରୀ ମାଲିକାନା ତାଲିକାରେ ୪ଜଣ ଆଇପିଏସ୍‌ ଅଧିକାରୀ ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକଙ୍କ ପୁଅ ସୁଦୀପ ମାରିକ, ଆର୍‌ ପି କୋଚେ, ଏମ୍‌ ନାଗେଶ୍ବର ରାଓ, ତାଙ୍କ ପତ୍ନୀ ଏବଂ ଶ୍ୟାମସୁନ୍ଦର ହାଁସଦା, ତାଙ୍କ ପତ୍ନୀ ଏବଂ ପୁଅଙ୍କ ନାମ ରହିଥିବା ନେଇ ଦସ୍ତାବିଜ୍‌ ଦେଖାଇଥିଲେ। ଏଥିରେ ୨୦୧୦ ମସିହାରେ ୧୦୮ ଡିସମିଲ୍‌ ପ୍ଲଟ୍‌ ଆଇପିଏସ୍‌ ଅଧିକାରୀ ଆର.ପି କୋଚେଙ୍କ ନାମରେ ମଧ୍ୟ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଥିଲା। ସେ ଏହାକୁ ନରସିଂହ ସୁନ୍ଦରାୟଙ୍କ ଠାରୁ କ୍ରୟ କରିଥିଲେ। ୨୦୧୬ ମସିହା ଏପ୍ରିଲ ୧୬ ତାରିଖରେ ଏହି ବିକ୍ରି କବଲାକୁ ସେ ବାତିଲ କରି ଦେଇଥିଲେ।

ଏହାକୁ ନେଇ ନରସିଂହ ସୁନ୍ଦରାୟ କହିଛନ୍ତି, ଆର୍‌ ପି କୋଚେ ପ୍ରଥମେ ତାଙ୍କ ଠାରୁ ଜମି କିଣି ପରେ ବ୍ୟକ୍ତିଗତ କାରଣରୁ ବାତିଲ କରି ଦେଇଥିଲେ। ଏହାକୁ ନେଇ ତାଙ୍କ ସହିତ କୌଣସି ବିବାଦ ନାହିଁ। କାହିଁକି ବିକ୍ରି କବଲା ବାତିଲ କରୁଛନ୍ତି ସେ ସମ୍ପର୍କରେ ପଚାରି ବି ନାହାନ୍ତି। ତେବେ ନାଗେଶ୍ବର ରାଓଙ୍କୁ ସେ ଜମି ବିକ୍ରି କରିନଥିବା ଜଣାଇଛନ୍ତି। ଅନ୍ୟ ଜଣେ ବିକ୍ରି କରିଛନ୍ତି। ତାଙ୍କ ନାମକୁ ଜବରଦସ୍ତି ଟଣାଯାଇଛି। ଏହି ଜମି ବିକ୍ରିରେ କର୍ପୋରେଟର ଥିବା ତାଙ୍କ ଭାଇବୋହୂଙ୍କର କୌଣସି ଭୂମିକା ନାହିଁ। ୧୯୮୦ ଦଶକରେ ସେମାନେ ପାଇଥିବା ୬ ଏକର ଜମିକୁ ନେଇ ଭୁବନେଶ୍ବର ତହସିଲରେ ବିଚାରାଧୀନ ରହିଛି। କେତେ ସ୍ବଚ୍ଛ ହେବ ଜିଏ ବିଭାଗର ତଦନ୍ତ ପାତ୍ରପଡ଼ାର ୭.୫ ଏକର ଜମି କେଳେଙ୍କାରୀ ତଦନ୍ତ ପାଇଁ ଜିଏ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଣେ କ୍ରେତା ତାଲିକାରେ ଏହି ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ନାମ ଆସିବା ପରେ ତଦନ୍ତ ପ୍ରକ୍ରିୟା କେତେ ନିରପେକ୍ଷ ହୋଇ ପାରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ମୁଖ୍ୟମନ୍ତ୍ରୀଙ୍କୁ ପାତ୍ରପଡ଼ା ବେଆଇନ ଜମି କ୍ରୟ ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ସେହି ଆଧାରରେ ମୁଖ୍ୟମନ୍ତ୍ରୀ ଜିଏକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର