ଭୁବନେଶ୍ବର: ଭୁବନେଶ୍ବର ପାତ୍ରପଡ଼ା ମୌଜାର ଜାତୀୟ ରାଜପଥ କଡ଼ରେ ଥିବା ବିବାଦୀୟ ୭.୫ ଏକର ସରକାରୀ ଜମିର ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ବର ତହସିଲଦାର ଏହାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ଖୁବ୍‌ଶୀଘ୍ର ଏହାର ରିପୋର୍ଟ ଦାଖଲ ହେବ ବୋଲି କୁହାଯାଉଛି। ଏଣେ ପାତ୍ରପଡ଼ା ବେଆଇନ ଜମିବିକ୍ରିର କ୍ରେତା ତାଲିକାରେ ଆଇପିଏସ୍‌ ଅଧିକାରୀ ପୂର୍ବତନ ଡିଜି ସଞ୍ଜୀବ ମାରିକଙ୍କ ପୁଅ ସୁଦୀପ ମାରିକ, ଆଇପିଏସ୍‌ ଏମ୍‌ ନାଗେଶ୍ବର ରାଓ, ତାଙ୍କ ପତ୍ନୀ ଏବଂ ଆଇପିଏସ୍‌ ଶ୍ୟାମସୁନ୍ଦର ହାଁସଦା, ତାଙ୍କ ପତ୍ନୀ ଓ ପୁଅଙ୍କ ସହିତ ଜିଏ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ପରେ ଆଉ ଗୋଟିଏ ନାଁ ସାମ୍‌ନାକୁ ଆସିଛି। ସେ ହେଉଛନ୍ତି କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟର ଡିଏସ୍‌ପି ରମେଶ ଚନ୍ଦ୍ର ଦୋରା। ୨୦୧୬ ମସିହାରେ ସେ ମୀନାକ୍ଷୀ ଜେନାଙ୍କ ଠାରୁ ୯୦ ଡିସମିଲ ଜମି ନେଇଛନ୍ତି। ସମ୍ବଲପୁରରେ କାର୍ଯ୍ୟରତ ଥିବାବେଳେ ଶ୍ରୀ ଦୋରାଙ୍କ ବିରୋଧରେ ପୂର୍ବରୁ ନକଲି ଜାତି ପ୍ରମାଣପତ୍ର ଦାଖଲ ନେଇ ମଧ୍ୟ ଅଭିଯୋଗ ରହିଥିଲା।

Advertisment

ଓଡ଼ିଶା ସୂଚନା ଅଧିକାର ଅଭିଯାନର ଅଭିଯୋଗ ଅନୁଯାୟୀ, ୧୯୮୦ ମସିହାରେ ନରସିଂହ ସୁନ୍ଦରରାୟ, ତାଙ୍କ ସମ୍ପର୍କୀୟ ମିନାକ୍ଷୀ ଜେନା, ଅଶୋକ ସୁନ୍ଦରରାୟ ଓ ଶୈଳବାଳା ଜେନାଙ୍କୁ ୧.୫ ଏକର ହିସାବରେ ମୋଟ୍‌ ୬ ଏକର ଜମି ଲିଜ୍‌ ପ୍ରଦାନ କରିଥିଲେ ରାଜ୍ୟ ସରକାର। ସେମାନେ ନିଜକୁ ଭୂମିହୀନ ଦର୍ଶାଇଥିବାରୁ ଚାଷ କରିବା ପାଇଁ ଏହା ଦିଆଯାଇଥିଲା। ତେବେ ୨୦୦୨ ମସିହାରେ ଭୁବନେଶ୍ବର ଉପଜିଲ୍ଲାପାଳ ଏହି ଲିଜ୍‌କୁ ବାତିଲ କରି ସମୁଦାୟ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିଥିଲେ। କିନ୍ତୁ ହାତଲେଖା ପଟ୍ଟା ଜରିଆରେ ଏହି ବ୍ୟକ୍ତିମାନେ ବାତିଲ ହୋଇଥିବା ଲିଜ୍‌ ଜମିକୁ ୨୭ଥର ବିକ୍ରି କରିଛନ୍ତି। ଏହି ସରକାରୀ ମାଲିକାନା ତାଲିକାରେ ପ୍ରଥମେ ୪ ଜଣ ଆଇପିଏସ୍‌ ଅଧିକାରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ନାମ ଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଆର୍‌ପି କୋଚେ ଉକ୍ତ ସେଲ୍‌ ଡିଡ୍‌କୁ ବାତିଲ କରି ଦେଇଥିବା ଜଣାପଡ଼ିଥିଲା। ଏହି ଅଭିଯୋଗ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପାତ୍ରପଡ଼ା ଜମିକ୍ରୟ ବେଳେ ଠକେଇର ଶିକାର ହୋଇ ପୂର୍ବରୁ ଇଓଡବ୍ଲ୍ୟୁର ଦ୍ବାରସ୍ଥ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ ପୂର୍ବତନ ସିବିଆଇ ନିର୍ଦେଶକ ଏମ୍‌ ନାଗେଶ୍ବର ରାଓ। ଏହି ଜମିକ୍ରୟକୁ ନେଇ ନାଗେଶ୍ବର ରାଓ ଓ ସଞ୍ଜୀବ ମାରିକ ଖୋଲାଖୋଲି ଭାବରେ ପରସ୍ପରକୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନଥିଲେ। ଏହି ଘଟଣାର ତଦନ୍ତ ପାଇଁ ଅଭିଯୋଗକାରୀ ଓଡ଼ିଶା ସୂଚନା ଅଧିକାର ଅଭିଯାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଥିଲା। ଜମି କେଳେଙ୍କାରୀର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଜିଏ ବିଭାଗକୁ ତଦନ୍ତର ଦାୟିତ୍ବ ଦେଇଛନ୍ତି।

କିନ୍ତୁ ଏବେ ଉକ୍ତ ସରକାରୀ ଜମିର କ୍ରେତା ତାଲିକାରେ ଜିଏ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ନାମ ଆସିବା ପରେ ଜିଏ ବିଭାଗ କିଭଳି ତଦନ୍ତ କରିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏବେବି ଏହି ସରକାରୀ ଜମିରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ସ୍ଥଗିତ କରାଯାଇ ନାହିଁ। ବିଡିଏ ପକ୍ଷରୁ ଏହି ଜମି ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ମଧ୍ୟ କୌଣସି ସୂଚନା ନାହିଁ। ତେବେ ଉକ୍ତ କେଳେଙ୍କାରୀ ନେଇ ତହସିଲଦାରଙ୍କ ରିପୋର୍ଟ ଉପରେ ସମସ୍ତଙ୍କ ଆଖି ରହିଛି। ଏହାପରେ ଅନେକଙ୍କ ମୁଖା ଖୋଲିବ ବୋଲି ଆଶା କରାଯାଉଛି।