ଧାନକ୍ଷେତରେ ଅଜଣା ପତ୍ରପୋଡ଼ା ରୋଗ

ଦାନଗଦୀ: ଧାନକ୍ଷେତରେ ଅଜଣା ପତ୍ରପୋଡ଼ା ରୋଗ ମାଡ଼ି ଯାଉଛି। ଧାନଗଛଗୁଡ଼ିକ ମୂଳରୁ ଧୀରେଧୀରେ ଶୁଖି ହଳଦିଆ ପଡ଼ିଯାଉଛି। ସମ୍ପୂର୍ଣ୍ଣ ଗଛଟି ପାଚିଲା ପରି ଦେଖାଯାଉଛି। ଏହାପରେ ମରିଯାଉଛି। ଗଛକୁ ବଞ୍ଚାଇବା ପାଇଁ ବିଭିନ୍ନ ଔଷଧ ପକାଇଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁନାହିଁ। ଏହି ପତ୍ରପୋଡ଼ା ରୋଗ ଶହଶହ ଏକର ଧାନକ୍ଷେତକୁ ମାଡ଼ିଗଲାଣି। ଏହି ରୋଗ ଚାଷୀଙ୍କ ଭାତହାଣ୍ଡି ଉଜାଡ଼ି ଦେବାକୁ ବସିଲାଣି। ଏଥିପାଇଁ ସେମାନଙ୍କ ମଧ୍ୟରେ ଚିନ୍ତା ବଢ଼ି ଗଲାଣି।

ଦାନଗଦୀ ବ୍ଲକର ଯଖପୁରା, ମଙ୍ଗଳପୁର, ତ୍ରିଜଙ୍ଗା, ମାନତୀରା, କୁମ୍ଭୀରଗଡ଼ିଆ, ଖପୁରିଆପଦା ପଞ୍ଚାୟତର ଚାଷୀମାନେ ଏହା ଦେଖି ମୁଣ୍ଡରେ ହାତ ଦେଲେଣି। ବର୍ଷକ ପାଇଁ ଖାଦ୍ୟଶସ୍ୟ ଯୋଗାଡ଼ ନିମନ୍ତେ କେତେ ଧାରକରଜ କରି ଶହଶହ ଚାଷୀ ‘ମୁଣ୍ଡଝାଳ ତୁଣ୍ଡରେ ମାରି’ ଚାଷ କାମ କରି ଠିକଣା ସମୟରେ ହତାଶ ହେଲେଣି। କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। କ୍ଷେତର ଏପରି ଅବସ୍ଥା ଦେଖି ଚାଷୀ କ’ଣ କରିବ ବୁଝିପାରୁ ନାହିଁ। ଚାରିମାସର ପରିଶ୍ରମ ଓ ଖର୍ଚ୍ଚ ନଷ୍ଟ ହେବାକୁ ବସିଛି। କୃଷି ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଏହାର ପ୍ରତିକାର କରିବାକୁ ଚାଷୀମାନେ ଦାବି କରିଛନ୍ତି। ନଚେତ ସବୁ ଧାନ ଫସଲ ଉଜୁଡ଼ିଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି।

ସମ୍ବନ୍ଧିତ ଖବର